ଆସୁଛି ଖରା ଦିନ: ଶେଷ ହେଉନି ପ୍ରକଳ୍ପ, ଜଳକଷ୍ଟରେ ଘାଣ୍ଟି ହେବ କୋରାପୁଟ !

୪ ହଜାର ଜନବସତିରୁ ୮ଶହକୁ ମିଳୁଛି ପାଇପ ପାଣି, ୫ଶହ ପାଇପ ପାଣି ପ୍ରକଳ୍ପରୁ ୩୭ ଅଚଳ

କୋରାପୁଟ: ପ୍ରତି ବର୍ଷ ଜଳକଷ୍ଟରେ ଘାଣ୍ଟି ହେଉଥିବା କୋରାପୁଟ ଜିଲ୍ଲାବାସୀ ଏବର୍ଷ ବି ପିଇବାକୁ ପାଣି ପାଇବେନି। ଖରାଦିନ ଆସିବା ଆଗରୁ ଏମିତି ସଙ୍କେତ ଜଳ ଜଳ ଦିଶିଲାଣି। ଜିଲ୍ଳାରେ ଭୁତଳ ଜଳସ୍ତର ଅତି ବିପଦଜନକ ଭାବେ ତଳକୁ ଖସି ଯାଇଥିଲାବେଳେ ଜନବସତି ଗୁଡିକୁ ପାଇପ ପାଣି ଯୋଗାଣ ବି ବିଶେଷ ଆଗେଇ ପାରିନି। ଜିଲ୍ଲାର ମୋଟ ୪୪୦୪ଟି ଜନବସତି ଭିତରୁ ଏ ପର୍ଯ୍ୟନ୍ତ ପ୍ରାୟ ୮୩୦ଟି ଜନବସତିକୁ ପାଇପ ପାଣି ଯୋଗାଇ ଦିଆ ଯାଉଛି। ଏଥିପାଇଁ ୪୯୮ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲାବେଳେ ସେଥିରୁ ୩୭ଟି ଅଚଳ ହୋଇ ପଡିଛି। ଏପଟେ ବୈପାରିଗୁଡା, ପଟାଙ୍ଗୀ, ନାରାୟଣପାଟଣା ଆଦି ବ୍ଲକର ଅଧିକାଂଶ ଅଂଚଳରେ ନଳକୂପରୁ ଖରାଦିନେ ପାଣି ବାହାରିବ ନାହିଁ। ତେଣୁ ଜିଲ୍ଲାରେ ଜଳ ସଙ୍କଟ ଦେଖା ଦେବା ଏକ ପ୍ରକାର ନିଶ୍ଚିତ। ଅପରପକ୍ଷରେ ଏହାର ମୁକା ବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସମସ୍ତ ବିଡିଓଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କୁହାଯାଇଛି।

ପାହାଡ ପର୍ବତ ଘେରା କୋରାପୁଟ ଜିଲ୍ଲାରେ ମାଟି ତଳେ ବହୁ ଅଳ୍ପ ପରିମାଣର ଜଳ ରହିଛି। କିନ୍ତୁ ଏଠାରେ ଏକାଧିକ ଜଳ ଭଣ୍ଡାର ରହିଥିବାରୁ ଭୁପୃଷ୍ଟ ଜଳର ସ୍ଥିତି ଅପେକ୍ଷାକୃତ ଭଲ। ନଦୀ ନାଳ ବି ରହିଛି। ତେବେ ଜିଲ୍ଲାବାସୀ ମୁଖ୍ୟତଃ ପାନୀୟ ଜଳ ପାଇଁ ନଳକୂପ ଉପରେ ନିର୍ଭର କରିଥାନ୍ତି। ଏପରିକି ଅଧିକାଂଶ ଗାଁ ପାଇଁ ଜଳଉତ୍ସ କହିଲେ ଏହି ନଳକୂପକୁ ବୁଝାଏ। ସରକାରୀ ହିସାବ ଅନୁସାରେ, ଜିଲ୍ଲାରେ ଏବେ ୧୨,୫୭୧ଟି ନଳକୂପ ଓ ୧୭୪୭ଟି ପରିମଳ କୂପ ରହିଛି। ଏହା ସହିତ ୪୯୮ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି। ଜିଲ୍ଲାରେ ଥିବା ସମୁଦାୟ ୪୪୦୪ଟି ଜନବସତି ଭିତରୁ ପ୍ରାୟ ୮୩୦ଟି ଜନବସତିକୁ ଏହି ପ୍ରକଳ୍ପ ଗୁଡିକରୁ ପାଇପ ପାଣି ଯୋଗାଇ ଦିଆ ଯାଇଥାଏ। ପାଖାପାଖି ୧୫ହଜାର ଘର ଏଥିରୁ ଫାଇଦା ପାଇଥାନ୍ତି। କିନ୍ତୁ ବାକି ଜନବସତିରେ ଥିବା ୨ ଲକ୍ଷ ୭୫ ହଜାର ଘର ନଳକୂପ କିମ୍ବା କୂପ ଉପରେ ନିର୍ଭର କରିଥାନ୍ତି। କିଛି ସ୍ଥାନରେ ଲୋକେ ଝରଣା, ନଦୀ, ନାଳର ପାଣି ବ୍ୟବହାର କରନ୍ତି।

ଜିଲ୍ଲାର ପାନୀୟ ଜଳ ବ୍ୟବସ୍ଥା ମୁଖ୍ୟତଃ ନଳକୂପ ଉପରେ ନିର୍ଭରଶୀଳ ହୋଇଥିଲାବେଳେ ଖରାଦିନେ ବହୁ ନଳକୂପରୁ ପାଣି ବାହାରେନି। ମାଟି ତଳେ ପାଣି ନ ଥିବାରୁ ଜିଲ୍ଲାରେ ପ୍ରତି ବର୍ଷ ଖରା ଦିନରେ ଜଳ ସଙ୍କଟ ଦେଖା ଦିଏ। ଖରାଦିନ ଆସୁ ଆସୁ ନଳକୂପଗୁଡିକ ଶୁଖିଯାଏ। ଗଭୀର ନଳକୂପଗୁଡିକରୁ ମଧ୍ୟ ଘଣ୍ଟାକୁ ଦୁଇ ବାଲଟି ପାଣି ବାହାରେ। କୁଅଗୁଡିକ ଖାଲି ହେଇଯିବା ପରେ ଜଳ ସଙ୍କଟ ସୃଷ୍ଟି ହୁଏ। ପୁଣି ଏବେ ୪୯୮ଟି ପାଇପ ଜଳ ପ୍ରକଳ୍ପ ଭିତରୁ ୩୭ଟି ଅଚଳ ହୋଇ ପଡିଛି। ଏଥିରୁ ୭ଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଏପଟେ ଦୀର୍ଘଦିନ ଧରି ଜିଲ୍ଲାରେ ଚାଲିଥିବା ପାଇପ ଜଳ ପ୍ରକଳ୍ପଗୁଡିକର କାମ ସରିବାର ନାଁ ଧରୁନି। ବସୁଧା ଯୋଜନାରେ ବିଭିନ୍ନ ଗ୍ରାମକୁ ପାଇପ ପାଣି ଯୋଗାଇବା ଉଦ୍ଦେଶ୍ୟରେ ୬୦ଟି ପ୍ରକଳ୍ପ ହାତକୁ ନିଆଯାଇଥିଲାବେଳେ ଗୋଟିଏ ହେଲେ ବି ଶେଷ ହୋଇନି। ଏହା ଭିତରୁ ଜଳକ୍ଲୀଷ୍ଟ ଗ୍ରାମକୁ ପାଇପ ପାଣି ଯୋଗାଇବା ଉଦ୍ଦେଶ୍ୟରେ ୨୧ଟି ପ୍ରକଳ୍ପ ମଧ୍ୟରୁ ୧୦ଟିର କାମ ଚାଲିଛି। ବାକି ପ୍ରକଳ୍ପର କାମ ବି ଆରମ୍ଭ ହୋଇନି। ଗ୍ରାମ ପଞ୍ଚାୟତର ଦ୍ବିତୀୟ ଗ୍ରାମକୁ ପାଣି ଯୋଗାଇବା ପାଇଁ କରାଯାଇଥିବା ୪୧ଟି ପ୍ରକଳ୍ପ ମଧ୍ୟରୁ ୨୭ଟିର କାମ ଚାଲିଥିବାବେଳେ ବାକି ପ୍ରକଳ୍ପ ଆରମ୍ଭ କରାଯାଇନାହିଁ। ଏପଟେ ବୋରିଗୁମ୍ମା, ଜୟପୁର ଓ କୋଟପାଡ ବ୍ଲକର ୫୧ଟି ପଞ୍ଚାୟତ ପାଇଁ ଚାଲିଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଅଗଷ୍ଟ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବୈପାରୀଗୁଡା ବ୍ଳକର ୧୪ଟି ପଞ୍ଚାୟତ ପାଇଁ ହୋଇଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଚାଲିଛି। ଖରାଦିନେ ନଳକୂପରୁ ପାଣି ବାହାରୁ ନ ଥିଲାବେଳେ ପାଇପ ଜଳ ଯୋଗାଣ ପ୍ରକଳ୍ପଗୁଡିକ ଅଧ ପନ୍ତରିଆ ହୋଇ ପଡିଥିବାରୁ ଜିଲ୍ଲାବାସୀ ଏଥର ପୁଣି ପାଣି ଅଭାବରୁ ଛଟପଟ ହେବେ ବୋଲି ଜଳ ଜଳ ଦିଶିଲାଣି। ଏହାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିଛି। ଜଳ ସଙ୍କଟ ସୃଷ୍ଟି ହେଉଥିବା ଗାଁଗୁଡିକରେ ଆଗୁଆ ବ୍ୟବସ୍ଥା କରିବାକୁ କୁହାଯାଇଛି। ପାଟି ଟାଙ୍କି ରଖି ଟ୍ୟାଙ୍କର ଜରିଆରେ ଏଠାରେ ପାଣି ଯୋଗାଇ ଦିଆଯିବ। ନଳକୂପଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ସହ ନିୟମିତ ସ୍ଥିତିର ସମୀକ୍ଷା କରିବାକୁ ବିଡିଓ ମାନଙ୍କୁ କୁହାଯାଇଛି। ଏଥିନେଇ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଶଶୀଭୂଷଣ ମିଶ୍ର କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସମସ୍ତ ବିଡିଓମାନଙ୍କୁ ଆଗୁଆ ଚିଠି କରାଯାଇଛି। ନଳକୂପ ମରାମତି ପାଇଁ ସ୍ବତନ୍ତ୍ର ଟିମ ନିୟୋଜିତ କରିବା ସହ ଅତିରିକ୍ତ କାରିଗର ଓ ଗାଡି ରଖାଯିବ। ଯେଉଁ ଗାଁରେ ଜଳାଭାବ ରହିଥିବ ସେଠାରେ ପାଣି ଟାଙ୍କି ରଖିବାକୁ ନିର୍ଦେଶ ଦିଆଯାଇଛି। ଟ୍ୟାଙ୍କର ଜରିଆରେ ଏହି ଟାଙ୍କି ନିୟମିତ ଭର୍ତ୍ତି କରାଯିବ। ଲୋକେ ଏହି ପାଣି ବ୍ୟବହାର କରିବେ। ଏହା ବାଦ ଅଚଳ ହୋଇ ପଡିଥିବା ପ୍ରକଳ୍ପଗୁଡିକୁ ତୁରନ୍ତ ମରାମତି ଓ ଚାଲୁଥିବା ପ୍ରକଳ୍ପଗୁଡିକୁ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର