ଜଳ କଷ୍ଟ; ଆଗ ପାଣି ନେବା ପାଇଁ ମହିଳାଙ୍କ ମଧ୍ୟରେ ପ୍ରତିଯୋଗିତା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗ୍ରୀଷ୍ଣ ପ୍ରବାହ ଲାଗି ରହିଥିବା ବେଳେ ଆଜି ଜିଲ୍ଲାରେ ୪୩ ଡିଗ୍ରି ତାପମାତ୍ର ରହିଥିଲା। ଗତ କିଛି ଦିନ ହେଲା ଗରମ ଅତ୍ୟଧିକ ହେଉଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଏହାଠୁ ବଳିଯାଇଛି ପାଣି ସଂକଟ। ଜିଲ୍ଲାର ଦୁର୍ଗମ ଅଂଚଳରେ ଏବେ ନଦୀନାଳ ଶୁଖିଯିବା ଫଳରେ ଲୋକେ ଚୁଆ ପାଣି ଉପରେ ଭରସା କରୁଥିବା ଦେଖିବାକୁ ମିଳିଛି। ତାହା ମଧ୍ୟ ଦୀର୍ଘ ସମୟ ଜଗିବା ପରେ ପାଣି ବାହାରିବା ପରେ ଲୋକେ ସେହି ପାଣିକୁ ପିଇବା ସହ ଦୈନନ୍ଦୀନ କାର୍ଯ୍ୟରେ ଲଗାଉଥିବା ଜଣାପଡିଛି।

ସେହିଭଳି ଖଇରପୁଟ ବ୍ଲକର ପୋଡାଘାଟା ପଞ୍ଚାୟତର ଜାମଗୁଡା ଗ୍ରାମରେ ଏବେ ପାଣି ପାଇଁ ହାହାକାର ପଡିଛି।ଲୋକେ ପାଣି ମୁନ୍ଦାଏ ପାଇଁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଛି। ଏହି ଗ୍ରାମରେ ୪୦ ପରିବାର ବସବାସ କରନ୍ତି। ତେବେ ଗ୍ରାମରେ ରହିଛି ଦୁଇଟି ନଳକୂପ। ସେଥିମଧ୍ୟରୁ ଗୋଟିଏ ନଳକୂପ ଖରାପ ହୋଇପଡିଥିବା ବେଳେ ଅନ୍ୟଟିରେ ଦୀର୍ଘ ସମୟ ଧରି ମାରିବା ପରେ ଅଳ୍ପ ପାଣି ବାହାରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ପାଣି ପାଇଁସକାଳରୁ ହିଁ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳିଛି। ଏଭଳି ମହିଳାମାନଙ୍କ ମଧ୍ୟରେ ଛୋଟ ବଡ ଗଣ୍ଡଗୋଳ ମଧ୍ୟ ହେଉଥିବା ଲକ୍ଷ୍ୟ କରାଯାଇଛି। ଗୋଟିଏ ନଳକୂପରେ ୪୦ ପରିବାର ନିର୍ଭର କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି।

ବାରମ୍ବାର ଗ୍ରାମବାସୀ ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ନୂତନ ନଳକୂପ ଖନନ କରିବାକୁ ଦାବି କରିଆସୁଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି। ମହିଳାମାନେ ଏଠାରେ ସୋଲାଲ ଚାଳିତ ପାଇପ ଲାଇନ ବସାଇବାକୁ ଦାବି କରିଛନ୍ତି। ନଚେତ ସାହି ସାହିରେ ପାଇପ ଯୋଗେ ପାଣିର ସୁବିଧା କରାଗଲେ ଲୋକେ ପାଣିର ମୁକ୍ତି ପାଇଥାନ୍ତେ ବୋଲି କହିଛନ୍ତି। ଗୋଟିଏ ମାତ୍ର ନଳକୂପରୁ ପାଣି ସଂଗ୍ରହ କରିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ପାଣି ଧିରେ ଧିରେ ବାହାରୁଥିବାରୁ ସମସ୍ତ କାମ ଛାଡି ନଳକୂପ ନିକଟରେ ବସି ରହିବାକୁ ପଡୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଭୋଟ ବେଳେ ରାଜନେତାମାନେ ପାଣିର ସୁବିଧା କରିଦେବାକୁ ପ୍ରତିଶ୍ରୁତି ଦେଇ ଏବେ ମୁହଁ ମୋଡି ଦେଇଥିବା କହିଛନ୍ତି। ଆଗାମୀ ଦିନରେ ଆହୁରି ସମସ୍ୟା ବଢିବ ସିନା କମିବ ନାହିଁ ବୋଲି କହିଛନ୍ତି। ତୁରନ୍ତ ଜାମଗୁଡା ଗ୍ରାମରେ ନୂତନ ନଳକୂପ ସହ ସୋଲାର ପାଇପ ଯୋଗାଇ ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର