ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ଗ୍ରାମରେ ଆଜି ବି ଜଳର ଉତ୍ସ ଥାଇ ବି ଗ୍ରାମବାସୀଙ୍କୁ ଜଳ ପାଇଁ ନାହିଁ ନଥିବା ହଇରାଣ ହେବାକୁ ପଡୁଛି। ଗ୍ରୀଷ୍ଣ ଋତୁ ସାରା ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହୋଇଛନ୍ତି। ଏଭଳି ଏକ ଗ୍ରାମ ହେଉଛି ଖଇରପୁଟ ବ୍ଲକର କୁଡୁମୁଲୁଗୁମ୍ମା ପଞ୍ଚାୟତର ନାଲିଗୁଡା। ଏହି ଗ୍ରାମରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି।ଏହି ଗ୍ରାମରେ ୪ଟି ନଳକୂପ ରହିଛି। ସେଗୁଡିକ ମଧ୍ୟରୁ ତିନୋଟି ଖରାପ ହୋଇ ପଡ଼ି ରହିଥିବା ବେଳେ ଗୋଟିଏରେ କେବେ ପାଣି ବାହାରୁଛି ତ କେତେବେଳେ ନାହିଁ।ପୁଣି ଅଳ୍ପ ପାଣି ବାହାରି ବନ୍ଦ ହୋଇଯାଉଛି।
ସେହିପରି ଗ୍ରାମରେ ପାଇପ ଯୋଗେ ପିଇବା ପାଣିର ବ୍ୟବସ୍ଥା ଥିଲେ ମଧ୍ୟ ସେଥିରୁ ପାଣି ବାହାରୁ ନାହିଁ। ଲୋକେ ଗ୍ରୀଷ୍ମର ପ୍ରଚଣ୍ଡ ଖରାରେ ନିକଟସ୍ଥ ଚୁଆ ପାଣି ଉପରେ ହିଁ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି। ଏତେ ପରିବାର ପାଇଁ ଗୋଟିଏ ନଳକୂପ ପୁଣି ସେଥିରୁ ପାଣି ନବାହାରିବା ଗ୍ରାମର ମହିଳାଙ୍କ ପାଇଁ ମୁଣ୍ଡ ବ୍ୟଥା ହୋଇଛି। ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କୁହାଯାଇଛି। ନିର୍ବାଚନ ପୂର୍ବରୁ ମଧ୍ୟ ଗ୍ରାମବାସୀ ଭୋଟ ପାଇଁ ଆସିଥିବା ନେତାଙ୍କୁ ପାଣି ସଂପର୍କରେ ଅବଗତ କରାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳିଥିବା ଗ୍ରାମବାସୀ କହିଥିଲେ। ଲୋକଙ୍କ ସହ ଗୃହପାଳିତ ପଶୁ ମଧ୍ୟ ପାଣି ପାଇଁ ନାହିଁ ନଥିବା ହଇରାଣ ହୋଇଛନ୍ତି। ତୁରନ୍ତ ଖରାପ ନଳକୂପକୁ ମରାମତି କରାଯିବା ସହ ପାଇପ ଯୋଗେ ଆସୁଥିବା ପାଣିର ଉତ୍ସକୁ ମଧ୍ୟ ମରାମତି କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।