ସଂକଟ ବେଳେ ଜଳ ଅଛୁଆଁ! ଜାତିଭେଦ ପାଇଁ ନନ୍ଦପୁର, ବ୍ରହ୍ମପୁରରେ କୃତ୍ରିମ ଜଳକଷ୍ଟ

ପମ୍ପ ହାଉସ୍‌ରେ ମହିଳା ଦେଲେ ତାଲା, ଗରା ବାଲ୍ଟି ଧରି ଦେଲେ ଧାରଣା

ଅନୁଗୁଳ: ଗତ କିଛିଦିନ ହେଲା ଜଳଯୋଗାଣ ବନ୍ଦ। ଟ୍ୟାପ୍‌କୁ ଆସୁନି ପାଣି। ନଳକୂପରୁ ମେଣ୍ଟୁନି ଶୋଷ। ଅନୁଗୁଳ ବ୍ଲକ୍‌ ନନ୍ଦପୁର ଗାଁରେ ଘନେଇଛି ଜଳ ସଂକଟ। ଯାହାର ପ୍ରତିବାଦରେ ଗତକାଲି ଗାଁ ମହିଳାମାନେ ପମ୍ପ୍‌ ହାଉସ୍‌ରେ ତାଲା ଠୁଙ୍କିଥିଲେ। ଆଜି ଅପରାହ୍ଣରେ କରତପଟା-ଅନୁଗୁଳ ରାସ୍ତାରେ ଗରା, ବାଲଟି ଧରି ଧାରଣା ଦେଇଛନ୍ତି। ସମସ୍ୟାର ତ୍ବରିତ ସମାଧାନ ପାଇଁ ଗାଁ ମହିଳାମାନେ ଦାବି କରିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗ୍ରୀଷ୍ମ ପ୍ରବାହରେ ଏ ଯେଉଁ ଜଳ ସଂକଟ ଉପୁଜିଛି ତା’ର କାରଣ ଜଳର ଅଭାବୀ ସ୍ଥିତି ନୁହେଁ, ବରଂ ଅଛୁଆଁ ନୀତି। ଜଳଯୋଗାଣ ପାଇଁ ଗାଁରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ ତିଆରି ହୋଇଛି। ଗୋଟିଏ ଟାଙ୍କି ହରିଜନ ସାହି ନିକଟରେ ତିଆରି କରାଯାଇଥିବାରୁ ଲୋକେ ସେଥିରୁ ଜଳ ଗ୍ରହଣ କରୁ ନାହାନ୍ତି। ଅନ୍ୟ ଗୋଟିଏ ଟାଙ୍କି ଉପରେ ଦୁଇଟି ଗାଁ ନିର୍ଭର କରୁଥିବାରୁ ଏ ପ୍ରକାର ସଂକଟ ସ୍ଥିତି ଉପୁଜିଛି ବୋଲି ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରଶ୍ମିତା ବରାଳ ‘ସମ୍ବାଦ’କୁ କହିଛନ୍ତି।

ଯନ୍ତ୍ରୀ ଶ୍ରୀମତି ବରାଳଙ୍କ କହିବା ମୁତାବକ, ପାନୀୟ ଜଳଯୋଗାଣ ପାଇଁ ନନ୍ଦପୁର ପଞ୍ଚାୟତରେ ଜଳଯୋଗାଣ ପ୍ରକଳ୍ପ କରାଯାଇଛି। ଯେହେତୁ, ନନ୍ଦପୁର ଏବଂ ବ୍ରହ୍ମପୁର ଗାଁ ଲୋକେ ପାଇପ୍‌ ପାଣି ଉପରେ ନିର୍ଭର କରୁଥିଲେ ତେଣୁ ନନ୍ଦପୁରରେ ଦୁଇଟି ପାଣି ଟାଙ୍କି ତିଆରି କରାଯାଇଛି। ଗୋଟିଏ ନନ୍ଦପୁର ପ୍ରାଇମେରୀ ସ୍କୁଲ ପାଖରେ କରାଯାଇଥିବା ବେଳେ ଅନ୍ୟଟି ନନ୍ଦପୁର ହରିଜନ ବସ୍ତି ପାଖରେ କରାଯାଇଥିଲା। ପ୍ରତ୍ୟେକଟି ଟାଙ୍କି ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ଥିଲା। ହରିଜନ ବସ୍ତି ନିକଟରେ ଗୋଟିଏ ବୋରିଂ ଏବଂ ଗୋଟିଏ ଖୋଲାକୂଅ ଖୋଳା ଯାଇ ସ୍ଥାନୀୟ ଟାଙ୍କିରେ ପାଣି ଭର୍ତ୍ତି କରାଯାଉଥିଲା। କିଛି ଦିନ ଲୋକେ ପାଣି ସେଠାରୁ ନେଲେ। ମଝି‌ରେ ସେ ପ୍ରକଳ୍ପରୁ କିଛି ଦିନ ଗୋଳିଆ ପାଣି ବାହାରିଲା। ତା’ ପରେ ଗୋଳିଆ ପାଣି ସ୍ଥିତି ସୁଧୁରିଗଲା। କିନ୍ତୁ, ଯେହେତୁ ହରିଜନ ବସ୍ତି ନିକଟରେ ଟାଙ୍କି ତିଆରି ହୋଇଛି ଏବଂ ଖୋଲାକୂଅ କରାଯାଇଛି ତେଣୁ ଲୋକେ ସେ ଟାଙ୍କିରୁ ପାଣି ନେବାକୁ ରୋକ୍‌ଠୋକ୍‌ ମନା କରି ଦେଇଛନ୍ତି। ଯାହାର ଫଳ ସ୍ବରୂପ, ଅବଶିଷ୍ଟ ଗୋଟିଏ ଟାଙ୍କି ଉପରେ ଉଭୟ ନନ୍ଦପୁର ଏବଂ ବ୍ରହ୍ମପୁର ଗାଁ ଲୋକେ ନିର୍ଭର କରୁଛନ୍ତି। ଲୋକଙ୍କୁ ପର୍ଯ୍ୟାପ୍ତ ପାଣି ମିଳି ପାରୁନି ବୋଲି ସରପଞ୍ଚ ଅନିତା ପ୍ରଧାନଙ୍କ ସ୍ବାମୀ ଜୟନ୍ତ ପ୍ରଧାନ ‘ସମ୍ବାଦ’କୁ କହିଛନ୍ତି।

ସେହି ଗୋଟିଏ ଟାଙ୍କିରୁ ଉଭୟ ନନ୍ଦପୁର ଏବଂ ବ୍ରହ୍ମପୁର ଗାଁକୁ ଭାଗବାଣ୍ଟି ପାଣି ଦେଉଛୁ। ନନ୍ଦପୁର ଗାଁ ପାଇଁ ପ୍ରାୟ ତିନି ଘଣ୍ଟା କାଳ ଜଳଯୋଗାଣ ହେଉଥିବା ବେଳେ ବ୍ରହ୍ମପୁରକୁ ପ୍ରାୟ ଦେଢ଼ ଘଣ୍ଟା ଜଳଯୋଗାଣ କରାଯାଉଛି। ତଥାପି ଜଳ ସଂକଟ ରହୁଛି। କୌଣସି କାରଣରୁ ଶନିବାର ପାଣି ପମ୍ପ ଚଲା ଯାଇ ପାରିନଥିଲା। ତେଣୁ, ମହିଳାମାନେ ଶନିବାର ପମ୍ପ ହାଉସ୍‌ରେ ତାଲା ପକାଇଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଜଳ ସମସ୍ୟାର ସମାଧାନ ପାଇଁ ଆହୁରି ଦୁଇଟି ନୂଆ ବୋରିଂ ଖୋଳାଯାଇଛି। ସେଥିରେ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ ବୋଲି ଜଳଯୋଗାଣ ଆରମ୍ଭ ହୋଇପାରୁ ନାହିଁ। ନୂଆ ବୋରିଂ ଦୁଇଟି କାର୍ଯ୍ୟକ୍ଷମ ହୋଇଗଲେ ଉଭୟ ଗାଁର ଜଳାଭାବ ଦୂର ହୋଇଯିବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକଟ କରିଛନ୍ତି।

ଜାତିପ୍ରଥାକୁ ନେଇ ଗୋଟିଏ ଟାଙ୍କିକୁ ପୂରା ଅଛୁଆଁ କରିବା ଘଟଣା ସମାଜରେ ଥିବା କୁତ୍ସିତ ଜାତିପ୍ରଥାକୁ ଇଙ୍ଗିତ କରୁଛି। ଏହି ମନୋଭାବ ପାଇଁ ଲୋକେ କେବଳ ପ୍ରାକୃତିକ ଜଳ ସଂକଟ ଭୋଗୁ ନାହାନ୍ତି, ବରଂ ପ୍ରାୟ ୧୫/୧୬ଲକ୍ଷ ଟଙ୍କାର ଏକ ଜଳ ପ୍ରକଳ୍ପକୁ ବି ଅଚଳ କରି ଦିଆଯାଇଛି।

ସମ୍ବନ୍ଧିତ ଖବର