ରାଇରଙ୍ଗପୁର: ପୂର୍ବରୁ ଗାଁ ଏବଂ ସହରର ଜଳାଶୟ ଗୁଡିକ ଯୋଗୁଁ ଜଳ ସମସ୍ୟାରୁ ମୁକ୍ତି ମିଳୁଥିଲା। ବର୍ତ୍ତମାନ ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକର ଅଧିକାଂଶ ଜଳାଶୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କିଛି ଜଳାଶୟ ପୁନଃରୁଦ୍ଧାର ଆଳରେ ଶୁଖିଲା ଓ ଅପରିଷ୍କାର ଅବସ୍ଥାରେ ରହିଛି। କିଛି ଜଳାଶୟକୁ ପୁନଃ ଉଦ୍ଧାର ପାଇଁ ମେସିନ୍ ସାହାଯ୍ୟରେ ପାଣିକୁ କାଢ଼ି ଦିଆଯାଉଛି ତ କେଉଁଠି ସରକାରୀ ଅର୍ଥକୁ ଆତ୍ମସାତ୍ କରିବା ପାଇଁ କେବଳ ସୂଚନା ଫକଳ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ଉଠାଯାଉଛି। ନିଜର ସ୍ୱାର୍ଥ ପାଇଁ ଜେସିବି ସାହାଯ୍ୟରେ ଜଳାଶୟ ଗୁଡ଼ିକୁ ଖୋଳି ସଫା କରାଯାଉଛି।

Advertisment

ତେବେ ବର୍ତ୍ତମାନ ଅଧିକାଂଶ ଠିକାଦାର ଅଧିକ ଲାଭ ପାଇବା ଆଶାରେ ନୂତନ ପୋଖରୀ ଖୋଳିବା କାର୍ଯ୍ୟ ଓ ଜଳାଶୟ ନବୀକରଣ କାର୍ଯ୍ୟ ଉପରେ ଲୋଲୁପ୍ତ ଦୃଷ୍ଟି ପଡୁଛି। ଅଳ୍ପ କାର୍ଯ୍ୟ କରି ଅଧିକ ବିଲ୍ ଉଠାଇ ଲାଭବାନ୍ ବି ହେଉଛନ୍ତି। ବାମନଘାଟୀ ଉପଖଣ୍ଡରେ ଅଧିକାଂଶ ଲୋକ ଗରିବ ଓ ଖଟିଖିଆ ଶ୍ରେଣୀର ଅଟନ୍ତି। ତାଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ରୋଜଗାର ପ୍ରଦାନ କରିବାର ଉଦ୍ଦେଶ୍ୟ ନେଇ ପ୍ରତ୍ୟେକ ବ୍ଲକ୍ ଓ ପୌରପରିଷଦକୁ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଛି। ମାତ୍ର କାର୍ଯ୍ୟ ଗୁଡ଼ିକ ତଦାରଖ କରୁଥିବା ଅଧିକାରୀ ସମୂହ ସ୍ୱାର୍ଥକୁ ବିଚାର ନକରି ନିଜସ୍ୱ ସ୍ୱାର୍ଥକୁ ବେଶି ଗୁରୁତ୍ୱ ପ୍ରଦାନ କରୁଛନ୍ତି। ସେଥିପାଇଁ ପାରମ୍ପରିକ ଥିବା ଜଳଉତ୍ସ ଗୁଡିକ ଲୋପ ପାଇବାକୁ ବସିଲାଣି ଏବଂ ଆଗାମୀ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବା ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଉପଖଣ୍ଡର ସମସ୍ତ ବ୍ଲକରେ ହେଉଥିବା ଅନିୟମିତତା କାର୍ଯ୍ୟ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏପରିକି ରାଇରଙ୍ଗପୁର ପୌରପରିଷଦ କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି କିଲୋମିଟର ଦୂର ମହୁଲଡିହାଠାରେ ଥିବା ଜଳାଶୟକୁ ଦୀର୍ଘ ୩ ବର୍ଷ ପୂର୍ବରୁ ନବୀକରଣ ପାଇଁ ସମସ୍ତ ଜଳ ନିଷ୍କାସନ କରାଯାଇ ନବୀକରଣ ହୋଇଥିଲା। ଅଧିକାଂଶ ଲୋକେ ଉକ୍ତ ଜଳାଶୟରେ ଗାଧୁଆ ସମେତ ଅନ୍ୟାନ୍ୟ ନିତ୍ୟକ୍ରମ ପାଇଁ ଶହଶହ ଜନସାଧାରଣ ବ୍ୟବହାର କରିଥାନ୍ତି।

ତେବେ ପୁନଃଦ୍ଧାର ଓ ନବୀକରଣ ନିମନ୍ତେ କୋଟି କୋଟି ଖର୍ଚ୍ଚ ହୋଇଥିଲେ ମଧ୍ୟ ବର୍ତମାନ ଜଳାଶୟଟି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି। ଫଳରେ ଉକ୍ତ ଜଳରେ ଗାଧେଇଲେ କିଛି ଲୋକଙ୍କ କୁଣ୍ଡିଆ ହେଉଥିବା ଅଭିଯୋଗ ହେଉଛି। ଜଳାଶୟରୁ ଜଳ ନିଷ୍କାଷନ ନିମନ୍ତେ ଡ୍ରେନ୍ କରାଯାଇଥିଲା। ତେବେ ଉକ୍ତ ଡ୍ରେନରୁ ଜଳ ନିଷ୍କାସନ ହୋଇ ପାରୁନଥିବାରୁ ଜଳ ଅପରିଷ୍କାର ହେଉଛି।