ଟମକା: ଦାନଗଦି ବ୍ଲକ୍ ଗୋବର୍ଦ୍ଧନପୁର ପଞ୍ଚାୟତବାସୀ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପ୍ରତିକାର ନହେବାରୁ ନିରୂପାୟ ହୋଇ ମହିଳାମାନେ ଆଜି ବସୁଧା ପାନୀୟଜଳ ପ୍ରକଳ୍ପ ପମ୍ପ ହାଉସରେ ତାଲା ପକାଇ ଦେଇଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Advertisment

ପ୍ରକାଶ ଥାଉକି ଦାନଗଦି ବ୍ଲକ୍‌ରେ ବୃହତ୍ ପାନୀୟ ଜଳ ପ୍ରକଳ୍ପରୁ ପାଣି ଏବେ ସୁଦ୍ଧା ଗାଁ ଗହଳିରେ ପହଞ୍ଚି ପାରିନାହିଁ। ଅନେକ ପଞ୍ଚାୟତରେ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। କେଉଁଠି କାମ ୩୦ ପ୍ରତିଶତ ହୋଇଛି ତ ଆଉ କେଇଁଠି ପାଇପ ସଂଯୋଗ କାମ ମଧ୍ୟ ଆରମ୍ଭ ହୋଇନାହିଁ। ବ୍ଲକ୍‌ର ୭୧ଟି ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ହୋଇପାରିନାହିଁ। ଅନ୍ୟ ପକ୍ଷରେ ଭୂତଳ ଜଳସ୍ତର ହ୍ରାସ କାରଣରୁ ନଳକୂପଗୁଡିକରୁ ପାଣି ବାହାରୁ ନାହିଁ। ଗାଁଗୁଡ଼ିକରେ ଜଳ ସଙ୍କଟ ଦେଖାଦେଇଛି। ୨୦୧୯ ମସିହାରେ ଗୋବର୍ଦ୍ଧନପୁର ପଞ୍ଚାୟତରେ ବସୁଧା ଯୋଜନା ଜରିଆରେ ଗୋବର୍ଦ୍ଧନପୁର, ଜେମଦେଇପୁର, ମାନପୁର ନୂଆସାହି, ଅଲେଖପୁର ଏବଂ ମାନପୁର ପୁରୁଣା ସାହିକୁ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରଖାଯାଇଥିଲା।

ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ମାନପୁର ପୁରୁଣା ସାହି, ଗୋବର୍ଦ୍ଧନପୁର ବଜାର, ମେଡିକାଲ ସାହି ଲୋକେ ଆଦୌ ପାଣି ପାଉନଥିବା ଅଭିଯୋଗ କରିଛନ୍ତି।  ନିମ୍ନମାନର କାମ ଯୋଗୁଁ ପାଇପ, ଟ୍ୟାପ୍, ଭାଲବ ଆଦି ଅଳ୍ପଦିନ ଭିତରେ ଖରାପ ହୋଇଯାଇଛି। ବାରମ୍ଵାର ଅଭିଯୋଗ ସତ୍ତ୍ୱେ କୌଣସି ସ୍ଥାୟୀ ପ୍ରତିକାର ନହେବାରୁ ଗୋବର୍ଦ୍ଧନପୁର ହରିଜନ ସାହିର ଲୋକେ ଓଭରହେଡ ଟାଙ୍କି ନିକଟ ପମ୍ପ ହାଉସ୍‌ରେ ଆଜି ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଆସନ୍ତା ୨୪ ତାରିଖରେ ଦାନଗଦିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏ ସମ୍ପର୍କରେ ଅଭିଯୋଗ କରିବେ ବୋଲି ରେଣୁବାଳା ପାତ୍ର, ଚଞ୍ଚଳା ପାତ୍ର, ସଙ୍ଗୀତା ପାତ୍ର, ପାଞ୍ଚାଳି ପାତ୍ର, ଦେବକୀ ପାତ୍ର, ସବିତାପାତ୍ର, ଜୟନ୍ତୀ ପାତ୍ର, ଭାନୁମତୀ ପାତ୍ର, ଲିଳାବତୀ ପାତ୍ର, ଜାନୀ ପାତ୍ର, ସାବିତ୍ରୀ ପାତ୍ର, ଟୁରୀ ପାତ୍ର, ଗୋଲେଖ ପାତ୍ର, ଦିଲ୍ଲୀପ କୁମାର ପାତ୍ର ପ୍ରମୁଖ କହିଛନ୍ତି।