ଜୟପୁର: ଖରିଫ ସରୁ ସରୁ ରବି ଚାଷ ପାଇଁ ଚାଷୀ ପ୍ରସ୍ତୁତି ଆରମ୍ଭ କରିଛି। ଜୟପୁର ଉପଖଣ୍ଡରେ ଚାଷ ପାଇଁ ମୁଖ୍ୟତଃ‌ ଉପରକୋଲାବ ଓ ତେଲିଙ୍ଗିରୀକେନାଲ ପାଣି ଉପରେ ନିର୍ଭର। ତେଲିଙ୍ଗିରୀ ମଧ୍ୟମଜଳସେଚନ ପ୍ରକଳ୍ପରୁ ପାଣି ଛଡ଼ାଯାଇଛି। ସେଭଳି ଉପରକ‌ୋଲାବ ଜଳସେଚନ ପ୍ରକଳ୍ପ ଅଧିନରେ  ସତୀଗୁଡା ଡ୍ୟାମରୁ ପଦ୍ମପୁର ଡିଷ୍ଟ୍ରିବ୍ୟୁଟରୀରେ ଛଡ଼ାଯାଇଛି। ତେବେ ଆସନ୍ତା ୧୦ତାରିଖରୁ ମୁଖ୍ୟକେନାଲରେ ପ୍ରଥମେ ପାଣି ଛଡ଼ା ଯିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଉପରକୋଲାବ  ସହକାରୀ ମୁଖ୍ୟ ନିର୍ମାଣଯନ୍ତ୍ରୀ ଇଂ. ବି.କୋଣ୍ଡଲ ରାଓ। ଜୟପୁର ଉପଖଣ୍ଡର ୪୧ହଜାର ୮୩୩ଏକର ଜମିରେ ଏହି ପାଣି ମାଡ଼ିବ।

Advertisment

ଜୟପୁର ବ୍ଲକ, କୋଟପାଡ ବ୍ଲକ, ବୋରିଗୁମ୍ମା ବ୍ଲକ ଓକୁନ୍ଦ୍ରା ବ୍ଲକର ଚାଷ ପାଇଁ ଅପରକୋଲାବ ଜଳଭଣ୍ଡାର , ସତୀଗୁଡା ଜଳଭଣ୍ଡାରରୁ କେନାଲରେ ପାଣି ଛଡାଯାଏ ଏବଂ ଏହାକୁ ନିଜ ଜମିରେ ମଡାଇ ଚାଷ କରିଥାନ୍ତି। ଜଳଭଣ୍ଡାରରୁ ପାଣି ବାହାରିବା ପରେ ମୁଖ୍ୟକେନାଲ ୧୭.୮୫ କିଲୋମିଟର, ଶାଖା କେନାଲ ୫.୧୩୬ କିଲୋମିଟର, ଡିଷ୍ଟ୍ରିବ୍ୟୁଟରୀ କେନାଲ ୬୪.୧୮୮ କିଲୋମିଟର, କ୍ଷୁଦ୍ର ଜଳସେଚନ କେନାଲ ୭୧.୮୨୯କିଲୋମିଟର, ଅତିରିକ୍ତ କ୍ଷୁଦ୍ର ଜଳସେଚନ କେନାଲ ୮୬.୫୦କିଲୋମିଟର ଏଭଳି ସର୍ବମୋଟ ୨୪୫.୫୦୩କିଲୋ ମିଟରର କେନାଲ ମାଧ୍ୟମରେ ଚାଷୀଙ୍କ ଜମିକୁ ପାଣି ପହଚିଂବ। ୧୦କ୍ୟୁମେକ୍ସ ହିସାବରେ ପାଣି ଛାଡିବା ସହ କେନାଲରେ ୫୦କ୍ୟୁମେକ୍ସ ପାଣି ଜମା ହୋଇ ରହିବ ।  ଜୟପୁର ସହରରେ ପାଣି ଯୋଗାଣ ଓ ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ବି ପାଣି ଛଡାଯାଉଛି। ତେଣୁ ଜଳଭଣ୍ଡାରର ପାଣି କମିବାରେ ଲାଗିଛି। ପ୍ରାରମ୍ଭିକ ଭାବେ ଜୟପୁର ଏବଂ ବୋରିଗୁମ୍ମା ବ୍ଲକରେ ପାଣି ଯୋଗାଇବା ପରେ ଧିରେ ଧିରେ କୋଟପାଡ ବ୍ଲକରେ ଥିବା ଶେଷ ମୁଣ୍ଡରେ ପାଣି ପହଚାଂଇବାକୁ ନିଷ୍ପତି ହୋଇଛି ବୋଲି କହିଛନ୍ତି ଉପରକୋଲାବ ସହକାରୀ ମୁଖ୍ୟ ନିର୍ମାଣଯନ୍ତ୍ରୀ।

ଜୟପୁର ଏୟାରପୋର୍ଟର ସଂପ୍ରସାରଣ ମଧ୍ୟରେ  ଧନପୁର ଡିବିସି କେନାଲ ରହିଛି। ଏହି କେନାଲରେ ୨୦୦ମିଟରର ଟନେଲ କାମ ଜାରି ରହିଛି। ପୂର୍ତ୍ତବିଭାଗ ପକ୍ଷରୁ ଏଠାରେ ଚାଷୀଙ୍କୁ ପାଣି ଯୋଗାଇବା ପାଇଁ ଏହି ଟନେଲ କାମ ସ୍ଥାନରେ ନୂଆରେ ଡାଇଭରସନ୍ କେନାଲ ନିର୍ମାଣ କରିଛନ୍ତି। ସଂପ୍ରତି କେନାଲ ଗୁଡିକରେ କିଛି କାମ ରହିଥିବାରୁ ଏବଂ କୋଟପାଡ଼ ବ୍ଲକରେ ଖରିଫ ଧାନ କିଛି ଜମିରେ ରହିଥିବାରୁ ଆସନ୍ତା ୧୦ତାରିଖ ପରେ ପାଣି ଛଡ଼ାଯିବ ବୋଲି କହିଛନ୍ତି ସହକାରୀ  ମୁଖ୍ୟ ନିର୍ମାଣଯନ୍ତ୍ରୀ । ଏହାରି ମଧ୍ୟରେମୁଖ୍ୟ କେନାଲ ,ସବକେନାଲ ଆଦିର ମରାମତି,ରକ୍ଷଣାବେକ୍ଷଣ କାମ ବି ଜାରୀ ରହିଛି ବୋଲି କହିଛନ୍ତି   ସହକାରୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ।  ଗୋଟିଏ ପଟେ ଚାଷୀଙ୍କୁ ଚାଷ ପାଇଁ ପାଣି ଯୋଗାଣ ସହ ବିଦ୍ୟୁତ ଉତ୍ପାଦନ ବି ଜାରୀ ରହିବ ବୋଲି କହିଛନ୍ତି  ସହକାରୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ସେଭଳି  ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପାଣି ବୋରିଗୁମ୍ମା ବ୍ଲକ, ଜୟପୁର ବ୍ଲକର ରାଣୀଗଡ ଅଂଚଳୂ ୪୮୯୭ହେକ୍ଟର ଜମିରେ ଚାଷ ପାଇଁ ପାଣି ଛଡ଼ାଯାଇଛି ବୋଲି କହିଛନ୍ତି ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ସେନାପତି। ବୋରିଗୁମ୍ମା ବ୍ଲକର କୁମୁଲି, କାମତା, ବଡ଼ିଗାଁ, ନାରିଗାଁ ,ଜୟପୁର ବ୍ଲକର ରାଣୀଗୁଡାର ଆଂଶିକ ଅଂଚଳରେ ପାଣି ମାଡ଼ିବ ଏବଂ ତଳମୁଣ୍ଡ ପର୍ଯ୍ୟନ୍ତ ପହଚିଂବା ପାଇଁ ୪ଦିନ ଲାଗିବ ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ।