ପିଇବା ପାଣି ପାଇଁ ଡହଳବିକଳ; ଗରା ମୁଣ୍ଡାଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବାଲେଶ୍ବର: ପିଇବା ପାଣି ସୁବିଧା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସଦର ବ୍ଲକ ପରିଖି ପଞ୍ଚାୟତର ଲୁଣାପାହି ଅଞ୍ଚଳବାସୀ ଗରା ମୁଣ୍ଡାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଶନ୍ଧି ଦଶନ୍ଧି ଧରି ଗୋଟିଏ ନଳକୂଅ ଉପରେ ନିର୍ଭର କରୁଥିବା ଲୁଣାପାହିର ୫୦ରୁ ଊର୍ଦ୍ଧ୍ବ ପରିବାର ପାଣି ପାଇଁ ଦହଗଞ୍ଜ ହେଉଛନ୍ତି। ସହରଠୁ ମାତ୍ର ୨୦ କିମି ଦୂରରେ ଥିବା ଏହି ଅଞ୍ଚଳବାସୀଙ୍କ ପାଖରେ ଆଜିଯାଏଁ ମୌଳିକ ସୁବିଧା ପହଞ୍ଚିନାହିଁ। ଅଞ୍ଚଳକୁ ଭଲ ରାସ୍ତା କି ପିଇବା ପାଣିର ସୁବିଧା ନଥିବାରୁ ବାରମ୍ବାର ଏନେଇ ଅଭିଯୋଗ କରିଆସୁଛନ୍ତି। ହେଲେ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁଦିନ ଆହୁରି ହଇରାଣ ହେଉଛନ୍ତି ଅଞ୍ଚଳବାସୀ। ଅଞ୍ଚଳରେ ଥିବା ଗୋଟିଏ ନଳକୂଅ ଖରାପ ହେଲେ ୨ କିମି ପାଖାପାଖି ଯାଇ ପାଣି ଆଣୁଛନ୍ତି। ସମସ୍ୟା ସଂପର୍କରେ ଜିଲ୍ଲାପ୍ରଶାସନଠୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚ, ବିଧାୟକଙ୍କୁ ଅଞ୍ଚଳବାସୀ ଜଣାଯାଇଥିଲେ ବି କିଛି ସୁଫଳ ମିଳିନଥିଲା। ଫଳରେ ବାଧ୍ୟ ହୋଇ ଏଭଳି ପଦ‌କ୍ଷେପ ଗ୍ରହଣ କରିଥିବା ଜଣାଯାଇଛି।

ସମାଜସେବୀ ବିକ୍ରମ ପଣ୍ଡାଙ୍କ ନେତୃତ୍ବରେ ଆଜି ପରିଖି ଅଞ୍ଚଳର ମହିଳା ଓ ପୁରୁଷ ମୁଣ୍ଡରେ ଗରା ମୁଣ୍ଡାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଯଥାଶୀଘ୍ର ଗ୍ରାମରେ ପିଇବା ପାଣିର ସୁବିଧା କରିବାକୁ ଦାବି କରିଥିଲେ। ପରେ ଏନେଇ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ସମାଜସେବୀ ଶ୍ରୀ ପଣ୍ଡାଙ୍କ ସହିତ ସୁଶାନ୍ତ ରଣା, ମନୋଜ କୁମାର ନାଏକ, ଏସ୍‌କେ ଆରଫାନ୍‌, ଗୌରହରି ଗିରି, ବାବୁ ଗିରି, ଶିବନାରାୟଣ ସୋରେନ୍‌, କାଞ୍ଚନବାଳା ଗିରି, ବାସନ୍ତୀ ମାଝୀ, ସୁକାନ୍ତି ମହାନ୍ତ, ପଦ୍ମିନୀ ଦାସ, ସୁକୁଲ ମାଝୀ, ବେଲମଣି ମୁର୍ମୁ, ସୀତା ମାରାଣ୍ଡି, ମାଳତି ହେମ୍ବ୍ରମ୍‌, ଗଙ୍ଗା କିସ୍କୁ, ସୀତା ମୁର୍ମୁ, ସାଲଗେ ହାଁସଦା, ସାଲଖମଣୀ ମାଝୀ, ଦେବୀ ମାଝୀ, ସୋମବ‌ାରୀ ମୁର୍ମୁ, ମାଣିକ ମୁର୍ମୁ, ନିନାରାଣୀ ଗିରି, ମୁନା ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଦତ୍ତା‌ତ୍ରୟ ଭାଉସାହେବ ଶିନ୍ଦେ ଅଞ୍ଚଳବାସୀଙ୍କୁ ଖୁବ୍‌ଶୀଘ୍ର ପିଇବା ପାଣିର ବ୍ୟବସ୍ଥା କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର