୧୩ ଘଣ୍ଟା ସତର୍କ ସଙ୍କେତ ଉପରେ ରହିବାପରେ କମୁଛି ବ୍ରାହ୍ମଣୀର ଜଳସ୍ତର

ରାଉରକେଲା: ବିଳମ୍ବିତ ରାତିରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୃଦ୍ଧି ହୋଇଥିବା ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ କମିବାରେ ଲାଗିଛି। ଜଳସ୍ତର ପ୍ରାୟ ୧୩ ଘଣ୍ଟାଧରି ସତର୍କ ସଙ୍କେତ ଉପରେ ରହିଥିଲା। ତେବେ ବିପଦ ସଙ୍କେତ ପାର୍‌ ହୋଇପାରିନଥିଲା। କୋଏଲ ନଦୀ ଓ ଶଙ୍ଖ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ମନ୍ଦିରା ଡ୍ୟାମ୍‌ର ଗେଟ୍‌ ଖୋଲାଯିବାରୁ ଜଳସ୍ତର ବୃଦ୍ଧି ଘଟିଥିଲା। ଏବେ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କିନ୍ତୁ ପୁନର୍ବାର ଆଜି ଉପରମୁଣ୍ଡରେ ବର୍ଷା ହୁଏ, ତା’ହେଲେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି।

ବୁଧବାର ଅପରାହ୍ନ ୩ଟାରୁ ଗୁରୁବାର ଅପରାହ୍ନ ୪ଟା ଯାଏଁ ବ୍ରାହ୍ମଣୀ ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ରହିଥିଲା। ପ୍ରକାଶଥାଉକି, ବ୍ରାହ୍ମଣୀ ନଦୀର ଜଳସ୍ତର ସତର୍କ ସଙ୍କେତ ୧୭୭.୫୧୦ ମିଟର ଥିବାବେଳେ ବିପଦ ସଙ୍କେତ ହେଉଛି ୧୭୮.୪୨୦ ମିଟର। ୧୩ ଘଣ୍ଟାଧରି ଜଳସ୍ତର ସତର୍କ ସଙ୍କେତ ଉପରେ ରହିଥିବାବେଳେ ଗୁରୁବାର ସକାଳେ କିନ୍ତୁ ଜଳସ୍ତର ଶୀର୍ଷରେ ପହଞ୍ଚିଥିଲା। ବୁଧବାର ରାତି ୮ଟାରୁ ବିଳମ୍ବିତ ରାତି ୧୨ଟା ଯାଏଁ ଜଳସ୍ତର ୧୭୮ ମିଟର ଉପରେ ରହିଥିଲା। ତେବେ ଗୁରୁବାର ଦିନ ଗୋଟାଏରୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ମନ୍ଦିରା ଡ୍ୟାମ୍‌ ଗେଟ୍‌ ଖୋଲିବା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ହିଁ ଜଳସ୍ତର ବୃଦ୍ଧିର ଦୁଇ ପ୍ରମୁଖ କାରଣ ପାଲଟିଥିଲା।

ଚଳିତ ବର୍ଷ ପ୍ରଥମଥର ପାଇଁ ମନ୍ଦିରା ଡ୍ୟାମ୍‌ର ସମସ୍ତ ୧୧ଟି ଗେଟ୍‌ ଖୋଲାଯାଇଥିଲା। ୩ଟି ଗେଟ୍‌ ୧୩ ଫୁଟ ଯାଏଁ ଖୋଲାଯାଇଥିବାବେଳେ ୮ଟି ଗେଟ୍‌ ୫ ଫୁଟ୍‌ ଯାଏଁ ଖୋଲାଯାଇଥିଲା। ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ୨ଟି ଗେଟ୍‌କୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି। ଅର୍ଥାତ୍‌, ଏବେ ବି ମନ୍ଦିରା ଡ୍ୟାମ୍‌ର ୯ଟି ଗେଟ୍‌ ଆଂଶିକଭାବେ ଖୋଲା ରହିଛି। କୋଏଲ ଓ ଶଙ୍ଖ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ହୋଇଥିଲା। ଏବେ କିନ୍ତୁ ଉଭୟ ନଦୀର ଜଳସ୍ତର ସତର୍କ ସଙ୍କେତଠାରୁ ଢ଼େର୍‌ ତଳେ ରହିଛି। ସଂନ୍ଧ୍ୟା ୬ଟାରେ କୋଏଲ ନଦୀର ଜଳସ୍ତର ୧୯୨.୦୨୦ ମିଟର ଥିବାବେଳେ ଶଙ୍ଖ ନଦୀର ଜଳସ୍ତର ୩୭୫.୮୮୦ ମିଟର ରହିଥିଲା। ଏଥିରେ ମଧ୍ୟ କ୍ରମଶଃ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର