ଅଞ୍ଜନ ପ୍ରଧାନ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ରାଜନୀତିକ ପାଣିପାଗରେ ଉଷ୍ଣତା ବଢ଼ିବାରେ ଲାଗିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ନେତା ଓ କର୍ମୀ ନୂଆ ନୂଆ ପ୍ରସଙ୍ଗ ଧରି ଲୋକଙ୍କ ସାମ୍ନାକୁ ଆସୁଛନ୍ତି। ଏହି କ୍ରମରେ ବଲାଙ୍ଗୀର ନିର୍ବାଚନମଣ୍ଡଳୀରେ ଇତିମଧ୍ୟରେ ‘ଜଳ ରାଜନୀତି’ ଶୀର୍ଷ ସ୍ତରରେ ପହଞ୍ଚିଛି। ଏଠାକାର ଦୁଇଟି ଚର୍ଚ୍ଚିତ ପ୍ରକଳ୍ପ ହେଲା କରଙ୍ଗାକଟା ଏବଂ ଲକ୍ଷ୍ମୀଯୋରର ପୁନରୁଦ୍ଧାର। ସମ୍ପୂର୍ଣ୍ଣ ବିକୃତ ହୋଇସାରିଥିବା କରଙ୍ଗାକଟାକୁ ୨୦୧୪ ପୂର୍ବରୁ ନୂଆ ରୂପ ଦେବାକୁ ଅନଙ୍ଗ ଉଦୟ ସିଂହଦେଓ ଏବଂ ପରେ କଳିକେଶ ନାରାୟଣ ସିଂହଦେଓ ଉଦ୍ୟମ କରିଥିଲେ। ନିଜ ନିଜ ନିର୍ବାଚନ ଲଢ଼ିବା ବେଳେ ଏହି ପୁରାତନ ଜଳାଶୟରେ ପରିବର୍ତ୍ତନ ଘଟିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଆଧାରରେ ୨୦୧୦ ରୁ୨୦୧୩ ମସିହା ଭିତରେ ପୌର ପରିଷଦ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। କରଙ୍ଗାକଟାରେ ସୌନ୍ଦର୍ଯ୍ୟୀକରଣ କାମ ହାତକୁ ନିଆଗଲା। ଜଳାଶୟ ଚାରିପଟେ ଗାଲିଚା, ଆଲୋକୀକରଣ ବ୍ୟବସ୍ଥା ହେଲା। ୪ଟି ଇଞ୍ଜିନ ବୋଟ୍‌ ଆଣି ପକାଇ ରଖାଗଲା। ଏବେ ବୋଟ୍‌ ଅଦୃଶ୍ୟ। ଚାରିଆଡ଼େ କେବଳ ଅନାବନା ଘାସ ଓ ଦଳପଙ୍କ ଭରିରହିଛି। କେବଳ ଏତିକି ନୁହଁ, କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସାଂସଦ ଅନୁଦାନ ପାଣ୍ଠି ଅର୍ଥରେ କାମ ହୋଇଥିଲା।ଏକ ବଡ଼ ଅର୍ଥରାଶି ଖର୍ଚ୍ଚ ହୋଇଥିଲେ ହେଁ, ନେତାଙ୍କ ଏହି ସ୍ବପ୍ନର ପ୍ରକଳ୍ପ ଦିଗହରା ହୋଇଯାଇଛି। ଅନଙ୍ଗ ଓ କଳିକେଶଙ୍କ ଏହି ପ୍ରକଳ୍ପର ବିଫଳତାକୁ କଂଗ୍ରେସ ଅସ୍ତ୍ର କରି ନିର୍ବାଚନୀ ଗୋଟିଚାଳନା ଆରମ୍ଭ କରିଛି। ଲୋକଙ୍କ ଆଗରେ ନେତା ଏହି ପ୍ରକଳ୍ପର ବିଫଳତା ପାଇଁ ଉଭୟ ଅନଙ୍ଗ ଓ କଳିକେଶଙ୍କ ଆଡ଼କୁ ଆଙ୍ଗୁଠି ଉଠାଉଛନ୍ତି।

Advertisment

ଅନ୍ୟପଟରେ ବିଜେଡି ଆଉ ଗୋଟିଏ ପ୍ରସଙ୍ଗ ଧରି କଂଗ୍ରେସକୁ ଘେରିବାକୁ ଉଦ୍ୟମ କରୁଛି। ବଲାଙ୍ଗୀର ସହରରେ ପ୍ରବାହିତ ପ୍ରାକୃତିକ ନାଳା ଲକ୍ଷ୍ମୀଯୋରକୁ ଅସ୍ତ୍ର କରିଛି ବିଜେଡି। ଏହି ପ୍ରକଳ୍ପ ମଧ୍ୟ ବଲାଙ୍ଗୀର ଦୁଃଖର କାରଣ ହୋଇଛି। ଏଠାରେ ସ୍ମରଣଥାଉକି, ୨୦୧୪ରେ ବଲାଙ୍ଗୀର ରାଜନୀତିର କାୟା ବଦଳିଲା। ୨୫ ବର୍ଷ ପରେ ବିଜେଡିର ପୁରୁଖା ନେତା ଅନଙ୍ଗ ଉଦୟ ସିଂହଦେଓଙ୍କୁ ପରାସ୍ତ କରି କଂଗ୍ରେସର ଅଭିଜ୍ଞ ନେତା ନରସିଂହ ମିଶ୍ର ବିଧାୟକ ନିର୍ବାଚିତ ହେଲେ। ଲକ୍ଷ୍ମୀଯୋରର କାୟା ବଦଳାଇ ବ୍ୟାଙ୍କକ୍‌ର ସୁନ୍ଦର କେନାଲ୍‌ ଭଳି ରୂପ ଦେବାକୁ ଅଣ୍ଟା ଭିଡ଼ିଥିଲେ। ପାଖାପାଖି ୨୦ କୋଟି ଟଙ୍କା ବ୍ୟୟରେ ଲକ୍ଷ୍ମୀଯୋରର ଉଭୟ ପଟେ କଂକ୍ରିଟ ବାଡ଼ ଓ ଚେକ୍‌ଡ୍ୟାମ ନିର୍ମାଣ ହେଲା। ବର୍ଷତମାମ ଏଥିରେ ସ୍ବଚ୍ଛ ପାଣି ରହିବ ଏବଂ ବୋଟିଂ ସୁବିଧା ହେବ ବୋଲି କୁହାଗଲା। କିନ୍ତୁ ଲକ୍ଷ୍ମୀଯୋରର ସୌନ୍ଦର୍ଯୀକରଣ କାମକୁ ହିଁ ପରେ ବନ୍ୟା ପାଇଁ ଦାୟୀ କରାଗଲା। ଏବେ ଲକ୍ଷ୍ମୀଯୋର ତାର ସତ୍ତା ହରାଇ ସାରିଛି। ବିଭିନ୍ନ ସ୍ଥାନରେ ଗାର୍ଡୱାଲ ପୋତି ହୋଇଗଲାଣି। ଏହି ପ୍ରାକୃତିକ ନାଳ ବର୍ତ୍ତମାନ ଡ୍ରେନ୍‌ରେ ପରିଣତ ହୋଇଛି। ଲକ୍ଷ୍ମୀଯୋରର ଏହି ଅବସ୍ଥା ପାଇଁ ଗଡ଼ବଡ଼ ମାଷ୍ଟର୍‌ପ୍ଲାନ୍‌ ଦାୟୀ ବୋଲି ବିଜେଡି କହୁଛି। କେବଳ ସେତିକି ନୁହେଁ, କଂଗ୍ରେସକୁ ଏହି ବିଫଳତା ଲାଗି ଦାୟୀ କରିବାକୁ ମଧ୍ୟ ଦଳୀୟ ନେତା ପଛାଉନାହାନ୍ତି।