କୁଳିଦା: ଏମିତି ଜଣେ ବୃଦ୍ଧ ଅଛନ୍ତି, ଯିଏ ବଜାରର ଏକାଧିକ ଦୋକାନକୁ ପ୍ରତିଦିନ ଭାରରେ ପାଣି ଯୋଗାଉଛନ୍ତି। ଦିନେ ନୁହେଁ କି ମାସେ ନୁହେଁ, ଦୀର୍ଘ ୪୫ ବର୍ଷ ହେଲା ସେ ଏହି କାମ କରୁଛନ୍ତି। ସରକାରୀ ସାହାଯ୍ୟ ପାଇ ନଥିବା ବେଳେ ପାଣି ଯୋଗାଣରୁ ଯାହା ରୋଜଗାର ଆସୁଛି, ସେଥିରେ ପରିବାର ପ୍ରତିପୋଷଣ ହେଉଛି।

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ନଟାକଟା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଗ୍ରାମର ରାମଚନ୍ଦ୍ର ପାତ୍ର। ବୟସ ୬୫ ବର୍ଷ। ରାମଚନ୍ଦ୍ର ପ୍ରତିଦିନ ସକାଳେ ଓ ସଂଧ୍ୟାରେ ବାହୁଙ୍ଗି ଓ ଦୁଇଟି ଟିଣ ଧରି ଘରୁ ବାହାରି ଯାଆନ୍ତି। ସ୍ଥାନୀୟ କୂଅ କିମ୍ବା ନଳକୂଆରୁ ପାଣି ଆଣି ଅମର୍ଦାରୋଡର ବଜାରର ପାଖାପାଖି ୨୦ରୁ ୨୫ଟି ଦୋକାନୀଙ୍କୁ ପାଣି ଯୋଗାଉଥିଲେ। ତେବେ ବର୍ତ୍ତମାନ ଅସୁସ୍ଥତା କାରଣରୁ ସେ ୧୦ରୁ ୧୫ଟି ଦୋକାନରେ ପାଣି ଦେଇଛନ୍ତି। ରାମଚନ୍ଦ୍ର ଏହି କାମ ଦୀର୍ଘ ୪୫ ବର୍ଷ ହେଲା କରି ଆସୁଛନ୍ତି। ତାଙ୍କର ଜମିବାଡ଼ି ବୋଲି କିଛି ନଥିବା ବେଳେ ପାଣି ଭାର ବିକି ଯାହା ରୋଜଗାର କରନ୍ତି, ସେଥିରେ ପରିବାର ଚଳେ।

ସ୍ଥାନୀୟ ଅଞ୍ଚଳରେ ରାମଚନ୍ଦ୍ର ଏବେ ପାଣି ମଉସା ଭାବେ ପରିଚିତ। ୬୦ ବର୍ଷ ଡେଉଁଥିଲେ ବି ଏଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା କି ଘର; କିଛି ବି ମିଳିନି। ଗତ ବନ୍ୟାରେ ଘରେ ପଣି ପଶିଯିବାରୁ କାନ୍ଥ ଦୁର୍ବଳ ହୋଇଯାଇଥିଲା। ତେଣୁ ଧାରକରଜ କରି ସେ ଘର ମରାମତି କରିଥିବା କହିଛନ୍ତି। ୪୫ ବର୍ଷ ତଳେ ଦୋକାନୀମାନେ ଭାର ପିଛା ୧୦ ପଇସା ଦେଉଥିଲେ। ଏବେ ଭାର ପିଛା ମାତ୍ର ୭ ଟଙ୍କା ଦେଉଛନ୍ତି। ଫଳରେ ରାମଚନ୍ଦ୍ରଙ୍କ ପ୍ରତିଦିନ ୧୫୦ରୁ ୨୦୦ ଟଙ୍କା ରୋଜଗାର ହେଉଛି। ବାକି ସମୟ ସେ ଘରେ ପତର ସିଲେଇ କରି ବିକ୍ରି କରନ୍ତି। ତେବେ ଏପରି ସମୟରେ ପ୍ରଶାସନ ତୁରନ୍ତ ରାମଚନ୍ଦ୍ର ପାତ୍ରଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଘର ଯୋଗାଇଦେବାକୁ ଦୋକାନୀମାନେ ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦାବି କରିଛନ୍ତି।