ଟାଙ୍ଗରପାଲି (ସୁନ୍ଦରଗଡ଼): ଟାଙ୍ଗରପାଲି ବ୍ଲକ୍‌ର ଅନେକ ଗାଁ ଗଣ୍ତା ଆଜି ବି ପ୍ରଶାସନର ଦୃଷ୍ଟି ଅଢୁଆଳରେ ରହିଯାଇଛି। ସ୍ୱାଧୀନତାର ଦୀର୍ଘ ୭୪ ବର୍ଷ ପରେ ମଧ୍ୟ ଏହି ଅଂଚଳବାସୀ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି। ବିକାଶରେ ସଫଳତାକୁ ନେଇ ଏହି ବ୍ଲକ ଅନେକଥର ବିଭିନ୍ନ ସ୍ତରରେ ସମ୍ମାନିତ ହୋଇଥିବା ସ୍ଥଳେ ବିକାଶର ବାସ୍ତବ ଚିତ୍ର ଅଲଗା। ଅନେକ ଗାଁ ଗଣ୍ତାରେ ଲୋକେ ସାଧାରଣ ମୌଳିକ ସୁବିଧା ଟିକିଏ ପାଇବାରୁ ଏବେବି ବଞ୍ଚିତ। ଲୋକଙ୍କୁ ସରକାରୀ ସୁବିଧା ଯୋଗାଇବା ନାରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି ସତ ମାତ୍ର ଅନୁଦାନର ସଦବିନିଯୋଗରେ ଅନିୟମିତତା ଯୋଗୁଁ ସେସବୁ ଯୋଜନାରେ ବିଭ୍ରାଟ ପରିଲିକ୍ଷିତ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ହେଉକି ପ୍ରିୟାପ୍ରୀତି ମନୋଭାବ ହେଉ ସରକାରଙ୍କ ଯୋଗାନ୍ତକାରୀ ଯୋଜନା ଗୁଡିକ ସଫଳ ରୂପାୟନ କରିବା ଦିଗରେ ଅନ୍ତରାୟ ସୃଷ୍ଟି କରିଛି। ଏଭଳି ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବ୍ଲକର ଗମ୍ଭାରିଡିହି ପଞ୍ଚାୟତର ପଣ୍ତରିପାଣି ଗାଁ’ରେ। ପ୍ରକଳ୍ପର ଅବ୍ୟବସ୍ଥା ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯିବାରୁ ଏହି ପ୍ରକଳ୍ପ ତାଙ୍କ ଅଧୀନରେ ନଥିବା ଏବଂ ଏହା ପଞ୍ଚାୟତ ପରିଚାଳନା କରୁଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତ କରିବ ବୋଲି ପ୍ରକାଶ କରିଥିଲେ।

Advertisment

ଉଲ୍ଲେଖ ଯୋଗ୍ୟ ଯେ ବିଗତ ୨୦୦୨ ଆର୍ଥିକ ବର୍ଷରେ ପାଇଲଟ୍ ପ୍ରୋଜେକ୍ଟରେ ଏକ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ପ୍ରକଳ୍ପଟି ଗ୍ରାମ୍ୟ ଜଳ ଓ ପରିମଳ ସମିତି ଦ୍ୱାରା ପରିଚାଳିତ ହେଉଥିଲା ଏବଂ ପରବର୍ତ୍ତୀ ସମୟରେ ଗମ୍ଭାରିଡିହି ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ତେବେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ପ୍ରକଳ୍ପଟି ଭାଙ୍ଗିରୁଜି ସଂପୂର୍ଣ୍ଣ ନଷ୍ଟ ହୋଇ ଏବେ ଖତଖାଇବାରେ ଲାଗିଛି। ଅପରପକ୍ଷେ ଏହା ପାହାଡି ଦୁର୍ଗମ ଅଂଚଳ ହୋଇଥିବାରୁ ସ୍ଥାନୀୟ ଲୋକେ ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକଳ୍ପର ନିର୍ମାଣ ଆରମ୍ଭ କରାଯାଇଥିବାବେଳେ ସ୍ଥାନୀୟ ବାସିନ୍ଦା ସେମାନଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି ବୋଲି ଭାବିଥିଲେ। ହେଲେ ପ୍ରକଳ୍ପରୁ ପାଣି ଯୋଗାଣ ହେବା ତ ଦୂରର କଥା ଏ ଦିଗରେ ବିଭାଗୀୟ ଅବହେଳା ଯୋଗୁଁ ପ୍ରକଳ୍ପର ପାଇପ ଫାଟିବା, ଷ୍ଟାଣ୍ତ ପୋଷ୍ଟ ଗୁଡିକ ଭାଙ୍ଗିରୁଜି ଖତ ଖାଉଥିବା ଦେଖିବାକୁ ମିଳିଛି। ପଞ୍ଚାୟତବାସୀ ନିଜର ପଞ୍ଚାୟତ ପ୍ରତିନିଧି ସମେତ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା 'ସରକାର କି ମାଲ , ଦରିଆ ମେ ଡାଲ୍ ' ନୀତିରେ କେହି ଆଦୌ ଗୁରୁତ୍ବ ଦେଇନାହାନ୍ତି। ସରକାରଙ୍କ ଅର୍ଥ କମିଶନ ଅନୁଦାନରେ ପାନୀୟ ଜଳ ସୁବିଧା ସକାଶେ ଶତକଡା ୫୦ ଭାଗ ଅନୁଦାନର ବିଶେଷ ବ୍ୟବସ୍ଥା ରହିଥିଲେ ସୁଦ୍ଧା ପଂଚାୟତ କର୍ତ୍ତୃପକ୍ଷ ଏ ଦିଗରେ ଗୁରୁତ୍ବ ନଦେବା ଏବଂ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ମଧ୍ୟ ଏଭଳି ଗୁରୁତ୍ବପୂର୍ଣ୍ଣ ଯୋଜନାର ସଫଳତା ଦିଗରେ ଦୃଷ୍ଟି ଦେଉନଥିବା ବାସ୍ତବିକ ପରିତାପର ବିଷୟ।