ଜଗନ୍ନାଥଖୁଣ୍ଟା ଗ୍ରାମରେ ଜଳ ସଂକଟ ଉତ୍କଟ ହେଲାଣି

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ କଳାବାଡ଼ିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟା ଗ୍ରାମରେ ଜଳ ସଂକଟ ଉତ୍କଟ ହେଲାଣି। ପଞ୍ଚାୟତର ମୋଟ ୧୩ଟି ଵାର୍ଡ ମଧ୍ୟରୁ ୫ ନମ୍ବର ଵାର୍ଡ ଜଗନ୍ନାଥଖୁଣ୍ଟାରେ ୧୫୦୦ରୁ ଅଧିକ ଲୋକ ରହନ୍ତି। ସରକାରୀ କାଗଜକଲମ କହୁଛି; ଗ୍ରାମରେ ୭ଟି ନଳକୂଅ ଅଛି। ହେଲେ ୩ଟିରୁ ପାନୀୟ ଉପଯୋଗୀ ପାଣି ବାହାରୁଛି। ଅନ୍ୟ ୪ଟି ନଳକୂଅରୁ ଲୌହ ଅଂଶ ମିଶା ପାଣି ବାହାରୁ ଥିବାରୁ ବ୍ୟବହାର ଉପଯୋଗୀ ହେଉନାହିଁ। ତେଣୁ ଅନେକ ଲୋକ ବାଧ୍ୟ ହୋଇ ଗାଁ’ରେ ଥିବା ଏକ ପରିତ୍ୟକ୍ତ କୂଅର ପାଣି ପିଇବା ପାଇଁ ବ୍ୟବହାର କରୁଛନ୍ତି। ଯାହାଫଳରେ ଝାଡ଼ାବାନ୍ତି ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ କାର୍ଯ୍ୟକ୍ଷମ ଥିବା ୩ଟି ନଳକୂଅ ମଧ୍ୟରୁ ଗୋଟିଏ ନଳକୂଅ ଉପରେ ୭୦ରୁ ଊର୍ଦ୍ଧ୍ବ ପରିବାର ନିର୍ଭର କରିଥା’ନ୍ତି।

ହେଲେ ଦୁଃଖ ଓ ପରିତାପର ବିଷୟ ଅଧଘଣ୍ଟା ଧରି ହ୍ୟାଣ୍ଡେଲ୍‌ ହଲାଇଲେ ନଳକୂଅରୁ ମାତ୍ର ବାଲ୍‌ଟିଏ ପାଣି ବାହାରୁଛି। ଯେଉଁଥି ପାଇଁ ଏଠାରେ ପାଣି ନେବା ପାଇଁ ଲମ୍ବା ଲାଇନ୍‌ ଲାଗୁଛି। ଅଧିକାରୀମାନେ କହନ୍ତି ଏହି ନଳକୂପଟି ମଧ୍ୟ ରେକର୍ଡପତ୍ରରେ ବ୍ୟବହାର ଉପଯୋଗୀ ହୋଇ ନାହିଁ ବୋଲି ଉଲ୍ଲେଖ ରହିଛି। ଗାଁ’ର ପାଣି ସମସ୍ୟା ନେଇ ବିଭିନ୍ନ ସମୟରେ ପଞ୍ଚାୟତ ଠାରୁ ବ୍ଲକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ; ସବୁଠି ଅଭିଯୋଗ କରାଯାଇଛି। ଗାଁ’ରୁ ଜଣେ ବ୍ୟକ୍ତି ୪ ଥର ସରପଞ୍ଚ ହେଲେଣି। ହେଲେ ବର୍ଷ ବର୍ଷ ବିତିଯାଉଥିଲେ ବି କିଛି ଫଳ ମିଳୁନି।

ଅଧିକାଂଶ ଗ୍ରାମରେ ସ୍ବଜଳଧାରା ଯୋଜନାରେ ପାଣି ଯୋଗାଯାଉଛି। କିନ୍ତୁ ଜଗନ୍ନାଥଖୁଣ୍ଟା ଗ୍ରାମ ପ୍ରତି କାହିଁକି ପ୍ରାଶାସନିକ ଅଧିକାରୀ ବୈମାତୃକ ମନୋଭାବ ରଖୁଛନ୍ତି, ତାକୁ ନେଇ ସାଗର ମିଶ୍ର, ସୁଶାନ୍ତ ପାଣି, ମନୋଜ ମିଶ୍ର, ବିରଞ୍ଚିନାରାୟଣ ହୋତା, ହାଡ଼ିବନ୍ଧୁ ମିଶ୍ର, ବିବେକ କୁମାର ହୋତା, ପ୍ରଦୀପ ସେନାପତି, ବାଉରୀ ସିଂ, କହ୍ଲୁ ସିଂ, ଭୀମ ଷଡ଼ଙ୍ଗୀ, କାକୁଲା ସେନାପତି, ସୁବ୍ରତ କୁମାର ହୋତା ପ୍ରମୁଖ ପ୍ରଶ୍ନ କରିଛନ୍ତି। ଏହା ସହିତ ପାଣି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି ଉଠାଇଛନ୍ତି। ଏନେଇ ସରପଞ୍ଚ ମିତା ନାଏକଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ସ୍ବଜଳଧାରା ଯୋଜନାରେ ଗ୍ରାମବାସୀଙ୍କୁ ଖୁବ୍‌ଶୀଘ୍ର ପାଣି ମିଳିବ ‌େବାଲି କହିଛନ୍ତି।

ସମ୍ବନ୍ଧିତ ଖବର