ନିମାପଡ଼ା ମହିଳା କଲେଜ ରାସ୍ତାରେ କୃତ୍ରିମ ହ୍ରଦ, ଆଣ୍ଠୁଏ ପାଣିରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଛାତ୍ରୀ

ନିମାପଡ଼ା : ନିମାପଡ଼ା ଏନ୍‌ଏସି ଅଧୀନ ୮ ନଂ ୱାର୍ଡର ମହିଳା କଲେଜ ଛକ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଏହି ରାସ୍ତାରେ ବିଏସ୍‌ଏନ୍‌ଏଲ୍‌ ଅଫିସ, ଗ୍ରାମ୍ୟ ଜଳଯୋଗାଣ, ପରିମଳ କାର୍ଯ୍ୟାଳୟ, ଜୀବନ ବୀମା ନିଗମ ଅଫିସ୍‌, ଇନ୍ଦିରା ଗାନ୍ଧୀ ମହିଳା ଜୁନିୟର ଏବଂ ଡିଗ୍ରୀ କଲେଜ ରହିଛି। ଏହି ରାସ୍ତାରେ ପ୍ରତିଦିନ କଲେଜ ଛାତ୍ରୀଙ୍କ ସହ ଶହ ଶହ କର୍ମଚାରୀ ଅଫିସକୁ ଯାତାୟାତ କରିଥାନ୍ତି। ତେବେ ରାସ୍ତାରେ ପାଣି ଜମି ରହିଥିବାରୁ ଗମନାଗମନ କରିବାରେ ସମସ୍ୟା ଉପୁଜିଛି। ଏପରିକି ଛାତ୍ରୀ, ଅଧ୍ୟାପିକା ଏବଂ ବିଭିନ୍ନ ଅଫିସ୍‌ର କର୍ମଚାରୀମାନେ ପ୍ରତିଦିନ ପାଣିରେ ପଶି ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ସେହିପରି ପାଖରେ ଥିବା ନୂତନ କଲୋନିବାସୀଙ୍କ ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଫଳରେ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକ ପାଣିରେ ପଶି ଯାତାୟାତ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନ୍‌ଏସି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବା ସହ ଏହି ରାସ୍ତାରୁ ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବା ପାଇଁ ମହିଳା କଲେଜର ଛାତ୍ରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର