ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଶଗଡ଼ପଟା ଗ୍ରାମର ତେନ୍ତୁଳିପଶି ସାହିବାସୀ ପାନୀୟଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସାହିରେ ୨୫ଟି ପରିବାର ବାସ କରୁଛନ୍ତି। ସାହିରେ ଥିବା ଏକମାତ୍ର ନଳକୂପ ବର୍ଷେ ହେଲା ଅଚଳ ହୋଇପଡ଼ିଛି। ନଳକୂପ ମରାମତି ପାଇଁ ପଞ୍ଚାୟତକୁ ଜଣାଇଲେ ମଧ୍ୟ କୌଣସି ପଦ‌କ୍ଷେପ ନିଆଯାଉ ନଥିବା ସାହିବାସୀ ଅଭିଯୋଗ କରିଛନ୍ତି। ଖରାଦିନେ ସାହିବାସୀ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁର ଏକ କୂଅରୁ ପାଣି ଆଣୁଛନ୍ତି। ଏବେ ଜଳସ୍ତର ହ୍ରାସ ପାଇଥିବାରୁ କୂଅରୁ ଗୋଳିଆ ପାଣି ବାହାରୁଛି।

Advertisment

ତଥାପି ଲୋକେ ସେହି ପାଣିକୁ ଛାଣି ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି। ଖରାଦିନେ ଜଳ ସଂକଟ ଥିବା ଅଞ୍ଚଳକୁ ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ନିୟମ ରହିଛି। କିନ୍ତୁ ପଞ୍ଚାୟତ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ସାହି‌ରେ ଏକ ନୂତନ ନଳକୂପ ଖନନ ଖରିବାକୁ ଯମୁନା ହେମ୍ବ୍ରମ, ସାରଥି ମାରାଣ୍ଡି, ଟୁନି ହେମ୍ବ୍ରମ, ସୁମିତ୍ରା ହେମ୍ବ୍ରମ, ମାଇନ ହେମ୍ବ୍ରମ, ସୁକାନ୍ତୀ ହେମ୍ବ୍ରମ, କଣ୍ଢେଇ ଟୁଡୁ ପ୍ରମୁଖ ଦାବି କରିଛନ୍ତି।