ବ୍ରହ୍ମପୁର: ଉପକୂଳ ଜିଲ୍ଲାଗୁଡ଼ିକୁ ବିଶୁଦ୍ଧ ମିଠା ପାଣି ଯୋଗାଣକୁ ରାଜ୍ୟ ସରକାର ଫୋକସ୍ କରିଛନ୍ତି। ଏଥିପାଇଁ ଗଞ୍ଜାମ ଓ ପୁରୀ ଜିଲ୍ଲା ପାଇଁ ୨୦୩.୪୬ କୋଟି ଟଙ୍କାର ଏକ ମେଗା ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର କରା ଯାଇଥିଲା। ୨୦୧୯ ମାର୍ଚ୍ଚ ମାସରୁ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା କାମ ସରି ନାହିଁ। ଫଳରେ ଉଭୟ ଜିଲ୍ଲାର ୧୪୭ ଗ୍ରାମବାସୀ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରିତାରେ ଅନ୍ତରାୟ ସାଜିଲା କରୋନା। ଫଳରେ କାମ ସମାପ୍ତ ହେବାରେ ବର୍ଷେ ବିଳମ୍ବ ହୋଇଥିବା, ତଥାପି କାମ ଅଧୁରା ଥିବା ବିଭାଗୀୟ ଅଧିକାରୀ କହିଛନ୍ତି। କାମ ସମାପ୍ତ କରିବା ପାଇଁ ଠିକା ନେଇଥିବା ସଂସ୍ଥାକୁ ଅଧିକ ୧ବର୍ଷ ବର୍ଦ୍ଧିତ ଅବଧି ଦିଆଯାଇଥିଲା। ଡେଡ୍ଲାଇନ୍ ସରିବାକୁ ଆଉ ମାତ୍ର ୨ମାସ ବାକି ରହିଛି। ୨ମାସ ମଧ୍ୟରେ ପ୍ରକଳ୍ପ କାମ ସମାପ୍ତ କରିବାକୁ ଉଦ୍ୟମ ଜାରି ରହିଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।
ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଓ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ର ଅଧିକାଂଶ ଗାଁରେ ବିଶୁଦ୍ଧ ପାନୀୟ ଜଳ ମିଳୁ ନାହିଁ। ଏହି ଦୁଇଟି ବ୍ଲକ୍ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବାରୁ ଗ୍ରାମବାସୀ ଲୁଣି ପାଣି ବ୍ୟବହାର କରୁଛନ୍ତି। ଯାହାଦ୍ବାରା ସେମାନେ ନାନା ରୋଗରେ ପଡ଼ି ହଇରାଣ ହେଉଛନ୍ତି। ଖରାଦିନରେ ପାଣି ଟୋପାଏ ପାଇବା ପାଇଁ ଉଭୟ ବ୍ଲକ୍ର ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ୨୦୧୮ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଉଭୟ ବ୍ଲକ୍କୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଶିଳାନ୍ୟାସ କରିଥିଲେ। ଋଷିକୁଲ୍ୟା ନଦୀରୁ ପାଣି ସଂଗ୍ରହ କରି ଓଭର୍ହେଡ୍ ଟାଙ୍କରୁ ପାଇପ୍ ଜରିଆରେ ଗଞ୍ଜାମ ବ୍ଲକ୍ର ୫୫ଟି ଗାଁ ଓ କୃଷ୍ଣପ୍ରସାଦ ବ୍ଲକ୍ର ୯୨ଟି ଗାଁକୁ ଜଳ ଯୋଗାଣ ଯୋଜନା ରହିଥିଲା। ୨୦୧୯ ମାର୍ଚ୍ଚ ମାସରେ ହାଇଦ୍ରାବାଦର ଜିଭିପିଆର୍ ଇଂଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥା କାମ ଆରମ୍ଭ କରିଥିଲା।
୨୦୨୨ ଜୁନ୍ ମାସ ସୁଦ୍ଧା ପ୍ରକଳ୍ପ କାମ ସମାପ୍ତ କରିବା ପାଇଁ ଡେଡ୍ଲାଇନ୍ ଧାର୍ଯ୍ୟ କରାଯାଇଥିଲା। ହେଲେ ୨୦୨୦ରେ ଦେଖା ଦେଇଥିବା କରୋନା ମହାମାରୀ ଯୋଗୁଁ କାମ ବନ୍ଦ ହୋଇ ଯାଇଥିଲା। କରୋନା ଯୋଗୁଁ ଜାରି ହୋଇଥିବା କଟକଣା ପାଇଁ ପ୍ରକଳ୍ପ କାମ ନିମନ୍ତେ ପାଇପ୍ ଓ ଅନ୍ୟ ସାମଗ୍ରୀ ପରିବହନ ସମ୍ଭବ ହୋଇପାରି ନଥିଲା। ଦୀର୍ଘଦିନ ଧରି କାମ ବନ୍ଦ ହୋଇ ଯାଇଥିଲା। ଏଣୁ ସମ୍ପୃକ୍ତ ସଂସ୍ଥା କାମ ସମାପ୍ତ କରିବା ପାଇଁ ଆଉ ୧ବର୍ଷ ସମୟ ମାଗିଥିଲା। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଅଧିକ ୧ବର୍ଷ ଅନୁମତି ପ୍ରଦାନ କରାଯାଇଛି। ଆସନ୍ତା ଜୁନ୍ ଶେଷ ସୁଦ୍ଧା ପ୍ରକଳ୍ପ କାମ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ବାସ୍ତରେ କାମ ସମାପ୍ତ ହେବା ନେଇ ସାଧାରଣରେ ଦ୍ବନ୍ଦ୍ବ ଦେଖା ଦେଇଛି। ପାଣି ନମିଳିବା ସହିତ ପ୍ରକଳ୍ପର କାମକୁ ନେଇ ଗତ କିଛିଦିନ ତଳେ ଗଞ୍ଜାମ ବ୍ଲକ୍ର ବିଭିନ୍ନ ଗ୍ରାମବାସୀ ପୂର୍ବତନ ଉପବାଚସ୍ପତି ତଥା କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ଶ୍ରୀ ପଣ୍ଡା ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ଗ୍ରାମବାସୀଙ୍କ ଏହି ସମସ୍ୟାକୁ ନେଇ ବ୍ରହ୍ମପୁର ସହରର ମାନବାଧିକାର କର୍ମୀ ରବୀନ୍ଦ୍ର କୁମାର ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପିଟିସନ୍ ରୁଜୁ କରିଥିଲେ। ଏହି ପିଟିସନ୍କୁ ଆଧାର କରି ବିଭାଗୀୟ ଅଧିକାରୀ ତାଙ୍କର ଉତ୍ତର ରଖିଛନ୍ତି। ପ୍ରକଳ୍ପ କାମ ସମାପ୍ତ କରିବା ପାଇଁ ଆଉ ଦୁଇମାସ ସମୟ ରହିଛି। ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଆସନ୍ତା ଜୁନ୍ ମାସ ସୁଦ୍ଧା ପ୍ରକଳ୍ପ କାମ ସମାପ୍ତ ହୋଇଯିବ। ଗତ ୩ମାସ ହେଲା ଗଞ୍ଜାମ ବ୍ଲକ୍ର ମଲାଡ଼ ପଞ୍ଚାୟତ ଅଧୀନରେ ଥିବା ୭ଟି ଗାଁକୁ ଜଳ ଯୋଗାଣ ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି।