ଖୋର୍ଦ୍ଧା ଜିଲ୍ଳାର ୩୦ ପ୍ରତିଶତ ବିଦ୍ୟାଳୟରେ ପାଇପ ପାଣିର ବ୍ୟବସ୍ଥା ନାହିଁ

ଖୋର୍ଦ୍ଧା: ୫-ଟି ଯୋଜନାରେ ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକ ରୂପାନ୍ତରୀକରଣର ତୃତୀୟ ପର୍ଯ୍ୟାୟ ଚାଲିଛି । ଉନ୍ନତ ଶ୍ରେଣୀ ପ୍ରକୋଷ୍ଠ, ପାଠାଗାର, ଖେଳପଡ଼ିଆ ଆଦି ନିର୍ମାଣ କରାଯାଉଛି, କିନ୍ତୁ ବିଦ୍ୟାଳୟର ସର୍ବନିମ୍ନ ଆବଶ୍ୟକତା ପାନୀୟ ଜଳ ପାଇପ ଯୋଗେ ମିଳିପାରୁନଥିବା ବେଳେ, ଜିଲ୍ଲାର ୩୦ ପ୍ରତିଶତ ବିଦ୍ୟାଳୟରେ ଉପଲବ୍ଧ ନଥିବା ବେଳେ ମାତ୍ର ୨୦ ପ୍ରତିଶତ ବିଦ୍ୟାଳୟର ପାନୀୟ ଜଳକୁ ନିୟମିତ ଭାବେ ପରୀକ୍ଷା କରାଯାଉଛି। ରାଜ୍ୟର ମୋଟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ୫୩,୯୯୭ ସ୍କୁଲ ମଧ୍ୟରୁ ୩୬,୯୧୬ଟି ସ୍କୁଲରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ରହିଛି, ଅର୍ଥାତ୍ ମୋଟ ସ୍କୁଲର ୬୮.୭୩ ପ୍ରତିଶତ ସ୍କୁଲର ଛାତ୍ରଛାତ୍ରୀ ବିଶୁଦ୍ଧ ପାଇପଜଳ ପାଉଛନ୍ତି ।

ରାଜ୍ୟ ରାଜଧାନୀ ଖୋର୍ଦ୍ଧା ଜିଲ୍ଲାରେ, ଏହି ବର୍ଗର ୧୧୮୧ ସ୍କୁଲ ମଧ୍ୟରୁ ୮୨୬ ସ୍କୁଲରେ ଏହି ବ୍ୟବସ୍ଥା ରହିଛି, ଅର୍ଥାତ୍ ମୋଟର ସ୍କୁଲର ୬୯.୯୪ ପ୍ରତିଶତ ସ୍କୁଲରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ରାଜ୍ୟ ହାର ଠାରୁ ଜିଲ୍ଲାର ହାର ପ୍ରାୟ ୧ ପ୍ରତିଶତ ଅଧିକ ରହିଥିଲେ ମଧ୍ୟ ଢେଙ୍କାନାଳ (୧୦୦%), ଅନୁଗୁଳ (୯୯.୦୧%), ବଲାଙ୍ଗୀର (୧୦୦%), ଗଂଜାମ (୧୦୦%), ବୌଦ୍ଧ (୯୩.୨୨%) ଏଭଳି ୧୩ଟି ଜିଲ୍ଲାର ହାର ଠାରୁ ଯଥେଷ୍ଟ ପଛରେ ରହିଛି। ସେହିଭଳି ସମସ୍ତ ୨୬୦୦ଟି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଥିବା ସରକାରୀ, ସରକାର ଅନୁଦାନପ୍ରାପ୍ତ, ସ୍ୱୀକୃତିପ୍ରାପ୍ତ ବେସରକାରୀ, ଅଣସ୍ୱୀକୃତିପ୍ରାପ୍ତ, କେନ୍ଦ୍ରୀୟ, ସ୍ୱତନ୍ତ୍ର ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କଲେ, ୭୦୬ଟି ପ୍ରାଥମିକ ବିଦ୍ୟାଳୟ, ୭୪୩ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୩୮ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ୨୦୪୪ଟି ବିଦ୍ୟାଳୟରେ ପାନୀୟ ଜଳର ସୁବିଧା ରହିଛି । ଏହା ମଧ୍ୟରୁ ୧୨୧୧ଟି ସ୍କୁଲରେ ଜଳବିଶୁଦ୍ଧୀକରଣ ଯନ୍ତ୍ର ରହିଛି । ଏଥିରୁ କେବଳ ୭୬୬ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଯୋଗାଇଦିଆଉଯାଉଥିବା ପାନୀୟ ଜଳ ଶୁଦ୍ଧତା ଓ ଲୌହ ଆଦି ଧାତବ ପଦାର୍ଥର ମାତ୍ରା ପରୀକ୍ଷା କରିବାର ବ୍ୟବସ୍ଥା ରହିଛି ।

ଜିଲ୍ଲାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପ୍ରାୟ ୪ଲକ୍ଷ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରନ୍ତିି । ସହରାଂଚଳ ବିଶେଷତଃ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ମଧ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପାନୀୟ ଜଳର ସୁବିଧା ରହିଛି, କିନ୍ତୁ ଗ୍ରାମାଂଚଳର ଅଧିକାଂଶ ବିଦ୍ୟାଳୟରେ ପାନୀୟ ଜଳ ନଳକୂପ ଉପରେ ନିର୍ଭରଶୀଳ ଥିବା ବେଳେ ଏହିଗୁଡ଼ିକର ଜଳର ନିୟମିତ ପରୀକ୍ଷା ଓ ବିଶୋଧନ କରାଯାଉନାହିଁ । ଏପରିକି ଅନେକ ବିଦ୍ୟାଳୟରେ ବିଧାୟକ ହାତପାଣ୍ଠୀ, ସାଂସଦ ହାତପାଣ୍ଠୀ ଆଦିରେ ସ୍ଥାପନ କରାଯାଇଥିବା ନଳକୂପଗୁଡ଼ିକର ଜଳସ୍ତର ହ୍ରାସ ପାଇଥିବାରୁ ବନ୍ଦ ହୋଇପଡ଼ିଛି । ୨୦୧୮ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ଚିଠି ଲେଖି ସେହିବର୍ଷ ଜୁଲାଇ ୩୧ ତାରିଖ ସୁଦ୍ଧା ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବାକୁ ନିଦେ୍ର୍ଦଶ ଦେଇଥିଲା । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଏହି ନିଦେ୍ର୍ଦଶ ଏଯାଏଁ ସ୍ଥଳ ବିଶେଷରେ ପାଳିତ ହୋଇନାହିଁ । ଆସନ୍ତା ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ବିଦ୍ୟାଳୟଗୁଡ଼ିକର ପାନୀୟ ଜଳ ବ୍ୟବସ୍ଥାର ସ୍ୱତନ୍ତ୍ର ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ଶିକ୍ଷକ ସଂଗଠନ ଓ ଶିକ୍ଷାବିତ୍ଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି ।

 

ସମ୍ବନ୍ଧିତ ଖବର