ଟ୍ୟାପ୍ ଖୋଲିଲେ ବାହାରୁଛି ଗୋଳିଆ ପାଣି

ବ୍ରହ୍ମପୁର: ଟ୍ୟାପ୍ ଖୋଲିଲେ ବାହାରୁଛି ଗୋଳିଆ ପାଣି । ଦିନେ କି ଦୁଇ ଦିନ ନୁହେଁ ୧୫ଦିନ ହେଲା ଏଭଳି ଗୋଳିଆ ପାଣି ସହରବାସୀଙ୍କୁ ଯୋଗାଣ ହେଉଛି। ଅନ୍ୟ କୌଣସି ବିକଳ୍ପ ପନ୍ଥା ନଥିବାରୁ ଲୋକେ ରୋଷେଇ ବାସ ଏବଂ ପାନୀୟ ଜଳ ପାଇଁ ଏହି ଗୋଳିଆ ପାଣିକୁ ସଂଗ୍ରହ କରୁଛନ୍ତି। ପରେ ଗୋଳିଆ ପାଣିକୁ ଛାଣିବା ସହ ଫୁଟାଇ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଗୋଇଲୁଣ୍ଡି, ଶାନ୍ତିନଗର, ବାବାଜୀତୋଟା ସାହି ଭଳି ବିଭିନ୍ନ ଅଂଚଳବାସୀ ଏହି ସମସ୍ୟାରେ ଧନ୍ଧି ହେବା ସହ ଜନସ୍ବାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ଏଥିନେଇ ଅବଗତ ରହିଥିଲେ ହେଁ ଏହାର ସମାଧାନ କରିବା ବଦଳରେ ଅଚିନ୍ତାରେ ରହିଛି। ବିଭାଗର ଏଭଳି ନିରବତାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ମୁତାବକ, ଜାନିବିଲି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ ସହରର ଦୈନିକ ପାନୀୟ ଜଳ ଆବଶ୍ୟକତା ୫୪ଏମ୍‌ଏଲ୍‌ଡି ଥିଲା। ଦକ୍ଷିଣପୁର ଘାଇ ଏବଂ କାଳଆବାଲିରୁ ସହରକୁ ମୋଟ ୪୯ଏମ୍‌ଏଲ୍‌ଡି ଜଳଯୋଗାଣ ହୋଇ ପାରୁଥିଲା। ଫଳରେ ସହରରେ ଅଧିକାଂଶ ସମୟ ପାନୀୟ ସଂକଟ ଲାଗିରହୁଥିଲା। ଏହାମଧ୍ୟରେ ସହରର ପାନୀୟ ଜଳ ଆବଶ୍ୟକତା ୬୫ଏମ୍‌ଏଲ୍‌ଡିକୁ ବୃଦ୍ଧି ପାଇଛି। ଜାନିବିଲି ପ୍ରକଳ୍ପ ଯୋଗୁଁ ଏହି ଆବଶ୍ୟକତା ପୂରଣ କରିବାରେ ସମସ୍ୟା ହେଉନାହିଁ। ଏବେ ସହରକୁ ଦୈନିକ ୭୦ଏମ୍‌ଏଲ୍‌ଡି ଜଳ ଯୋଗାଣ ହେଉଥିବା ବେଳେ କେବଳ ଜାନିବିଲି ପ୍ରକଳ୍ପରେ ୪୬ଏମ୍‌ଏଲ୍‌ଡି ଜଳ ଯୋଗାଣ ହେଉଛି।

ତେବେ ଏହି ପ୍ରକଳ୍ପରେ ଜାନିବିଲି ଆନିକଟ୍ରୁ‌ ଆସୁଥିବା ଜଳକୁ ଦକ୍ଷିଣପୁର ଏବଂ ଜଗଦଲପୁର ଠାରେ ଡବ୍ଲୁଟିପି (ୱାଟର୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ଦ୍ବାରା ବିଶୋଧନ କରାଯାଉଛି। ଏହାପରେ ବିଶୋଧିତ ଜଳକୁ ସହରର ବିଭିନ୍ନ ଅଂଚଳକୁ ପାଇପ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଛି। ବିଶୋଧନ ପ୍ରକ୍ରିୟାରେ କିଛି ସମସ୍ୟା ଯୋଗୁଁ ଏଭଳି ଗୋଳିଆ ପାଣି କିଛି ଅଂଚଳକୁ ଆସୁଥିବା ଅନୁମାନ କରାଯାଉଛି। ଜଳ ବିଶୋଧନ ପାଇଁ (ଡବ୍ଲୁଟିପି)ପ୍ଲାଣ୍ଟରେ ଥିବା ଫିଲ୍ଟର୍‌ ବେଳ୍ଟ ଗୁଡ଼ିକ ନିୟମିତ ବ୍ୟବଧାନରେ ସଫା କରାଯିବାର ଆବଶ୍ୟକତା ରହିଛି। ଏଥିରେ ଅବହେଳା ଯୋଗୁଁ କେତେକ ବେଲ୍ଟ ସଫା ନହୋଇ ଏଭଳି ଗୋଳିଆ ପାଣି ଆସୁଥିବା ଜଣେ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

ଏସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଯନ୍ତ୍ରୀ ସୀତାରାମ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ବିଶୋଧନ ବେଳେ ଫିଟିକିରି ମାତ୍ରା କମ୍‌ ହୋଇ ଯାଉଥିବାରୁ ଏଭଳି କିଛି ଅଂଚଳକୁ ଗୋଳିଆ ପାଣି ଆସୁଛି। ଏନେଇ ସେ ଦାୟିତ୍ବରେ ଥିବା ବିଭାଗୀୟ କର୍ମକର୍ତ୍ତାଙ୍କୁ ତାଗିଦ୍ କରିଛନ୍ତି। ଆସନ୍ତାକାଲି ଠାରୁ ଏହି ସମସ୍ୟା ଦୂର ହୋଇଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର