ଫୁଲୁଛି ବୈତରଣୀ : ତଳିଆ ଅଞ୍ଚଳବାସୀ ଆତଙ୍କିତ

ଯାଜପୁର/କେନ୍ଦୁଝର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି। ଆଜି ପୂର୍ବାହ୍‌ଣ ସୁଦ୍ଧା କେନ୍ଦୁଝର ଜିଲ୍ଲାରେ ମୋଟ ୮୫୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ୯୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। କେନ୍ଦୁଝର ଜିଲ୍ଲାର ଏହି ବର୍ଷା ଜଳ ନଦୀରେ ପଡି ଯାଜପୁରରେ ପହଞ୍ଚିବାକୁ ୪୮ ଘଣ୍ଟା ସମୟ ଲାଗୁଛି। ତେଣୁ ଆଜି ରାତିରେ ଏହି ବର୍ଷା ଜଳ ନଦୀରେ ଆସିବ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କାରଣରୁ ବୈତରଣୀ ତଳୁଆ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜଳସେଚନ ବିଭାଗ ଅନ୍ତର୍ଗର୍ତ ଆଖୁଆପଦା ଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ଥିବା ବେଳେ ବର୍ତମାନ ଜଳସ୍ତର ୧୭.୨୮ ମିଟରରେ ପହଞ୍ଚିଛି। ଚମ୍ପୁଆ, ଆନନ୍ଦପୁର, ସ୍ୱାମପାଟଣା ସବୁଠି ବୈତରଣୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟାରେ ଆନନ୍ଦପୁରରେ ବୈତରଣୀ ନଦୀରେ ଜଳସ୍ତର ୩୪.୧ ମିଟର ରେକର୍ଡ କରାଯାଇଥିବା ବେଳେ ସଂଧ୍ୟା ୫ଟା ବେଳକୁ ଏହା ବୃଦ୍ଧି ପାଇ ୩୫.୫୮ ମିଟର ହୋଇଥିଲା। ସେହିପରି ଉପର ମୁଣ୍ଡ ଚମ୍ପୁଆରେ ବୈତରଣୀ ନଦୀର ଜଳସ୍ତର ମଧ୍ୟ ବଢୁଛି। ଆଜି ସକାଳ ୮ଟା ବେଳକୁ ଚମ୍ପୁଆରେ ବୈତରଣୀ ନଦୀ ଜଳସ୍ତର ୩୭୨.୩୦ ମିଟର ଥିବା ବେଳେ ଅପରାହ୍‌ଣ ୪ଟା ବେଳେ ୩୭୩.୩୬ମିଟରରେ ପହଞ୍ଚିଥିଲା। ବୈତରଣୀ ନଦୀ ଚମ୍ପୁଆରେ ସତର୍କ ସଂକେତ ୩୭୫.୩୩ମିଟର ଏବଂ ବିପଦ ସଂକେତ ୩୭୬.୪୧ ମଟରି ରହିଛି । ସେହିପରି ସ୍ୱାମପାଟଣାଠାରେ ବିପଦସଂକେତ ୩୧୧.୧୦ ଥିବା ବେଳେ ୩୦୫.୯୬ ମିଟର ଜଳ ପ୍ରବାହିତ ହେଉଛି। ବୈତରଣୀ ଫୁଲୁଥିବାରୁ ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ଛନକା ପଶିଛି। ବର୍ଷା କମି ଯାଇଥିଲେ ମଧ୍ୟ ଯାଜପୁର ଜିଲ୍ଲାର କୋରେଇ ଏବଂ ଦଶରଥପୁର ବ୍ଳକର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଏବେ ବି ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧିତ ଖବର