ଶୋଷ ମେଣ୍ଟାଇବା ପାଇଁ ନାକେଦମ୍‌: କଳାହାଣ୍ଡିରେ ଘର, ନବରଙ୍ଗପୁରରେ ଝରଣା

ମାଇଲ ମାଇଲ ଦୂର ଯିବାକୁ ପଡ଼ୁଛି, ଜିଲ୍ଲାର ବହୁ ଗ୍ରାମରେ ଝରଣା, ନାଳ ଭରସା

ଭବାନୀପାଟଣା : ଘର କଳାହାଣ୍ଡି ଜିଲ୍ଲାରେ। ପାଣି ପାଇଁ କିନ୍ତୁ ନବରଙ୍ଗପୁର ଜିଲ୍ଲା ଉପରେ ଭରସା। ତାହା ପୁଣି କୌଣସି ପ୍ରକଳ୍ପ ଉପରେ ନୁହେଁ। ଝରଣାକୁ ଯାଇ ପାଣି ଆଣିବାକୁ ପଡ଼ୁଛି ଏବଂ ଏଥିପାଇଁ ମହିଳାମାନଙ୍କୁ ମାଇଲମାଇଲ୍ ଯିବାକୁ ପଡ଼ୁଛି। ପାଣି ମୁନ୍ଦେ ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗଁ‌ାରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏହିଭଳି ଅବସ୍ଥାରୁ ମୁକୁଳିବା ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରିବା ସାର ହୋଇଛି।

ପାଣି ମୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ‌ହେଉଥିବା ଗ୍ରାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ଧନସୁଲି ପଞ୍ଚାୟତର ପାହାଡ଼ ଉପରଗାଁ ଡଙ୍ଗରିଗୁଡ଼ା। ପାନୀୟ ଜଳ ପାଇଁ ୧୨ଟି ପରିବାର ଥିବା ଏହି ଗଁାର ମହିଳାମାନେ ଡଙ୍ଗରିଗୁଡାଠାରୁ ୩ କିଲୋମିଟର ଦୂର ଡାକୁଲଗୁଡା ଝରଣାକୁ ଯାଉଛନ୍ତି। ଏହି ଝରଣା ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ। ୩ କିଲୋମିଟର ବାଟ ହେଲେ ବି, ପାଣି ପାଇଁ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯିବା ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ପରିଣତ ହୋଇଛି। ତେବେ, ଏହି ସମସ୍ୟା କେବଳ ଗୋଟିଏ ଗାଁ କି ଗୋଟିଏ ପଞ୍ଚାୟତରେ ସୀମିତ ନୁହେଁ। ଅନେକ ପଞ୍ଚାୟତର ଲୋକମାନଙ୍କୁ ଏହିଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ହସ୍ତଗତ ସୂଚନା ଅନୁସାରେ, ଏହି ବ୍ଲକ୍‌ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ଜୁନାପାଣି ଗ୍ରାମବାସୀ ଏବେ ଘୋଡ଼ାନାଲର ବାଲି ଚୁଆ ଉପରେ ନିର୍ଭର କରୁଛନ୍ତି। ଲାଞ୍ଜିଗଡ଼ ବ୍ଲକ୍‌ର ଉପାନ୍ତ ଅଞ୍ଚଳ ମନସ୍ତରାରେ ୩୫ଟି ପରିବାର ରହୁଥିବାବେଳେ ଗାଁର ଲୋକମାନେ ଲହଲ ଝରଣା ଉପରେ ବର୍ଷସାରା ନିର୍ଭର କରୁଛନ୍ତି। ଲାଞ୍ଜିଗଡ଼ ବ୍ଲକ୍‌ର କୁମଖାଲ ପଞ୍ଚାୟତର ସୋରିଷପଦର ଗ୍ରାମବାସୀ ଦେଢ଼ କିମି ଦୂର ନାଳକୁ ଯାଇ ପାଣି ଆଣିଥା’ନ୍ତି। ଲାଞ୍ଜି ପଞ୍ଚାୟତର ଯୁବାଗାଁ ଲୋକେ ୨ କି.ମି. ଦୂର ଏକ ନାଳରୁ ପାଣି ସଂଗ୍ରହ କରିଥାନ୍ତି। ପାହାଡ଼ପଦର ପଞ୍ଚାୟତ ତଇପଦର ଗ୍ରାମବାସୀ ଦେଢ କିମି ଦୂରରୁ ପାଣି ଆଣିଥା’ନ୍ତି। ବେନଗାଁ ପଞ୍ଚାୟତର ଧଅଁରାଭଟ୍ଟା ଗ୍ରାମରେ ୨ କି.ମି. ଦୂରରୁ ପାଣି ଆଣିବା ପାଇଁ କସରତ କରିଥାନ୍ତି। ମାଲିଯୁବାଙ୍ଗ ପଞ୍ଚାୟତର ସାଲପଦର ଗ୍ରାମବାସୀ ଅଢେଇ କି.ମି. ଦୂର ଝରଣାରୁ ପାଣି ଆଣିବାକୁ ଯାଆନ୍ତି । ବେନଗାଁ ପଞ୍ଚାୟତ କୋକସୁର ଗ୍ରାମବାସୀ ୨ କି.ମି. ଦୂରରୁ ପାଣି ଆଣି ନିଜର ଶୋଷ ମେଣ୍ଟାଇଥାନ୍ତି।

ସେହିଭଳି, ଲାଞ୍ଜି ପଞ୍ଚାୟତ ତୁର୍କା ଗ୍ରାମବାସୀ ଗୋଟିଏ କି.ମି. ଦୂର ଜଙ୍ଗଲି ଝରଣା ଉପରେ ଭରସା କରନ୍ତି। ବେନଗାଁ ପଞ୍ଚାୟତର ସୋରପଦର ଗ୍ରାମବାସୀଙ୍କୁ ପାଣି ପାଇଁ ୩ କିମି ଯିବାକୁ ପଡ଼ିଥାଏ। ପାହାଡ଼ପଦର ପଞ୍ଚାୟତ ପୁରୁଣାପାଣି ଗ୍ରାମବାସୀ ୨ କିମି ଦୂରକୁ ଯାଇ ନାଳ ପାଣି ଆଣିଥା’ନ୍ତି। ବେନଗାଁ ପଞ୍ଚାୟତର ଭିତରଧଡେଲ ଗ୍ରାମବାସୀ ୨ କିମି, ଭୁର୍ତ୍ତିଗଡ ପଞ୍ଚାୟତର ଜାନକିପଦର ଗ୍ରାମବାସୀ ୨ କିମି, ଲାକବାହାଲି ପଞ୍ଚାୟତର ପଣସପଦର ଗ୍ରାମବାସୀ ଦେଢ କିମି ଓ ଗୁଣ୍ଡରି ପଞ୍ଚାୟତର ତାଡିଝୋଲା ଗ୍ରାମବାସୀ ୧କିମି ଦୂର ଯାଇ ନାଳ ଓ ଝରଣା ପାଣି ଆଣି ଶୋଷ ମେଣ୍ଟାଇଥାନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରବ୍ଲକ ମହକୁମାଠାରୁ ମାତ୍ର ୮ କିଲୋମିଟର ଦୂର ଭଟାଙ୍ଗପଦର ନିକଟ ତଲ ଟାଙ୍ଗନକନା ଗ୍ରାମ ଅବସ୍ଥିତ। ୪୦ଟି ପରିବାର ରାବଣଦର ନାଳର ବାଲିଚୁଆ ଉପରେ ନିର୍ଭର କରିଥାନ୍ତି। ଜିଲ୍ଲା ମୁଖ୍ୟାଳୟର ନାକତଳେ ଥିବା ଏହି ଗ୍ରାମ ପାଇଁ ପାନୀୟ ଜଳ ସ୍ୱପ୍ନ ପାଲଟିଛି। ଥୁଆମୂଳ ରାମପୁର ବ୍ଲକ ବଡଛତରଙ୍ଗ ପଞ୍ଚାୟତ ଦାବରିଗୁଡା ଗ୍ରାମବାସୀ ପ୍ରାୟ ୧ କିମି ଦୂର ଇନ୍ଦ୍ରାବତୀ ନଦୀରୁ ପାଣି ଆଣିଥା’ନ୍ତି। ବିରିକୋଟ ପଞ୍ଚାୟତ ସୁକସାନ ଗ୍ରାମବାସୀ ପ୍ରାୟ ୧ କିମି ଦୂର ଚାଷ ଜମିରୁ ପାଣି ଆଣିଥା’ନ୍ତି।

ବର୍ଷବର୍ଷ ଧରି ମହିଳାମାନେ ବର୍ଷତମାମ ବିଭିନ୍ନ ନଦୀ ଓ ନାଳ ଉପରେ ପାନୀୟ ଜଳ ପାଇଁ ଭରସା କରୁଛନ୍ତି। ଯୋଜନା ‌ପରେ ଯୋଜନା ଚାଲିଛି ଅଥଚ ଏହି ଗ୍ରାମବାସୀଙ୍କ ଶୋଷ ମେଣ୍ଟି ପାରିନାହିଁ। ଦୂଷିତ ପାନୀୟ ଜଳ ପିଇ ବାରମ୍ବାର ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦୁର୍ଗମ ଅଧିବାସୀ ଭାଗ୍ୟକୁ ଆଦରି ଅନ୍ଧାରୀ ବଣମୂଳକରେ ଜୀବନ ଜିଉଛନ୍ତି। କେବେ ସରକାରଙ୍କ କୃପାଦୃଷ୍ଟି ପଡ଼ିବ ସେନେଇ ଅନାଇ ବସିଛନ୍ତି।

ସମ୍ବନ୍ଧିତ ଖବର