ରାୟଗଡା: ଗ୍ରାମବାସୀଙ୍କ ପାନୀୟ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ସରକାରୀ ଅନୁଦାନରୁ ସରପଂଚ ନିର୍ମାଣ କଲେ ସୋଲାର ଡୁଆଲ୍ ପମ୍ପ ପ୍ରକଳ୍ପ। ଆଉ ପ୍ରକଳ୍ପ ଯୋଗୁଁ ଗ୍ରାମବାସୀ ପାଇ ପାରିଲେ ବିଶୁଦ୍ଧ ପିଇବା ପାଣି। କିନ୍ତୁ ବାର୍ଷିକ ଯୋଜନାରେ ପ୍ରକଳ୍ପ ଗୋଟିଏ ସ୍ଥାନରେ ନିର୍ଦ୍ଧାରିତ ହୋଇଥିବା ବେଳେ ଅନ୍ୟ ସ୍ଥାନରେ କରାଯାଇଥିବାରୁ ନିର୍ମାଣ ପ୍ରକଳ୍ପର ବିଲ୍ ନ କରାଇବାରେ ବିଭାଗୀୟ ଅଧିକାରୀ ମନା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ସରପଂଚ। ପ୍ରକଳ୍ପ ନିର୍ମାଣ କରିଥିବା ସଂସ୍ଥା ଏବେ ସରପଂଚଙ୍କୁ ବିଲ୍ ଟଙ୍କା ମାଗୁଛି, ଯାହାକୁ ନେଇ ସରପଂଚ ସ୍ଥାନୀୟ ବିଡିଓଙ୍କ ଦୃଷ୍ଟି ଆର୍କଷଣ କରିଥିବା ବେଳେ ପ୍ରକଳ୍ପ ନିର୍ମାଣ ସଂସ୍ଥାକୁ ବିଲ୍ ଟଙ୍କା ପ୍ରଦାନ ପାଇଁ ଗ୍ରାମବାସୀ ମଧ୍ୟ ନିବେଦନ କରିଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ସଦର ବ୍ଳକ ପିତାମହଲ ଗ୍ରାମ ପଂଚାୟତ ଅନ୍ତର୍ଗତ ଲାଡା ଗ୍ରାମର ନୂଆସାହିରେ।
ନୂଆସାହିରେ ପ୍ରାୟ ୪୦ ପରିବାର ବସବାସ କରୁଛନ୍ତି। ବିଜୟନଗରମ୍-ଟିଟିଲାଗଡ ତୃତୀୟ ରେଳ ଲାଇନ ନିର୍ମାଣ ପାଇଁ ଗତ ୭ ବର୍ଷ ତଳେ ଏହି ଗ୍ରାମବାସୀମାନଙ୍କୁ ରେଳବାଇ ଜାଗାରୁ ଉଚ୍ଛେଦ କରାଯାଇଥିଲା। ପରେ ରାୟଗଡା-କେରଡା ମୁଖ୍ୟ ରାସ୍ତା କଡରେ ଥଇଥାନ କରାଯିବା ସହ ଆବଶ୍ୟକୀୟ ମୈାଳିକ ସୁବିଧା ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ନୂଆସାହିରେ ବ୍ଳକ ପ୍ରଶାସନ ପକ୍ଷରୁ ୨ଟି ନଳକୂପ ନିର୍ମାଣ କରାଯାଇଥିଲା। ଗଭୀର ନଳକୂପରୁ ପାଣି ନିର୍ଗତ ହେଉ ନ ଥିବାରୁ ଗ୍ରାମବାସୀମାନେ ସରପଂଚଙ୍କ ଠାରେ ଅନ୍ୟ ବିକଳ୍ପ ବ୍ୟବସ୍ଥା ପାଇଁ ଦାବି କରି ଆସୁଥିଲେ।
/sambad/media/post_attachments/wp-content/uploads/2023/11/Rgda-water-problem-solved-but-officer-denied-2.jpg)
ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ ପିତାମହଲ ଗ୍ରାମ ପଂଚାୟତ ସରପଂଚ ଟୁଟୁ ତାଡିଙ୍ଗି ୨୦୨୩-୨୪ ବର୍ଷର ଏକ୍ସନ ପ୍ଳାନ ପ୍ରସ୍ତୁତ ବେଳେ ଲାଡା ଓ ପିତାମହଲ ଗ୍ରାମରେ ଦୁଇଟି ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ବିଡିଓଙ୍କୁ ଜଣାଇଥିଲେ। ସରପଂଚ ଦେଇଥିବା ଗାଁ ଦୁଇଟିର ନାମ ପରିବର୍ତ୍ତେ ପଂଚାୟତର ଜଗନ୍ନାଥପୁର ଏବଂ କନ୍ଧଖିଲମ ଗ୍ରାମରେ ପ୍ରକଳ୍ପ ନିର୍ମାଣ ପାଇଁ ଏକ୍ସନ ପ୍ଳାନ ତାଲିକାରେ ଅନୁମୋଦିତ ହୋଇଥିଲା। ପୂର୍ବରୁ ଉକ୍ତ ଦୁଇଟି ଗ୍ରାମରେ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇ ସାରିଥିବା ବେଳେ ଲାଡା ଗ୍ରାମବାସୀଙ୍କ ଦାବି ଅନୁଯାୟୀ ସରପଞ୍ଚ ଲାଡା ଠାରେ ପ୍ରକଳ୍ପ ନିର୍ମାଣ ପାଇଁ ବିଭାଗୀୟ ଅଧିକାରଙ୍କୁ ଜଣାଇଥିଲେ। କିନ୍ତୁ ପ୍ରକଳ୍ପ ନିର୍ମାଣ ହୋଇ ନ ପାରିବାରୁ ଗ୍ରାମବାସୀମାନେ ଚଳିତ ଗ୍ରୀଷ୍ମଋତୁରେ ପାନୀୟ ଜଳ ପାଇଁ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗାଁରେ ଥିବା ନଳକୂପରେ ଗୋଟିଏ ହାଣ୍ଡି ପାଣି ପାଇଁ ଘଂଟା ଘଂଟା ସମୟ ଅପେକ୍ଷା କରିବାକୁ ପଡୁଥିଲା ଗ୍ରାମବାସୀଙ୍କୁ।
ଗ୍ରାମବାସୀଙ୍କ ପାନୀୟ ଜଳ ସଙ୍କଟ ସମସ୍ୟାକୁ ନେଇ ଗ୍ରାମସଭା ମାଧ୍ୟମରେ ସୋଲାର ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରସ୍ତାବ ପାରିତ କରି ସଭାର ରେଜୁଲେସନ୍ କପି ସରପଂଚ ଶ୍ରୀ ତାଡିଙ୍ଗି ବିଡିଓଙ୍କୁ ପ୍ରଦାନ କରିଥିଲେ। ସରପଂଚ ଭାବେ ନିଜ ପଂଚାୟତବାସୀଙ୍କ ସମସ୍ୟାର ସମାଧାନ କରିବା ଲକ୍ଷ୍ୟ ନେଇ ଲାଡା ନୂଆସାହିରେ ସି.ଏଫ.ସି ଅନୁଦାନରେ ୨ଲକ୍ଷ ୮୬ ହଜାର ଟଙ୍କା ବ୍ୟୟ ଅଟକଳରେ ଡୁଆଲ ସୋଲାର ପମ୍ପ ପ୍ରକଳ୍ପ ନିର୍ମାଣ କରାଇଥିଲେ। ବର୍ତମାନ ଗତ ଦୁଇ ସପ୍ତାହ ଧରି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାରୁ ଗ୍ରାମର ମହିଳା ଏମ. ଦିବ୍ୟା ଭାରତୀ, ରତ୍ନାଲୁ ଆନ୍ତଲୁ, ସୁଜାତା ପାଲକା, ସୁଲୋ ମିଶାଲ, ବୃନ୍ଦା ହଳଧର, ବନିତା ବାତ୍ରୀୟା, ନାଗେଶ ବାତ୍ରୀୟା, ଅରୁଣ ମିଶାଲଙ୍କ ସମେତ ଗ୍ରାମର ଅନ୍ୟମାନେ ଖୁସି ପ୍ରକଟ କରିଥିବା ବେଳେ ବିଭାଗୀୟ ଅଧିକାରୀ ସହକାରୀ ନିର୍ବାହୀ ଯନ୍ତ୍ରୀ ସରକାରୀ ନିୟମର ଦ୍ୱାହି ଦେଇ ପ୍ରକଳ୍ପର ମାପଚୁପର ବିଲ୍ କରୁ ନ ଥିବାରୁ ପ୍ରକଳ୍ପ ନିର୍ମାଣ ସଂସ୍ଥା ସରଂପଚଙ୍କୁ ବିଲ୍ ଟଙ୍କା ମାଗୁଥିବା ସରପଂଚ ଶ୍ରୀ ତାଡିଙ୍ଗି ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2023/11/Rgda-water-problem-solved-but-officer-denied-1.jpg)
ଅପରପକ୍ଷେ ଏ ନେଇ ଆମେ ବିଡିଓ ଅମୂଲ୍ୟ କୁମାର ସାହୁଙ୍କ ପ୍ରତିକ୍ରିୟା ପଚାରିବାରୁ ପାନୀୟ ଜଳ ଯୋଗାଣ ଏକ ଜରୁରୀକାଳନୀ ସେବା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ। ତେଣୁ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ଦିଗରେ ସରପଂଚ ବାବୁ ଉଚିତ୍ କାମ କରିଛନ୍ତି। ନିର୍ମାଣ ପ୍ରକଳ୍ପର ବିଲ୍ ପ୍ରଦାନ ବାବଦକୁ ଉପରିସ୍ଥ ଅଧିକାରୀ ତଥା ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରି ନିୟମ ପ୍ରକାରେ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାକୁ ବିଲ୍ ପ୍ରଦାନର ବ୍ୟବସ୍ଥା କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Rgda-water-problem-solved-but-officer-denied-4.jpg)