ବଲାଙ୍ଗୀରରେ ପାଣି ସମସ୍ୟା: ସମାଧାନ ପାଇଁ ଅଣ୍ଟା ଭିଡ଼ିଲେ ପୌର କର୍ତ୍ତୃପକ୍ଷ

ବଲାଙ୍ଗୀର: ବଲାଙ୍ଗୀର ନୂତନ ପୌରାଧ୍ୟକ୍ଷା ଲିକା ସାହୁ ଓ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଶନିବାର ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଶିବତଲା ନିକଟ ବୁଦେଲମୁଣ୍ଡା ପିଇବା ପାଣି ପ୍ରକଳ୍ପ ସ୍ଥଳ ବୁଲି ଦେଖିଛନ୍ତି। କେମିତି ବଲାଙ୍ଗୀରକୁ ପାଣି ଆସୁଛି ଓ କଣ ସବୁ ସମସ୍ୟା ରହୁଛି ତାହା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବା ପରେ ଯାହା ସବୁ ସମସ୍ୟା ରହିଛି ତାହାର ସମାଧାନ କେମିତି ହୋଇପାରିବ ସେ ଦିଗରେ ପଦକ୍ଷେପ ନେବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ବିଶେଷ କରି ପମ୍ପହାଉସଗୁଡ଼ିକରେ ଜେନେରେଟର ସ୍ଥାପନ କରିବା, ବନ୍ଦ ପଡ଼ିଥିବା ନନ୍ଦନମାଲ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବେ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି।

ବଲାଙ୍ଗୀର ସହରରେ ପିଇବା ପାଣି ସମସ୍ୟା ବହୁ ଦିନରୁ ଲାଗି ରହିଛି। ପ୍ରଥମେ ସୋନପୁର ନନ୍ଦନମାଲରୁ ପାଣି ବଲାଙ୍ଗୀର ସହରକୁ ଆସୁଥିଲା। ହେଲେ ଗତ କିଛିବର୍ଷ ହେଲା ତରଭା ନିକଟ ବୁଦେଲମୁଣ୍ଡା ତେଲ ନଦୀ ପ୍ରକଳ୍ପରୁ ପାଣି ସହରକୁ ଆସୁଛି। ପାଣି ସମସ୍ୟାର ପୂର୍ବ ତୁଳନାରେ କିଛିଟା ସମାଧାନ ହୋଇଥିଲେ ବି ବିଦ୍ୟୁତ୍‌ ବିଭ୍ରାଟ ହେଲେ ସମସ୍ୟା ହୋଇଥାଏ। ଆଉ ଏବେ ବିଦ୍ୟୁତ୍‌ ବିଭ୍ରାଟ ବିଭିନ୍ନ ସମୟରେ ହେଉଛି। ବଲାଙ୍ଗୀର ସହରର ପଡ଼ା ପଡ଼ାରେ ପିଇବା ପାଣି ସମସ୍ୟାକୁ ନେଇ ଅଭିଯୋଗ। କିଛି ଦିନ ତଳେ ନୂତନ ପୌରାଧ୍ୟକ୍ଷା ଲିକା ସାହୁ ସମୀକ୍ଷା ବୈଠକ କରିଥିଲେ।

ପିଇବା ପାଣି ସମସ୍ୟା ନେଇ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଉ ଏବେ ସେ ନିଜେ ପରିଦର୍ଶନ କରି ସବିଶେଷ ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ବୁଦେଲମୁଣ୍ଡା ତେଲନଦୀରେ ନୂଆ ପ୍ରକଳ୍ପ ଶୁଭାରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ। ସେହି ସମୟରେ ପୂର୍ବରୁ ଥିବା ନନ୍ଦନମାଲ ପ୍ରକଳ୍ପ ଷ୍ଟାଣ୍ଡବାଇ ହୋଇ ରହିବ ବୋଲି କୁହାଯାଇଥିଲା। କିନ୍ତୁ ନନ୍ଦନମାଲ ପ୍ରକଳ୍ପକୁ ବନ୍ଦ କରି ଦିଆଗଲା। ଏବେ ଏକମାତ୍ର ପ୍ରକଳ୍ପ ଚାଲୁଛି। ଏହାରି ଭିତରେ ବାରବାର ବିଦ୍ୟୁତ୍‌ କାଟ ସହରକୁ ପାଣି ଯୋଗାଣରେ ସମସ୍ୟା କରୁଛି। ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ବି ଜେନେରେଟର ସବୁ ପମ୍ପ ହାଉସରେ ସ୍ଥାପନ ହେଲେ ପିଇବା ପାଣି ସମସ୍ୟା ଆଉ କିଛିଟା ସୁଧାର ହୋଇପାରିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର