ଏନଟିପିସି ଖଣି କର୍ତ୍ତୃପକ୍ଷଙ୍କ ଦୌରାତ୍ମ୍ୟ; ବିସ୍ଥାପିତ ଗାଁ ବେଲଡିହି ପାଣି ଘେରରେ

ଗାଁକୁ ପାଣିରେ ବୁଡ଼ାଇ ବିସ୍ଥାପିତଙ୍କୁ ତଡ଼ିବା ମସୁଧା

ସୁନ୍ଦରଗଡ଼/ହେମଗିର: ସୀମା ଲଂଘିଛି ଏନଟିପିସି ଡୁଲିଙ୍ଗା କୋଇଲା ଖଣିର ଦୌରାତ୍ମ୍ୟ । ଖଣି ବିସ୍ଥାପିତ ଗାଁ ବେଲଡିହିକୁ ପାଣିରେ ବୁଡ଼ାଇ କ୍ଷତିପୂରଣ ଓ ଅନ୍ୟ ସୁବିଧା ଦାବିରେ ଅଟକି ରହିଥିବା ୮ ବିସ୍ଥାପିତ ପରିବାରକୁ ତଡ଼ିବାକୁ ମସୁଧା କରି କମ୍ପାନି ଖଣି ବର୍ଜ୍ୟ ପକାଇ ଗାଁର ଚିରସ୍ରୋତା ନାଳର ଗତିରୋଧ କରି ଦେଇଥିଲା। ଏବେ ଗାଁ ପାଣି ଘେରରେ। ଗୁରୁବାର ରାତିରୁ ପ୍ରବଳ ବର୍ଷା ଯୋଗୁଁ ଏନଟିପିସି ଖଣି ଅଧିକୃତ ଏହି ଗାଁ ପାଖକୁ ମାଡ଼ି ଆସିଛି ପାଣି। ଲଗାଣ ବର୍ଷା ହେଲେ ଗାଁ ବୁଡ଼ିଯିବା ନିଶ୍ଚିତ ବୋଲି ବିସ୍ଥାପିତ ପ୍ରକାଶ କରିଛନ୍ତି।

ବେଲଡିହି ଗାଁର ସମୁଦାୟ ୫୫ଟି ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ୪୭ଟି ପରିବାରକୁ କ୍ଷତିପୂରଣ ଓ ଅନ୍ୟ ସୁବିଧା ଦେଇ ପୁନର୍ବାସ କଲୋନିରେ ଥଇଥାନ କରାଯାଇଛି। କମ୍ପାନି ପକ୍ଷରୁ ସେମାନଙ୍କ ଘର ସବୁ ଭାଙ୍ଗି ଦିଆଗଲାଣି। କିନ୍ତୁ ୮ଟି ପରିବାର କ୍ଷତିପୂରଣ, ଥଇଥାନ ସମସ୍ୟାକୁ ନେଇ ଗାଁ ଛାଡ଼ି ନାହାନ୍ତି। ସାବିତ ରାଉତ, ରକ୍ଷ ପଧାନ, ବଂଶୀଧର ରାଉତ, ଉଷାବତୀ ସାଏ ଆଦି ବିସ୍ଥାପିତ ପରିବାରକୁ ପ୍ରାଶାସନିକ ନିଷ୍ପତ୍ତି ଅନୁଯାୟୀ ଘର ଓ ଅନ୍ୟାନ୍ୟ କ୍ଷତିପୂରଣ ଦେବାକୁ କମ୍ପାନି ବିଳମ୍ବ କରୁଥିବାରୁ ଏମାନେ ନିଜ ଘର ଛାଡ଼ିବାକୁ ଅମଙ୍ଗ। ରୁଦ୍ର ପଧାନ ନାମକ ବିସ୍ଥାପିତଙ୍କ ଘର ଓ ଗଛର ସର୍ଭେ ସରିଥିବା ସତ୍ତ୍ୱେ ସେ ଏଯାଏଁ କ୍ଷତିପୂରଣ ଅର୍ଥ ପାଇନାହାନ୍ତି। ଅନ୍ୟପଟେ ୩ଟି ଭୂମିହୀନ ପରିବାର ଡିଲେଶ୍ବର ଭୋଇ, ଯଶୋବନ୍ତ ନାଏକ ଓ ସଲଦେବ ସାଏକୁ ପୁନର୍ବାସ କଲୋନିରେ ଘର ଦେବାକୁ ପ୍ରାଶାସନିକ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏନଟିପିସି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛି।

ପ୍ରଶାସନର ନିଷ୍ପତ୍ତିକ୍ରମେ ଡୁଲିଙ୍ଗାର କିଛି ଭୂମିହୀନଙ୍କୁ କଲୋନିରେ ପୁନର୍ବାିସ ସୁବିଧା ଦିଆଯାଇଥିବା ବେଳେ ବେଲଡିହିର ଭୂମିହୀନଙ୍କ ପ୍ରତି କମ୍ପାନି ବାଛବିଚାର କରୁଥିବା ଅଭିଯୋଗ ରହିଛି। ଏହା ମଧ୍ୟରେ ଗାଁ ଦେଇ ଯାଇଥିବା ଚିରସ୍ରୋତା ପାହାଡ଼ିଆ ନାଳ ଉପରେ କମ୍ପାନି ବିଶାଳ ଡମ୍ଫିୟାର୍ଡ ଛିଡ଼ା କରିଦେଇଛି। ଗାଁର ତିନି ପାର୍ଶ୍ବରେ ଉଚ୍ଚ ପାହାଡ଼ିଆ ଅଞ୍ଚଳ ଥିବା ଓ ଅନ୍ୟ ପାର୍ଶ୍ବରେ ଥିବା ନାଲା ଅବରୋଧ ହେବା ଫଳରେ ସାମାନ୍ୟ ବର୍ଷାରେ ଗାଁକୁ ବିପଦ ମାଡ଼ି ଆସିବା ନିଶ୍ଚିତ ବୋଲି ଗାଁ ଲୋକେ ପ୍ରକାଶ କରି ଆସୁଥିଲେ। ଏବେ ବର୍ଷାରେ ନାଲା ପାଣି ଅବରୋଧ ହୋଇ ଗାଁ ଏକ ପ୍ରକାର ଜଳବନ୍ଦୀ ହୋଇଥିବା ବେଳେ ଗାଁରେ ରହୁଥିବା ପରିବାର ପାଣି ଘେରରେ ଫସିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଡିଲେଶ୍ବର ଭୋଇ ଓ ରକ୍ଷ ପଧାନଙ୍କ ମାଟି ଘର ପାଖକୁ ଅବରୋଧ ପାଣି ମାଡ଼ି ଆସିଛି। ଗୁରୁବାର ରାତିରୁ ପରିବାର ଲୋକେ ଘର ବୁଡ଼ିଯିବା କିମ୍ବା ପାଣିରେ ମାଟିଘର ଭୁଶୁଡ଼ି ପଡ଼ିବା ଚିନ୍ତାରେ ଶୋଇ ନପାରି ନିଜ ପିଲାଛୁଆ ଓ ଜିନିଷ ପତ୍ର ଧରି ଗାଁ ଗୌନ୍ତିଆ ଘନଶ୍ୟାମ ପଧାନଙ୍କ ଘରେ ଆଶ୍ରୟ ନେଇଛନ୍ତି।

ଅନ୍ୟ ୬ ପରିବାର ମଧ୍ୟ ଘର ବୁଡ଼ିବା ଭୟରେ ଅଛନ୍ତି। ଗାଁ ପୋଖରୀ ଓ ଗ୍ରାମ ଦେବତା (ଦେମୁଳ ଗୁଡ଼ି) ପାଣିରେ ସଂପୂର୍ଣ୍ଣ ବୁଡ଼ି ଯାଇଛି। ସେହିପରି ଗୌନ୍ତିଅଙ୍କ ୫ଟି ଘର ପାଣି ଘେରକୁ ଚାଲିଯାଇଛି। ବିସ୍ଥାପନ ସୁବିଧା, ସୁଯୋଗ ପାଇ ନଥିବା ଏହି ୮ଟି ବିସ୍ଥାପିତ ପରିବାରର କୁନି ଶିଶୁମାନଙ୍କ ସହ ପ୍ରାୟ ୩୫ ଜଣ ସଦସ୍ୟ କମ୍ପାନିକୃତ ଜଳ ଘେରା ବନ୍ଦୀରେ ଫସି ନାନା ଆଶଙ୍କାରେ ଦିନ ବିତାଉଛନ୍ତି। ଅନ୍ୟପଟେ ପାନୀୟ ଜଳ ଉପଯୋଗୀ କୂଅଗୁଡ଼ିକ ମଧ୍ୟ ବୁଡ଼ିଯାଇଥିବାରୁ ଗାଁରେ ପିଇବା ପାଣି ସଙ୍କଟ ଦେଖା ଦେବାର ଆଶଙ୍କା ପ୍ରକାଶ ପାଇଛି। ବିସ୍ଥାପିତ ପରିବାର ଘର, ଗାଁ ଛାଡ଼ି ନଥିବା ବେଳେ ଗାଁକୁ ପାଣି ଘେରରେ ରଖି କମ୍ପାନି ସେମାନଙ୍କ ବଞ୍ଚିବା ଓ ମାନବିକ ଅଧିକାରର ହନନ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏନଟିପିସି ଡୁଲିଙ୍ଗା ଖଣି ପ୍ରକଳ୍ପ ମାନବ ସମ୍ବଳ ରାଜୀବ ଆରୋରାଙ୍କ କହିବା କଥା ହେଲା, ବେଲଡିହିର ୫ ବିସ୍ଥାପିତ ପରିବାରକୁ ପୁନର୍ବାସ କଲୋନିରେ ଘର ଆବଣ୍ଟିତ ହୋଇଛି, କ୍ଷତିପୂରଣ ପ୍ରଦାନ ପାଇଁ ପ୍ରକ୍ରିୟା ଜାରି ଅଛି। କିନ୍ତୁ ଭୂମିହୀନଙ୍କୁ ପୁନର୍ବାସ ସୁବିଧା ଦେବାର କୌଣସି ପ୍ରାବଧାନ ନଥିବା ପ୍ରକାଶ କରିଥିଲେ। କିନ୍ତୁ ନାଲା ଅବରୋଧ ସମ୍ପର୍କରେ କିଛି କହି ନଥିଲେ।

ସମ୍ବନ୍ଧିତ ଖବର