ଖୋର୍ଦ୍ଧାକୁ ଚଳିତ ବର୍ଷ ଜଳକଷ୍ଟ ଆଶଙ୍କା!

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଳା ଏକ ପ୍ରାକୃତିକ ପ୍ରବଣ ଜିଲ୍ଲା । ପ୍ରତିବର୍ଷ ମରୁଡ଼ି, ବାତ୍ୟା କିମ୍ବା ଅସାମୟିକ ବର୍ଷାର ବିତ୍ପାତ ଲାଗି ରହିଥାଏ । ୨୦୧୭ ମସିହା ପରଠାରୁ ଜିଲ୍ଲାରେ ବାତ୍ୟା ବିଭୀଷିକା ଲାଗି ରହିଥିବା ବେଳେ ଚଳିତ ବର୍ଷ ମରୁଡ଼ିର ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଳାରେ ସାଧାରଣତଃ ଜୁଲାଇରୁ ସେପ୍ଟମ୍ବର ମାସ ମଧ୍ୟରେ ବର୍ଷା ପରିମାଣ ହ୍ରାସ ପାଇବା ଦ୍ୱାରା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥାଏ । ୨୦୧୪ରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୫ଟି ପଂଚାୟତର ୧୫ଟି ଗାଁ ଓ ୬୪୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିଲା । ୨୦୧୫ରେ ୧୦୪ଟି ପଂଚାୟତର ୯୨୫ଟି ଗାଁ ଓ ୬୦,୭୫୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିଲା । ୨୦୧୭ରେ ୫ଟି ପଂଚାୟତର ୧୦ଟି ଗାଁର ୨୪ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିଲା । ଚଳିତ ବର୍ଷ କିନ୍ତୁ ଜଳ କ୍ଲିଷ୍ଟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି । ଏହାର ପ୍ରମୁଖ କାରଣ, ବିଗତ ବର୍ଷଗୁଡ଼ିକରେ ଅପ୍ରିଲ୍ ମାସରେ ସାମନ୍ୟ ବର୍ଷା ହୋଇଥାଏ । ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ଭୂତଳ ଓ ଭୂପୃଷ୍ଠ ଜଳସ୍ତର ଉପରେ ସେତେ ନକରାତ୍ମକ ପ୍ରଭାବ ପଡ଼ିନଥାଏ ।

୨୦୨୧ରେ ଅପ୍ରିଲ୍ ମାସରେ ମୋଟ ୧୦୬ ମିମି ବର୍ଷା ରେକର୍ଡ କରାଯାଇଥିଲା । ୨୦୨୦ରେ ମଧ୍ୟ ୯୦୭ ମିମି ବର୍ଷା ରେକର୍ଡ କରାଯାଇଥିଲା । ପୂର୍ବ ଦୁଇ ବର୍ଷ ଅଧିକାଂଶ ବର୍ଷା ଅପ୍ରିଲ୍ ପ୍ରଥମ ସପ୍ତାହରେ ପଡ଼ିଥିଲା । ଚଳିତ ବର୍ଷ ଅପ୍ରିଲ୍ ମାସର ଦ୍ୱିତୀୟ ସପ୍ତାହ ଅତିକ୍ରାନ୍ତ ହେବାକୁ ବସିଛି, କିନ୍ତୁ ବର୍ଷା ମୁନ୍ଦିଏ ପଡ଼ିନାହିଁ । ଜିଲ୍ଲାରେ ହାରହାରି ଭୂତଳ ଜଳସ୍ତର ୦. ୪୭୬୪ ମିଟର ରହିଥାଏ । ଗ୍ରୀଷ୍ମକାଳରେ ଏହା ୨ରୁ ୩ ମିଟର ହ୍ରାସ ପାଇଥାଏ । ଚଳିତବର୍ଷ ବର୍ଷା ଅଭାବ ଓ ଅନେକ ପୋଖରୀ, ନଦୀ ଆଦି ଭୂପୃଷ୍ଣ ଜଳ ଉତ୍ସ ସଂଖ୍ୟା ହ୍ରାସ ପାଇଥିବାରୁ ଏହା ଆହୁରି କମିବା ଆଶଙ୍କା କରାଯାଉଛି । ଅପରପକ୍ଷରେ, ଯଦି କେବଳ ଖୋର୍ଦ୍ଧା ସହର (ପୌରାଂଚଳ) କଥା ଅନୁଶୀଳନ କରାଯାଏ ତେବେ ଦୈନିକ ୭.୮୩ ନିୟୁତ ଲିଟର ଜଳ ଆବଶ୍ୟକ ହେଉଥିବା ବେଳେ ନରାଜ, ବୋର ୱେଲ୍, ନଳକୂପ ଆଦିରୁ ୯.୨୭ ନିୟୁତ ଲିଟର ଜଳ ଯୋଗାଣ ହୋଇଥାଏ । ଗ୍ରୀଷ୍ମକାଳରେ ଯୋଗାଣ ପରିମାଣ ୬-୭ ନିୟୁତ ଲିଟର/ଦୈନିକ ହ୍ରାସ ପାଇଥାଏ । ଚଳିତ ବର୍ଷ ବର୍ଷାର ଅଭାବ ଯୋଗୁଁ ଏହି ଅଭାବ ବୃଦ୍ଧି ପାଇବା ସମ୍ଭାବନା ରହିଛି । ପ୍ରଶାସନ ପକ୍ଷରୁ ଏହି ଦିଗ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପାଣି ଟ୍ୟାଙ୍କର ଓ ଅସ୍ଥାୟୀ ବ୍ୟବସ୍ଥା ଆଦି କରିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର