ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜିଲ୍ଲାର ସାତୋଟି ବ୍ଲକର ବହୁ ଘର ଭାଙ୍ଗିବା ସହ ରାସ୍ତାଘାଟଗୁଡିକକୁ ଖରାପ କରିଦେଇଛି। ଏପରିକି ପାହାଡ଼ର ମାଟି ଧସି ରାସ୍ତା ଅବରୋଧ ହେବା ସହ ବହୁ ବଡ ବଡ ଗଛଗୁଡ଼ିକ ମଧ୍ୟ ଭାଙ୍ଗିପଡିଥିଲା। ଲଗାଣ ବର୍ଷାରେ ବିଶେଷକରି ୩୨୬ ଜାତୀୟ ରାଜପଥର କ୍ଷତି ଘଟିଛି। ପୋଟେରୁ ବ୍ରିଜ ମଧ୍ୟ ଗୋଟିଏ ପାଖ ଖାଇଯାଇଥିବା ବେଳେ ଏହି ରାଜପଥରେ ଏକ ବିରାଟ ଘାଇ ସୃଷ୍ଟି ହୋଇ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି।

Advertisment

ତେବେ ବର୍ଷାରେ ମାଲକାନଗିରି ବିମାନବନ୍ଦରର ଅବସ୍ଥା ମଧ୍ୟ ବେହାର ହୋଇପଡ଼ିଛି। ବିମାନବନ୍ଦର ମଧ୍ୟରେ ବିଭିନ୍ନ ସ୍ଥାନରେ କୃତ୍ରିମ ପଖୋରୀ ସୃଷ୍ଟି ହୋଇଛି। ଏପରିକି ଝରଣା ଫୁଟ ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ଫଳରେ ପାଣି ଯାଇନପାରି ପାଚେରୀକୁ ଧକ୍କା ଦେଇଥିଲା। ଫଳରେ ପାଚେରୀ ଭାଙ୍ଗିଯାଇଥିଲା। ପ୍ରାୟ ୨୦ ମିଟର ପାଚେରୀ ଭାଙ୍ଗି ଯାଇଥିବାରୁ ବର୍ଷା ପାଣି ଓ ବାଲି ନିକଟସ୍ଥ ଭୀମା ସୋଡୀଙ୍କ ଜମିରେ ପଶିଥିଲା। ତାଂକର ଦୁଇ ଏକର ଜମିରେ ବାଲି ଚରିଯାଇଛି। ଫଳରେ ଚଳିତ ବର୍ଷ ସେ ବହୁ କ୍ଷତି ସହିବେ ବୋଲି କହିଛନ୍ତି। ତାଂକ ନିକଟରେ ରହିଥିବା ୧୨ ଏକର ଜମିରୁ ୧୦ ଏକର ବିମାନବନ୍ଦର ପାଇଁ ପ୍ରଶାସନ ନେଇଯାଇଥିବା ବେଳେ ମାତ୍ର ଦୁଇ ଏକର ଜମିରେ ଭୀମା ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ।

publive-image

ତେବେ ଚଳିତ ବର୍ଷ ବିମାନବନ୍ଦରରେ ଘାଇ ସୃଷ୍ଟି ହୋଇ ତାଂକର ଜମିକୁ ନଷ୍ଟ କରିଦେଇଥିବା ସେ କହିଥିଲେ। ଏନେଇ ତଦନ୍ତ କରାଯାଇ ତାଂକୁ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ଅନ୍ୟଦିଗରେ ଆଖପାଖ ଅଂଚଳର ଲୋକେ ବିମାନବନ୍ଦର ଭିତରେ ପଶି କୃତ୍ରିମ ପଖୋରୀରୁ ମାଛ ଧରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁ ଭିଡିଓ ଭାଇରାଲ ହେବା ପରେ ମଧ୍ୟ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନନେବା ଚିନ୍ତାଜନକ ବୋଲି କୁହାଯାଇଛି। ବିମାନବନ୍ଦର ଆରମ୍ଭ ହେବା ବେଳକୁ ହିଁ ନିମ୍ନମାନର ପାଚେରୀ ନିର୍ମାଣ ହୋଇଥିବାରୁ ବର୍ଷାରେ ପାଚେରୀ ଢଳିପଡି ଦୁଇ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ଏବେ ପୁଣି ବର୍ଷାରେ ଦୁଇ ଦୁଇ ଥର ପାଚେରୀ ଭାଙ୍ଗି ପଡିବା ଫଳରେ ବିମାନବନ୍ଦରର କାର୍ଯ୍ୟ ଉପରେ ଅଙ୍ଗୁଳି ଉଠିଛି।

ଅତି ତରବରିଆ ଭାବେ ନିର୍ବାଚନ ପୂର୍ବରୁ ବିମାନବନ୍ଦରକୁ ଉଦଘାଟନ କରାଯାଇଥିଲା। ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଜଳ ଜଳ ଦିଶୁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଆଗାମୀ ଦିନରେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଏବଂ ଠିକାଦାରଙ୍କୁ ବ୍ୟାନ ନକଲେ ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ। ୨୫ କୋଟିର ବିମାନବନ୍ଦର ବର୍ଦ୍ଧିତ ହୋଇ ଏବେ ୭୦ କୋଟିରେ ପହଞ୍ଚିଲାଣି। ବିମାନ ବନ୍ଦରରେ ଡ୍ରେନ ବ୍ୟବସ୍ଥା ନଥିବାରୁ ପାହାଡି ପାଣି ଭିତରେ ମଧ୍ୟ ପଶୁଥିବା ବେଳେ ବିମାନବନ୍ଦର ଭିତର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଅତି ତରବରିଆ ଭାବେ ବିମାନବନ୍ଦର ଭିତରେ ଡ୍ରେନର ବ୍ୟବସ୍ଥା କରାଯାଉଛି। କୋଟି କୋଟି ଟଂକା ପାଣିରେ ପଡ଼ିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏହାର ଉଚିତ ତଦନ୍ତ କରାଯିବା ଉଚିତ ବୋଲି ଦାବି ଉଠିଛି। ଏବେ ନୂଆ ସରକାର ବିମାନ ବନ୍ଦରକୁ ନେଇ ମୁହଁ ଖୋଲୁନଥିବା ବେଳେ ଆଗାମୀ ଦିନରେ କି ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା।