ଭୁବନେଶ୍ବର: ପାଣି ପଞ୍ଚାୟତଗୁଡ଼ିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜପତ୍ର ଅଡିଟ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପାଣି ପଞ୍ଚାୟତଗୁଡ଼ିକୁ ସଶକ୍ତ କରି ତାହାକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବରମୁଣ୍ଡା ଖେଳପଡ଼ିଆରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପନ ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜଳସେଚନ ଓ କୃଷି ବୈଜ୍ଞାନିକଙ୍କ ଗବେଷଣା ସହିତ ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆଜି ଆମେ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରିପାରୁଛୁ। ଏଥି ପାଇଁ ଚାଷୀର ଜମିକୁ ଜଳଯୋଗାଣ ଆବଶ୍ୟକ। ତେଣୁ ଜଳସେଚନର ସମସ୍ତ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟର କୃଷକମାନଙ୍କ ଜମିକୁ ପାଣି ଯୋଗାଇଦେବା ପାଇଁ ନୂଆ ଫିଲ୍ଡ ଚ୍ୟାନେଲ ନିର୍ମାଣ ସହିତ ପୁରୁଣା ଚ୍ୟାନେଲଗୁଡ଼ିକୁ କଂକ୍ରିଟ୍ ଚ୍ୟାନେଲରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୮୦ ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୨୪୦୦ କିଲୋମିଟର ନୂତନ କଂକ୍ରିଟ୍ କରନାଳୀ ନିର୍ମାଣ କରାଯିବ। ଏହା ସହିତ ୬୨ ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୧୮୬୦ କିଲୋମିଟର ଅତି ପୁରୁଣା ଓ ଜରାଜୀର୍ଣ୍ଣ କ୍ଷେତ୍ରନାଳୀକୁ କଂକ୍ରିଟ ନାଳୀରେ ପରିଣତ କରାଯିବ। ଜଳର ସୁବ୍ୟବହାର, ଜଳ ବଣ୍ଟନରେ ସମତା ଓ ଚାଷୀର ଜମିକୁ ପର୍ଯ୍ୟାପ୍ତ ଜଳସେଚନର ବ୍ୟବସ୍ଥା ସୁନିଶ୍ଚିତ କରିବା ଆମର ପ୍ରାଥମିକତା। ଏ ଦିଗରେ ପାଣି ପଞ୍ଚାୟତର ବଡ଼ ଭୂମିକା ରହିଛି। ରାଜ୍ୟରେ ବର୍ତ୍ତମାନ ୩୯ ହଜାର ରୁ ଅଧିକ ପାଣି ପଞ୍ଚାୟତ ଜଳ ପରିଚାଳନାର ନେତୃତ୍ୱ ନେଉଛନ୍ତି। ଏହା ଦ୍ୱାରା ଜଳ ପରିଚାଳନାରେ ସମସ୍ତଙ୍କର ସହଭାଗିତା ରହିପାରୁଛି ଓ ଜଳର ଅପଚୟ ମଧ୍ୟ ରୋକା ଯାଇପାରୁଛି। 

 ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପିତ
ସମସ୍ତ ଜଳସେଚନ ପ୍ରକଳ୍ପ ଯୁଦ୍ଧକାଳୀନ ଭିତ୍ତିରେ ‌ସରିବ

ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟରେ ଜଳସମ୍ପଦର ବିକାଶ ପାଇଁ ଚଳିତ ବର୍ଷର ବଜେଟରେ ୧୩,୨୨୩ କୋଟିରୁ ଅଧିକ ଟଙ୍କା ପ୍ରାବଧାନ କରାଯାଇଛି। ଚଳିତ ବଜେଟରେ ନୟାଗଡ଼ ଜିଲ୍ଲାରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ, ଗଞ୍ଜାମ ଜିଲ୍ଲାର ପିପଳପଙ୍କ ପ୍ରକଳ୍ପ, ବଲାଙ୍ଗୀର ଜିଲ୍ଲାର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ସମାକୋଇ ବ୍ୟାରେଜ ପ୍ରକଳ୍ପ, ବରଗଡ଼ ଜିଲ୍ଲାରେ ୩ଟି ଓ ନୂଆପଡ଼ା ଜିଲ୍ଲାର ୭ଟି ଉଠାଜଳସେଚନ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାରେ ୩ଟି ଓ ନୂଆପଡ଼ା ଜିଲ୍ଲାରେ ୨ଟି ଏମ.ଆଇ.ପି., କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୩୫୯ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଏବଂ ୧୧,୮୮୬ ଗଭୀର ନଳକୂପ ପ୍ରକଳ୍ପ ଆରମ୍ଭ କରିବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। 

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ ଯେ, ଓଡ଼ିଶା ସରକାର ଚାଷୀମାନଙ୍କ ସହ ଅଛନ୍ତି ଏବଂ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରୁଛନ୍ତି। ଚାଷୀମାନଙ୍କ ଉତ୍ପାଦନ ପାଇଁ ମାର୍କେଟ ଲିଂକେଜ୍ ଦେବା ନିମନ୍ତେ ବ୍ୟବସ୍ଥା ମଧ୍ୟ କରାଯାଉଛି। ସମସ୍ତେ ପାଣିର ଉଚିତ ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ।  ଉନ୍ନୟନ କମିସନର ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ଓ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଅଭିଭାଷଣ ରଖିଥିଲେ। ଏହି ଅବସରରେ ଢେଙ୍କାନାଳର ଗୋଟିଏ ପାଣି ପଞ୍ଚାୟତର ମହିଳା ଚାଷୀ ସସ୍ମିତା ନାୟକ ଓ କେନ୍ଦୁଝର ଜିଲ୍ଲା ପାଣି ପଞ୍ଚାୟତର ଚାଷୀ ବଗଲ ଚରଣ ବ୍ରହ୍ମା ପାଣି ପଞ୍ଚାୟତର ସଫଳତା ବିଷୟରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ ସେଚ ସହଭାଗିତା ୩.୦ ନାମକ ଏକ କଫିଟେବଲ୍ ବହିର ଉନ୍ମୋଚନ କରିଥିଲେ।