ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡର ୬ଟି ବ୍ଲକ ପାଇଁ ସରକାର ଦୁଇଟି ପର୍ଯ୍ୟାୟରେ ୪ଟି ମେଗା ପାଇପ ଜଳ ପ୍ରକଳ୍ପ ଆରମ୍ଭ କରିଛନ୍ତି । ତେବେ ଏହି ପ୍ରକଳ୍ପ ପାଇଁ ବର୍ତମାନ ସମୟ ରଙ୍ଗୀନ ଦେଖାଗଲେ ମଧ୍ୟ ଭବିଷ୍ୟତରେ ଜଳବାୟୁ ପରିବର୍ତନ ଯୋଗୁଁ ଏହି ପ୍ରକଳ୍ପଗୁଡ଼ିକର ସ୍ଥାୟିତ୍ୱ ନେଇ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Advertisment

ସରକାର ଓ ବେସରକାରୀ ସଂସ୍ଥାଙ୍କ ପକ୍ଷରୁ ବିଭିନ୍ନ ସମୟରେ କରାଯାଇଥିବା ସର୍ବେକ୍ଷଣରେ ଖୋର୍ଦ୍ଧା ଜିଲ୍ଲାର ଦୟାନଦୀ ସବୁଠାରୁ ଅଧିକ ପ୍ରଦୂଷିତ ଓ ନିକଟ ଭବିଷ୍ୟତରେ ଏହାର ମୃତ୍ୟୁ ନେଇ ଯଥେଷ୍ଟ ସମ୍ଭାବନା ଥିବା ଦର୍ଶାଇଛନ୍ତି । ଏହି ସମୟରେ ଦୟାନଦୀର ଉପ ଓ ଶାଖା ନଦୀଗୁଡ଼ିକରୁ ମେଗା ଜଳ ପ୍ରକଳ୍ପ ପାଇଁ ଉତ୍ତୋଳିତ ହେବାକୁ ଥିବା ଜଳର ପରିମାଣ ଓ ଏହାର ସ୍ଥାୟିତ୍ୱ ନେଇ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଟାଙ୍ଗୀ ବ୍ଲକର ୧୭ଟି ପଂଚାୟତ ପାଇଁ ଉଦ୍ଦିଷ୍ଟ ଥିବା ମେଗା ପାଇପ ଜଳ ପ୍ରକଳ୍ପ ପାଇଁ ଟାଙ୍ଗୀ ବ୍ଲକର ବାଦଲ ଗାଁ ନିକଟରୁ ୫.୬୭୮ ଘନମିଟର ପ୍ରତିଘଂଟା ଜଳ ଉତ୍ତୋଳନ କରାଯିବ । ଏନେଇ ଚଳିତ ଜୁନ୍ ୧ ତାରିଖରେ ରାଜ୍ୟ ଜଳ ସମ୍ପଦ ବିଭାଗର ଇଂଜିନିୟର ଇନ୍ ଚିଫ୍ ରାଜ୍ୟ ସରକାରଙ୍କ ବିଭାଗୀୟ ଅତିରିକ୍ତ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଚିଠି ଅନୁସାରେ, ବାଦଲ ନିକଟରେ ଦୟା ନଦୀର ଉପନଦୀ ମକରା ନଦୀରୁ ତିନିଟି ପର୍ଯ୍ୟାୟରେ ପ୍ରାୟ ୧୪ ଘନ ମିଟର ପ୍ରତିଘଂଟା ଜଳ ଉତ୍ତୋଳନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦୨୪ରେ ୪.୩୦୧ ଘନମିଟର ପ୍ରତିଘଂଟା, ୨୦୩୯ରେ ୪.୯୬୪ ଘନ ମିଟର ପ୍ରତିଘଂଟା ଓ ତୃତୀୟ ପର୍ଯ୍ୟାୟରେ ୫.୬୭୮ ଘନମିଟର ପ୍ରତିଘଂଟା ଜଳ ଉତ୍ତୋଳନ କରାଯିବ । ତେବେ ଚିଠିରେ ମକରା ନଦୀରୁ ଦିଆଯିବାକୁ ଥିବା ୪.୩୦୧ ଘନମିଟର ପ୍ରତିଘଂଟା (୧୦.୫୨୪ ନିୟୁତ ଲିଟର ପ୍ରତିଦିନ) ଜଳ ନିରବଚ୍ଛିନ୍ନ ଭାବେ ଉତ୍ତୋଳିତ ହୋଇପାରିବ ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ଏଥିପାଇଁ ମହାନଦୀ ଉପାତ୍ୟାକା ଓ ମକରା, ମଲାଗୁଣି ଓ ଦୟାନଦୀରେ ପରିବେଶ ଓ ଜଳବାୟୁ ପରିବର୍ତନ ଜନିତ ଜଳ ସମସ୍ୟା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରାଯାଇଛି । ଏଣୁ ଏହି ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ଗ୍ରୀଷ୍ମ ଋତୁ କିମ୍ବା ଅନ୍ୟ ପ୍ରତିକୂଳ ପରିସ୍ଥିତିରେ ଜଳ ଯୋଗାଇବା ନିଶ୍ଚିତ କରାଯାଇପାରିବ ନାହିଁ ବୋଲି ମଧ୍ୟ ସତର୍କ କରାଇଦିଆଯାଇଛି । ଏହି କାରଣରୁ ପ୍ରତି ୩ ବର୍ଷରେ ଥରେ ଜଳ ବିନିଯୋଗ ଅଡିଟ୍ ପରେ ପରବର୍ତୀ ଜଳ ଉତ୍ତୋଳନ ସମ୍ପର୍କରେ ଅନୁମତି ନେଇ ବିଚାର କରାଯିବ ବୋଲି ନିୟମ ଓ ସର୍ତ ରଖାଯାଇଛି ।

ସୂଚନାଯୋଗ୍ୟ, କୁଆଖାଇ ଠାରୁ ଭିନ୍ନ ହୋଇ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସୀମାନ୍ତ ଦେଇ ଦୀର୍ଘ ୩୭ କିମି ଅତିକ୍ରମ କରି ଚିଲିକାରେ ପଡ଼ିଥିବା ଦୟାନଦୀର ତିନିଟି ଉପନଦୀ- ମଲାଗୁଣି, ରାଜୁଆ ଓ ମକରା ନଦୀ ଓ ଗୋଟିଏ ଶାଖା ନଦୀ, ମନ୍ଦାକିନୀ ରହିଛି । ମଲାଗୁଣି ନଦୀର ରାମେଶ୍ୱର ନିକଟରେ ବନ୍ୟା ନିୟନ୍ତ୍ରଣ ଓ ଚାଷ ଜମିକୁ ଜଳ ଯୋଗାଇବା ପାଇଁ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି ।