ବଣ୍ଡାଘାଟିରେ ଉତ୍କଟ ଜଳ ସମସ୍ୟା; ଘାଟିର ଅର୍ଦ୍ଧାଧିକ ଗ୍ରାମରେ ନାହିଁ ପାଣିର ଉତ୍ସ

ମାଲକାନଗିରି: ଟାଣ ଖରା ସାଂଗକୁ ମାଲକାନଗିରି ବଣ୍ଡାଘାଟିରେ ଉତ୍କଟ ହୋଇପଡିଛି ପାଣି ସମସ୍ୟା। ଚୁଆ ପାଣି ଟିକକ ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ। ତାହା ପୁଣି ଜଂଗଲ ପାହାଡିଆ ରାସ୍ତାରେ। ବଣ୍ଡାଘାଟିର ଗାଁଗୁଡିକରେ ନଳକୂପଗୁଡିକ ଭଙ୍ଗା ଦଦରା ଭାବେ ପଡି ରହିଥିବା ବେଳେ ସୋଲାର ଜଳଯୋଗାଣ ଓ ସ୍ପ୍ରିଂ ବେସ ଜଳଯୋଗାଣ ପାଲଟିଛି ପ୍ରହସନ। ମଣିଷ ହେଉ ବା ପଶୁପକ୍ଷୀ ସମସ୍ତଙ୍କ ଭରଷା ସେହି ଗଳିଆ ଚୁଆ ପାଣି। ଘାଟିରେ ଖରା ହେଉ ବା ବର୍ଷା, ସବୁବେଳେ ଲାଗି ରହିଛି ପାନୀୟ ଜଳ ସମସ୍ୟା। ଦୂଷିତ ପାଣି ପିଇ ରୋଗ ବ୍ୟାଧିରେ ପଡି ବେଳେ ବେଳେ ଜୀବନ ହରାଉଛନ୍ତି ଆଦିମ ଜନଜାତି। ବାରମ୍ବାର ଗୁହାରି ପରେ ମଧ୍ୟ ଶୁଣୁନାହିଁ ପ୍ରଶାସନ।

ସ୍ଥାନୀୟ ବିଡିଓ ପାନୀୟ ଜଳ ସମସ୍ୟା କଥା ସ୍ବୀକାର କରିଥିବା ବେଳେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଥିବା ଓ ଯୋଗାଯୋଗ ବାଧକ ସାଜୁଥିବା କହିଛନ୍ତି ବିଡିଓ। କାହିଁ କେଉଁ କାଳରୁ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅତର୍ଗତ ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡା ବସବାସ କରୁଛନ୍ତି। ବଣ୍ଡାମାନଙ୍କର ରାତି ପାହିଲେ ପାନୀୟ ଜଳ ପାଇଁ ଚିନ୍ତା ବଢିଥାଏ। ଖରା ହେଉ କି ବର୍ଷା ରାତି ପାହିଲେ ପ୍ରଥମେ ଚିନ୍ତା କରିବାକୁ ପଡେ ପାନୀୟ ଜଳ ଟୋପାଏ ପାଇଁ ।

ମୁଦୁଲିପଡା ପଞ୍ଚାୟତର କିରସାନିପଡା ଗାଁର ଦୃଶ୍ୟ ବୟାନ କରୁଛି ଯେ କିପରି ଘାଟିରେ ଜଳ ସଂକଟ ଦିନକୁ ଦିନ ଉଗ୍ର ହେଉଛି। ଏହି ଗାଁରେ ଗୋଟିଏ ନଳକୂପ ଭଙ୍ଗା ଦଦରା ଅବସ୍ଥାରେ ପଡିଥିବା ବେଳେ ଚୁଆ ପାଣି ଏମାନଙ୍କର ଭରଷା।ଚୁଆ ପାଣି ଟିକକ ଆଣିବାକୁ ଯିବାକୁ ପଡେ ତିନି କିଲୋମିଟର । ତାହା ପୁଣି ପାହାଡ ଜଂଗଲ ରାସ୍ତା ଦେଇ। ଏହି ଚୁଆ ପାଣି କେବଳ ଯେ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ତାହା ନୁହେଁ । ଏହାକୁ ଗାଧୋଇବା ସହ ଅନ୍ୟ କାମରେ ମଧ୍ୟ ଏହି ପାଣି ହିଁ ଭରସା। କିରସାନିପଡା ସହ ପିଣ୍ଡାଡଂଗର, ଭୋଗର ପଡା ଓ କିଚପଡା ଭଳି ଚାରୋଟି ଗ୍ରାମରେ ଚୁଆ ପାଣିର ଦୁର୍ଦଶାର ଚିତ୍ର ଦେଖିବା ସହ ଘାଟିରେ ରହିଥିବା ୩୨ଟି ଗ୍ରାମ ମଧ୍ୟରୁ ୧୨ରୁ ୧୫ଟି ଗାଁରେ ଏଭଳି ପାନୀୟ ଜଳ ସମସ୍ୟା ଥିବା ଜଣାପଡିଛି।

ସବୁଠି ନଳକୂପ ଭାଙ୍ଗି ପଡିଥିବା ବେଳେ ଭାଗ୍ୟକୁ ଆଦରି ଦୂଷିତ ଚୁଆ ପାଣିକୁ ବଣ୍ଡା ମହିଳାମାନେ ଚୁଆରୁ ଛାଣି ନେଉଥିବାର ଦେଖିବାକୁ ମିଳିଥିଲା। ଏପରିକି ବୃଦ୍ଧାମାନେ ପାଣି ଟିକକ ନେବା ବେଳେ ଗାଁ ଠାରୁ ଦୁର ହୋଇଥିବା ବାଟରେ ବିଶ୍ରାମ ନେଇ ନେଇ ଘରେ ପହଞ୍ଚାନ୍ତି ପିଇବା ପାଣି। ଦିନବେଳେ ପାଣି ନଆଣି ପାରିଲେ, ରାତିରେ ରହେ ଜଂଗଲି ଜନ୍ତୁଙ୍କ ଭୟ।ବର୍ଷ ବର୍ଷ ଧରି ଏହି ଆଦିମ ବଣ୍ଡା ଜନଜାତି ପାଣି ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରଶାସନ କିନ୍ତୁ ସବୁ ଜାଣି ନିରବ।ବଣ୍ଜାଘାଟିରେ ୨ଟି ପଞ୍ଚାୟତ ରହିଥିବା ବେଳେ ମୋଟ ୩୨ଟି ଗାଁ ରହିଛି।କିନ୍ତୁ ୧୨ରୁ ୧୫ ଗ୍ରାମରେ ଏଭଳି ଭାବରେ ପାନୀୟ ଜଳ ପାଇଁ ଘାଣ୍ଟି ହେଉଛନ୍ତି ବଣ୍ଡା ଜନଜାତି।ଏହି କଥାକୁ ଖଇରପୁଟ ବିଡିଓ ସ୍ବୀକାର କରିଥିବା ବେଳେ ପାନୀୟ ଜଳପାଇଁ ଗତବର୍ଷ କିଛି ଗ୍ରାମରେ ନଳକୂପ ଖନନ କରାଯାଇଛି। ଅଧିକ ନଳକୂପ ପାଇଁ ପ୍ରୋପଜାଲ ରଖାଯାଇଥିବା ବେଳେ ଗାଁକୁ ସଠିକ ଯୋଗାଯୋଗ ନଥିବାରୁ ସମସ୍ୟା ହେଉଛି। ଖିୁବଶୀଘ୍ର ପାନୀୟ ଜଳ ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ।ବଣ୍ଡା ଜନଜାତି ପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ଯୋଜନା ସରକାର କରୁଥିବା ବେଳେ ବାସ୍ତବରେ କେତେ ପହଞ୍ଚିଛି ସରକାରୀ ଯୋଜନା ବଣ୍ଡାଘାଟିର ଚିତ୍ର ହିଁ ବୟାନ କରୁଛି।ତେଣୁ ପ୍ରଶାସନ ଖୁବଶୀଘ୍ର ଏହା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।

 

ସମ୍ବନ୍ଧିତ ଖବର