କେନ୍ଦୁଝର : ଗତକାଲି ଦିନ ୧୨ଟା ବେଳେ ଆନନ୍ଦପୁରରେ ବୈତରଣୀର ବାଲି ଦେଖାଯାଉଥିଲା। ସଂଧ୍ୟା ୫ଟା ପରେ ବୈତରଣୀ ବଢ଼ିବା ସହ ରାତି ୮ଟା ବେଳେ ବିପଦ ସଂକେତ ଅତିକ୍ରମ କଲା। ବୈତରଣୀର ଉପରମୁଣ୍ଡରେ ଅଧିକ ବର୍ଷା ହେଲେ କେନ୍ଦୁଝର, ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଯେଉଁଭଳି ଭାବେ ବନ୍ୟାଦ୍ବାରା ପ୍ରଭାବିତ ହେଉଛି, ତା’ ପଛର ମୁଖ୍ୟ କାରଣ ହେଉଛି ଜଳ ପରିଚାଳନାରେ ଅବ୍ୟବସ୍ଥା! ଜଳ ପରିଚାଳନା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ୩ ଜିଲ୍ଲାର ୮ଟି ବ୍ଲକ୍ର ଲୋକେ ପ୍ରାୟ ପ୍ରତିବର୍ଷ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ହେଲେ, ସରକାରଙ୍କ ତରଫରୁ ବନ୍ୟା ରୋକିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଉନି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ବିଳମ୍ବିତ ରାତି ୩ଟା ବେଳେ ଆନନ୍ଦପୁରରେ ବୈତରଣୀ ଜଳସ୍ତର ସର୍ବାଧିକ ୩୯.୧୨ ମିଟର ଛୁଇଁଥିଲା। ଏଠାରେ ବୈତରଣୀର ବିପଦ ସଂକେତ ୩୮.୩୬ ମିଟର ହୋଇଥିବା ବେଳେ ଆଜି ସଂଧ୍ୟା ୬ଟା ବେଳେ ୩୭.୨୮ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। ସେହିପରି, ଆଖୁଆପଦାରେ ବୈତରଣୀ ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ଘଣ୍ଟାକୁ ଘଣ୍ଟା ଜଳସ୍ତର କମୁଛି। ଆଖୁଆପଦାରେ ଗତକାଲି ରାତି ପ୍ରାୟ ୧୦ଟାରେ ବୈତରଣୀ ବିପଦ ସଂକେତ ଅତିକ୍ରମ କରିଥିଲା। ଏଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଆଜି ସଂଧ୍ୟା ୬ଟା ବେଳେ ୧୮.୯୩ ମିଟର ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବୈତରଣୀ ଜଳକୁ ଅଟକାଇବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ବନ୍ୟା ସୁନିଶ୍ଚିତ।
କେନ୍ଦୁଝରରର ଗୋନାସିକାଠାରୁ ବାହାରିଥିବା ବୈତରଣୀରେ ବିଭିନ୍ନ ସ୍ଥାନରେ ଜିଲ୍ଲାର ୨୫ରୁ ଅଧିକ ଉପନଦୀ ମିଶିଛି। କଙ୍ଗିରା, ମାଛକାନ୍ଦଣା, ଅରଡେଇ, କାନଝାରୀ, ସୀତା, କୁକୁରକଟା, ମୂଷଳ, କୁଶେଇ, ଖଈରିଭଣ୍ଡନ, ଦେଓ, ତେଲ, ସିମିସିମି, ସାଳନ୍ଦୀ, କୁନ୍ଦୁର, ଧୋବାପିଟା, ଟମକାଯୋଡି, ଶଗଡ଼ିଆ, ଚାଟୁରୀ, କଣ୍ଟାମୂଳି, ମେମେର୍ଦା, ଜହ୍ନେଇ, ନେଉଳଜୋରୀ, ମୁହାଁଣ, ସିମିଳି, ତଣ୍ଡିଯୋଡା, ଭାଲୁଘର, ଦଲକି ଭଳି ୨୦ରୁ ଅଧିକ ଉପନଦୀ କାନପୁର ଡ୍ୟାମ ତଳଭାଗରେ ବୈତରଣୀରେ ମିଶିଛି। ଯେଉଁଥିପାଇଁ କାନପୁର ଡ୍ୟାମ୍ ପରବର୍ତ୍ତୀ ଅଞ୍ଚଳରେ ଅଧିକ ବର୍ଷା ହେଲେ ବିଭିନ୍ନ ଉପନଦୀର ବର୍ଷା ପାଣି ବହୁ ପରିମାଣରେ ବୈତରଣୀରେ ମିଶି ତଳମୁଣ୍ଡରେ ବନ୍ୟା ସୃଷ୍ଟି କରିଥାଏ।
ବିଶେଷଜ୍ଞଙ୍କ କହିବା କଥା ହେଉଛି, ବୈତରଣୀରେ ବର୍ଷା ଜଳ ନିୟନ୍ତ୍ରଣ କରି ଛାଡିବା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ତେଣୁ ବର୍ଷାପାଣି ସିଧା ସଳଖ ବୈତରଣୀରେ ମିଶି ତଳମୁଣ୍ଡରେ ଅହରହ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ସେଣ୍ଟ୍ରାଲ ୱାଟର କମିସନଙ୍କ ସୂଚନା ଅନୁସାରେ, କାନପୁର ଡ୍ୟାମ୍ ପାଖ ଚମ୍ପୁଆଠାରେ ବୈତରଣୀ ଜଳସ୍ରୋତ ଅପେକ୍ଷା ଆନନ୍ଦପୁରଠାରେ ବୈତରଣୀର ଜଳସ୍ରୋତ ପାଖାପାଖି ୩୦ଗୁଣ ଅଧିକ । ଚମ୍ପୁଆଠାରେ ୩୭୦ କ୍ୟୁମେକଠାରୁ ଆରମ୍ଭ କରି ସର୍ବାଧିକ ୩୭୬.୧୨୦ କ୍ୟୁମେକ ଜଳ ପ୍ରବାହିତ ହୋଇଥାଏ। ମାତ୍ର ଆନନ୍ଦପୁରଠାରେ ପ୍ରତି ସେକେଣ୍ଡରେ ଏହାର ସର୍ବାଧିକ ପରିମାଣ ହେଉଛି ୧୦୩୯୪ କ୍ୟୁମେକ୍। କାନପୁର ଜଳଭଣ୍ଡାରର କ୍ଷମତା ୩୩ କୋଟି ଘନ ମିଟର ଥିବାବେଳେ ତଳମୁଣ୍ଡରେ ଆନନ୍ଦପୁରଠାରେ ବନ୍ୟା ସମୟରେ ଦୈନିକ ପ୍ରାୟ ୯୦ କୋଟି ଘନ ମିଟର ପାଣି ନିଷ୍କାସନ ହୋଇଥାଏ। ଅର୍ଥାତ୍ ଯେତିକି ପାଣି ନିଷ୍କାସନ ହୁଏ ଅନ୍ତତଃ ଗୋଟିଏ ଦିନର ପାଣି ବି ସଂରକ୍ଷଣ କରି ରଖିବାର କ୍ଷମତା କାନପୁର ଜଳଭଣ୍ଡାରର ନାହିଁ। ତେଣୁ ବୈତରଣୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଏକାଧିକ ଡ୍ୟାମର ଆବଶ୍ୟକତା ରହିଛି।
ସେହିପରି, ଆନନ୍ଦପୁରଠାରେ ବ୍ୟାରେଜ ନିର୍ମାଣ କରାଯାଇ ବାମ କେନାଲ ଓ ଡାହାଣ କେନାଲ ଜରିଆରେ ଚାଷ ଜମିକୁ ପାଣି ଯୋଗାଇବାର ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର, ତାହା ଆଜି ଯାଏ ନିର୍ମାଣ ସରିନାହିଁ। ଏଠାରେ ମଧ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଷାଠିଏ ଦଶକରେ ଭୀମକୁଣ୍ଡଠାରେ ଏକ ଜଳଭଣ୍ଡାର ପାଇଁ ସର୍ଭେ ହୋଇଥିଲା। ଭୀମକୁଣ୍ଡ ଜଳଭଣ୍ଡାର ପ୍ରକଳ୍ପ ହୋଇଥିଲେ ବୈତରଣୀରେ ବଡ଼ବନ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିଥା’ନ୍ତା। ରାଜ୍ୟ ସରକାର ବୈତରଣୀ ବନ୍ୟା ରୋକିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉନଥିବା ବେଳେ ପ୍ରାୟ ପ୍ରତିବର୍ଷ ବନ୍ୟା ବିପନ୍ନଙ୍କୁ ରିଲିଫ ବାଣ୍ଟିବା ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।