ଭିମ୍‌ସାରରେ ଉତ୍କଟ ଜଳ ସଙ୍କଟ : ଅସ୍ତ୍ରୋପଚାର ପରେ ହାତ ଧୋଇବାକୁ ବି ପାଣି ମିଳୁନି, ୫ ଦିନ ହେଲା ଅସ୍ତ୍ରାପଚାର ବନ୍ଦ!

ସମ୍ବଲପୁର : ବୁର୍ଲା ବଡ଼ ମେଡିକାଲରେ ଉତ୍କଟ ଜଳ ସଙ୍କଟ। କେତେବେଳେ କାଜୁଆଲଟିର ଟ୍ୟାପରୁ ପାଣି ବାହାରୁନି ତ ଆଉ କେତେବେଳେ ମେଡିସିନ୍‌ ୱାର୍ଡରେ ପାଣି ପହଞ୍ଚୁନି। ତେବେ ବର୍ତ୍ତମାନ ପରିସ୍ଥିତି ସବୁ ସୀମା ଲଂଘି ସାରିଲାଣି। ମେଡିକାଲର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପାଣିର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। କିନ୍ତୁ ଏଠାରେ ପାଣିର ଏଭଳି ସଙ୍କଟ ଦେଖାଦେଲାଣି ଯେ ଆଉ ଅସ୍ତ୍ରୋପଚାର କରିବା ବି ସମ୍ଭବ ହେଉନି। ଅସ୍ତ୍ରୋପଚାର ପରେ ଡାକ୍ତର ଓ ନର୍ସମାନେ ହାତ ଧୋଇବାକୁ ବି ପାଣି ମୁନ୍ଦାଏ ପାଉ ନାହାନ୍ତି। ଫଳରେ ସେମାନେ ବାଧ୍ୟ ହୋଇ ସାଲାଇନ୍‌କୁ ପାଣି ଭାବେ ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ, ଏହି ସମସ୍ୟା ପାଇଁ ଗତ ୫ ଦିନ ହେବ ମେଡିକାଲର ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଅସ୍ତ୍ରାପଚାର ଏକ ପ୍ରକାର ବନ୍ଦ ହୋଇଯାଇଛି। ପାଣିର ସମାଧାନ ନହେବା ଯାଏଁ ଅସ୍ତ୍ରୋପଚାର କରାଯିବା ସମ୍ଭବ ନଥିବାରୁ ରୋଗୀ ବାଧ୍ୟ ହୋଇ ନର୍ସିଂହୋମ୍‌କୁ ଯାଉଥିବା ଜଣାପଡ଼ିଛି। ଏ ନେଇ ମେଡିକାଲ ଅଧୀକ୍ଷକ ଡା.ଜୟଶ୍ରୀ ଦୋରାଙ୍କୁ ‌ପଚାରିବାରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ହସ୍ତଗତ ହୋଇନଥିବା କହିଥିଲେ। ପିଏଚ୍‌ଇଡି ଏସ୍‌ଡିଓ ଅକ୍ଷୟ ଭୂୟାଁଙ୍କୁ ପଚାରିବାରୁ ମେଡିକାଲକୁ ପାଣି ରୋଟେସନ କରି ଦିଆଯାଉଛି। କେବଳ ତ ହସ୍ପିଟାଲ ନୁହେଁ କଲୋନି, ହଷ୍ଟେଲ ଆଦି ସ୍ଥାନକୁ ମଧ୍ୟ ପାଣି ଦିଆଯାଉଛି ବୋଲି ଶ୍ରୀ ଭୂୟାଁ କହିଥିଲେ।

ମିଳିଥିବା ସୂଚନା ମୁତାବକ, ନିତିଦିନ ମେଡିକାଲକୁ ପିଏଚ୍‌ଇଡି ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ଦିନ ୧୨ଟା ସୁଦ୍ଧା ଶେଷ ହୋଇଯାଉଛି। ବଳକା ସମୟରେ ପାଣିର ଅଭାବ ଦୂର କରିବା ପାଇଁ ୱାର୍ଡ ପରିସରରେ ଏକ ବୋରୱେଲରେ ପମ୍ପସେଟ ମଧ୍ୟ ଲାଗିଛି। କିନ୍ତୁ ଗତ ୫ ଦିନ ହେବ ଉକ୍ତ ପମ୍ପସେଟ୍‌ଟି ଅଚଳ ହୋଇଯାଇଥିବ‌ାରୁ ଏବେ ପିଏଚ୍‌ଇଡି ପାଣି ହିଁ ଏକମାତ୍ର ଭରସା। ଯେତିକି ପାଣି ଆସୁଛି ତାହା ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟବହାର କରିବାକୁ ନିଅଣ୍ଟ ହେଉଛି। ଫଳରେ ଦିନ ୧୨ଟା ପରଠାରୁ ଆଉ କୌଣସି ଅସ୍ତ୍ରୋପଚାର ହୋଇପାରୁନାହିଁ। ଯଦିବି କୌଣସି ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ଥାଏ ତେବେ ପାଣି ସ୍ଥାନରେ ସାଲାଇନ୍‌କୁ ବ୍ୟବହାର କରାଯାଉଛି। ଅନ୍ୟ ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଭାଗ ପକ୍ଷରୁ ଏନେଇ ପିଏଚଇଡିର ଦୃଷ୍ଟି ଆକର୍ଷଣ କରାଯିବା ପରେ ଶନିବାର ଉକ୍ତ ପମ୍ପସେଟ ମରାମତି ପାଇଁ ନିଆ‌ଯାଇଛି।

ସମ୍ବନ୍ଧିତ ଖବର