ଜଳ ଘରୋଇକରଣ ଏକ ଭୟଙ୍କର ବ୍ୟବସ୍ଥା: ରାଜେନ୍ଦ୍ର ସିଂହ

ଭୁବନେଶ୍ବର: ନଦୀ ଜଳ କୌଣସି କମ୍ପାନିର ନୁହେଁ। କୌଣସି ନଦୀ ଜଳ ଉପରେ ପ୍ରଥମେ ସ୍ଥାନୀୟ ଅଧିବାସୀମାନଙ୍କର ଅଧିକାର ରହିଆସିଛି। ପରେ ଅନ୍ୟ ଲୋକଙ୍କର ଓ ଏହା ପରେ ଯାଇ ବଳକା ହେଲେ ନଦୀ ଜଳ କମ୍ପାନି ପାଇଁ ବ୍ୟବହାର ହୋଇପାରିବ। ତେଣୁ ଲୋକଙ୍କୁ ସେହି ଅଧିକାରରୁ ବଞ୍ଚିତ କରି ସରକାର କମ୍ପାନିକୁ ନଦୀ ଜଳ ଯୋଗାଇବା ବଡ଼ ଭୟଙ୍କର ବ୍ୟବସ୍ଥା। ଏହା ସମ୍ବିଧାନ ବିରୋଧୀ। ଭଦ୍ରକକୁ ଖରସ୍ରୋତା ନଦୀ ଜଳ ଯୋଗାଣ ବିରୋଧରେ କେନ୍ଦ୍ରାପଡ଼ାରେ ଚାଲିଥିବା ଗଣ ଆନ୍ଦୋଳନକୁ ସମର୍ଥନ ଦେବାକୁ ଆସିଥିବା ଜଳ ମାନବ ଡ. ରାଜେନ୍ଦ୍ର ସିଂହ ଆଜି ଏଭଳି କହିଛନ୍ତି।

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ଭାରତରେ ନଦୀ ଜଳର ଘରୋଇକରଣ ହୋଇପାରିବ ନାହିଁ। ଏହାକୁ ସାମାଜିକକରଣ କରାଯିବା ପାଇଁ ବିଧେୟ। ନଦୀ ଜଳ ଘରୋଇକରଣ ହେବା ଦ୍ବାରା ସାଧାରଣ ଜନତାଙ୍କର ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ ହୋଇଥାଏ। ଏହା ଭାରତୀୟ ସାମ୍ବିଧାନିକ ଅଧିକାରର ବିରୋଧାଭାସ ଅଟେ। ଦ୍ବିତୀୟ କଥା ହେଉଛି ପାଣି ବ୍ୟବସାୟର ଜିନିଷ ନୁହେଁ, ଏହା ଲୋକମାନଙ୍କର ଜୀବନ। ତେଣୁ ଏହାକୁ ପ୍ରଥମେ ସାଧାରଣ ଜନତାଙ୍କ ପାଇଁ ସଂରକ୍ଷିତ ରଖିବା ଉଚିତ। ‘ଖରସ୍ରୋତା ବଞ୍ଚାଅ’ ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ସେ ଆସିଥିବା କହିଥିଲେ। ଆନ୍ଦୋଳନ ଏତେ ଦିନ ଧରି ଚାଲି ଆସୁଥିଲେ ବି ସରକାର ଏହାକୁ ଗୁରୁତ୍ବ ଦେଉନଥିବା ବଡ଼ ପରିତାପର କଥା। ଖରସ୍ରୋତା ପାଣି କୌଣସି କମ୍ପାନିର ନୁହେଁ, ଏହା ବସ୍ତୁତଃ ଲୋକଙ୍କର।

ଏହି ପାଣି ଲୋକଙ୍କୁ ନଦେଇ କୌଣସି କମ୍ପାନିକୁ ଦେବା ଘୋର ଅନ୍ୟାୟ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଏହି ପ୍ରସ୍ତାବରୁ ନ ଓହରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ଖରସ୍ରୋତା ନଦୀ ଯେଉଁ ଜିଲ୍ଲାରେ ବହୁଛି, ସେହି ଜିଲ୍ଲାର ଲୋକମାନଙ୍କର ଏହି ଜଳ ଉପରେ ପ୍ରଥମ ଅଧିକାର ରହିଛି। ପରେ ଅନ୍ୟମାନଙ୍କ ଅଧିକାର ରହିଛି। ସରକାର ଏହି ନଦୀ ଜଳକୁ କମ୍ପାନିକୁ ନଦେଇ ଦୁଇ ଜିଲ୍ଲା ମଧ୍ୟରେ ବଣ୍ଟନ କରିବା ପାଇଁ ସେ ଦାବି କରିଛନ୍ତି। କମ୍ୟୁନିଟି ଡ୍ରାଇଭେନ୍‌ ଡିସେଣ୍ଟ୍ରାଲାଇଜ୍‌ଡ ୱାଟର୍‌ ମ୍ୟାନେଜ୍‌ମେଣ୍ଟ କାମ ଜରିଆରେ ସରକାର ଏହା କରନ୍ତୁ ବୋଲି ସେ ଦାବି ରଖିଥିଲେ।

ସମ୍ବନ୍ଧିତ ଖବର