ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ପ୍ରଚଣ୍ଡ ଗ୍ରୀଷ୍ଣର ତାଣ୍ଡବ। ଗୋଟିଏ ପଟେ ଗରମରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଦାଉ ସାଧିଛି ପାଣି। ଜିଲ୍ଲାର ସାତୋଟି ଯାକ ବ୍ଲକର ଅବସ୍ଥା ଅତି ସଂଗୀନ ରହିଛି। ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ବିଭାଗ ପାଖରେ ସବୁ ଠିକ ଚାଲିଛି। ଜଳ ଓ ପରିମଳ ବିଭାଗ ଉପରିସ୍ଥ ଅଧିକାରୀଙ୍କୁ ଜିଲ୍ଲାରେ କେତେ ନଳକୂପ, କେତେ ପାଇପ ପାଣି ଲୋକଙ୍କୁ ଯୋଗାଇ ଦିଆଯାଉଛି ତାହାର ରିପୋର୍ଟ ଦେଉଛି। କିନ୍ତୁ କେତେ ଖରାପ ହୋଇ ପଡ଼ିଛି ତାହାର କୌଣସି ଖବର ଏହି ବିଭାଗ ନିକଟରେ ନାହିଁ। କାରଣ ପାଣିର ଉତ୍ସଗୁଡିକର ମରାମତି ଏବଂ ରକ୍ଷଣାବେକ୍ଷଣ ଦାୟୀତ୍ବ ପଞ୍ଚାୟତ ବିଭାଗକୁ ଚାଲିଯାଇଛି ବୋଲି କୁହାଯାଉଛି।

Advertisment

ଜଳ ଓ ପରିମଳ ବିଭାଗର ରିପୋର୍ଟ ଅନୁଯାୟୀ ଜିଲ୍ଲାର କାଲିମେଳା ବ୍ଲକରେ ରହିଥିବା ୨୩ଟି ପଞ୍ଚାୟତରେ ୧୪୫ଟି ରାଜସ୍ବ ଗ୍ରାମ ରହିଥିବା ବେଳେ ୪୨୭ଟି ପ଼ଡା ଗ୍ରାମ ରହିଛି। ଏହାର ଲୋକ ସଂଖ୍ୟା ହେଲା ୧,୩୦,୯୪୬ ଜଣ। ଏହି ବ୍ଲକରେ ନଳକୂପ ଓ କୂପର ସଂଖ୍ୟା ହେଲା ୨୫୬୭ଟି। ସେହିପରି ୭୬ ପାଇପ ଯୋଗେ ଜଳ ଯୋଗାଣ କରାଯାଉଛି ଏବଂ ୭୮ଟି ସୋଲାର ପ୍ରୋଜେକ୍ଟ ଚାଲିଛି ବୋଲି କୁହାଯାଉଛି। ସେହିପରି ଚିତ୍ରକୋଣ୍ଡା ବ୍ଲକର ୧୮ ପଞ୍ଚାୟତରେ ୫୯,୮୫୭ ଜଣ ଲୋକଙ୍କ ପାଇଁ ମୋଟ ୧୯୨୧ଟି ନଳକୂପ ଓ କୂପ ରହିଥିବା ବେଳେ ୫୨ଟି ସ୍ଥାନରେ ପାଇପ ଯୋଗେ ପାଣି ଯୋଗାଣ ହେଉଛି। ସେହିପରି ୩୧ଟି ସ୍ଥାନରେ ସୋଲାର ଯୋଗେ ପାଣି ଦିଆଯାଉଛି। ଖଇରପୁଟ ବ୍ଲକର ୧୧ଟି ପଞ୍ଚାୟତରେ ୫୭,୩୭୦ ଲୋକଙ୍କ ପାଇଁ ୧୫୩୫ ଟି ନଳକୂପ ଓ କୂପ ରହିଥିବା ବେଳେ ପାଇପ ଯୋଗେ ୭୮ଟି ଗାଁକୁ ପାଣି ଯୋଗାଇ ଦିଆଯାଉଛି।

publive-image

ସେହିପରି ସୋଲାର ପ୍ରୋଜେକ୍ଟ ଦ୍ବାରା ୪୪ଟି ସ୍ଥାନରେ ଜଣ ଯୋଗାଣ ହେଉଛି। କୋରକୋଣ୍ଡାର ୧୨ଟି ପଞ୍ଚାୟତରେ ବାସ କରୁଥିବା ୭୩୮୮୩ ଜଣ ଲୋକଙ୍କ ପାଇଁ ୧୪୯୩ଟି ନଳକୂପ ଓ କୂପ ରହିଛି। ପାଇପ ଯୋଗେ ୪୨ଟି ସ୍ଥାନରେ ଏବଂ ସୋଲାର ପ୍ରୋଜେକ୍ଟ ଦ୍ବାରା ୫୪ଟି ସ୍ଥାନରେ ଜଳ ଯୋଗାଣ ହେଉଛି। ମାଲକାନଗିରି ବ୍ଲକରେ ୧୯ଟି ପଞ୍ଚାୟତରେ ବାସ କରୁଥିବା ୧,୦୨,୧୨୧ ଲୋକଙ୍କ ପାଇଁ ୨୨୯୫ଟି ନଳକୂପ ଓ କୂପ ରହିଥିବା ବେଳେ ୫୩ଟି ପାଇପ ଜଳ ଯୋଗାଣ ରହିଛି। ୯୦ଟି ସ୍ଥାନରେ ସୋଲାର ପ୍ରୋଜେକ୍ଟ ରହିଛି। ମାଥିଲି ବ୍ଲକର ୨୦ଟି ପଞ୍ଚାୟତରେ ବାସ କରୁଥିବା ୯୬୪୮୬ ଜଣ ଲୋକଙ୍କ ପାଇଁ ୨୬୬୧ଟି ନଳକୂପ ଓ କୂପ ରହିଥିବା ବେଳେ ୪୫ଟି ପାଇପ ଜଳ ଯୋଗାଣ ଓ ୯୭ଟି ସୋଲାର ପ୍ରୋଜେକ୍ଟ ରହିଛି।

ପଡ଼ିଆ ବ୍ଲକରେ ୮ଟି ପଞ୍ଚାୟତରେ ବାସ କରୁଥିବା ୪୩୧୯୨ ଜଣ ଲୋକଙ୍କ ପାଇଁ ୧୦୭୫ଟି ନଳକୂପ, ୧୮ଟି ପାଇପ ଜଳ ଯୋଗାଣ ଏବଂ ୪୦ଟି ସୋଲାର ପ୍ରୋଜେକ୍ଟ ଦ୍ବାରା ଜଳ ଯୋଗାଣ ହେଉଥିବା କୁହାଯାଇଛି। କିନ୍ତୁ ପ୍ରକୃତ ସ୍ଥିତି ଓଲଟା ରହିଛି। ଜିଲ୍ଲାରେ ଅର୍ଦ୍ଧାଧିକ ଜଳର ଉତ୍ସ ଖରାପ ହୋଇ ପଡ଼ିଛି, ଯାହାକୁ ପଞ୍ଚାୟତ ବିଭାଗ ତଦାରଖ କରିବ ବୋଲି କୁହାଯାଉଛି। ଏପଟେ ଲୋକେ ପାଣି ପାଇଁ ମାଇଲ ମାଇଲ ବାଟ ଚାଲୁଛନ୍ତି, ଯାହାକି ବିଭାଗ ପାଖରେ ଖବର ନାହିଁ। ଏତେ ପାଣିର ଉତ୍ସ ରହିଥିଲେ ମଧ୍ୟ ଲୋକେ କାହିଁକି ପାଣି ପାଇଁ ରାସ୍ତା ରୋକ ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି।