ଭୂତଳ ଜଳସ୍ତର ବଢ଼ାଇବାକୁ ଯୋଜନା : ଅଚଳ ବୋରୱେଲ୍‌ ମାଧ୍ୟମରେ ହେବ ଜଳ ସଂରକ୍ଷଣ

ପ୍ରଥମ ପର୍ଯ୍ୟାୟରେ ୧୨୯ ‌ଅଚଳ ବୋରୱେଲ୍‌ ବ୍ୟବହାର ହେବ

ଭୁବନେଶ୍ବର : ରାଜ୍ୟରେ ଭୂତଳ ଜଳସ୍ତର କମି କମି ଯାଉଥିବାବେଳେ ଏହାକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କ ଜଳଶକ୍ତି ମିସନ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ବସାଯାଇଥିବା ଅଚଳ ବୋ‌ରୱେଲ୍‌ ମାଧ୍ୟମରେ ଭୂତଳ ଜଳ ସଂରକ୍ଷଣ କରିବାକୁ ନିଷ୍ପତ୍ତି ହୋଇଛି ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଚଳ ବୋରୱେଲ୍‌ ତାଲିକା ସଂଗ୍ରହ କରାଯାଇଛି। ଏହି ଅଚଳ ବୋରୱେଲରେ ଯେପରି ବର୍ଷା ଜଳ ମାଟି ତଳକୁ ଯିବ ସେନେଇ ବ୍ୟବସ୍ଥା କରାଯିବ।

ଜନସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ୨୦୭୧ଟି ବୋରୱେଲ୍‌ ବସା ଯାଇଥିବାବେଳେ ୧୯୪୨ଟି ଏବେ ସୁଦ୍ଧା କାର୍ଯ୍ୟକ୍ଷମ ଅଛି। ୧୨୯ଟି ଅଚଳ ହୋଇଯାଇଛି। ପୁରୀ ଜିଲ୍ଲାରେ ସର୍ବାଧିକ ୨୯ଟି ଅଚଳ ବୋରୱେଲ୍‌ ଥିବାବେଳେ ଭୁବନେଶ୍ବରରେ ୭ଟି, ବାଲୁଗାଁରେ ୫ଟି, କଟକରେ ୭ଟି, ଆଠଗଡ଼ରେ ୭ଟି, ବାଙ୍କିରେ ୩ଟି, ଚୌଦ୍ବାରରେ ୬ଟି, ଜଗତସିଂହପୁରରେ ଗୋଟିଏ, ପାରାଦୀପରେ ଗୋଟିଏ, ଯାଜପୁରରେ ୨ଟି, ଢେଙ୍କାନାଳରେ ୩ଟି, ବାଲେଶ୍ବରରେ ୭ଟି, ବାସୁଦେବପୁର, ଭଦ୍ରକ, ଚାନ୍ଦବାଲିରେ ଗୋଟିଏ ଲେଖାଏଁ, ନବରଙ୍ଗପୁର, ଉମରକୋଟ, ଖଲିକୋଟ, କୋଦଳାରେ ଦୁଇଟି ଲେଖାଏଁ, ଆସିକା, ବୁଗୁଡ଼ା ଓ ଛତ୍ରପୁରରେ ତିନିଟି ଲେଖାଏଁ ବୋରୱେଲ୍‌ ଅଚଳ ଅଛି। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ସବୁ ବୋରୱେଲ୍‌କୁ ଭୂତଳ ଜଳ ସଂରକ୍ଷଣ ପାଇଁ ବ୍ୟବହାର କରାଯିବ।

ସେହିପରି ସହରାଞ୍ଚଳରେ ଏବେ ୩୮୨୩୨ଟି ନଳକୂପ ଥିବାବେଳେ ୩୭୯୭୬ଟି କାମ କରୁଛି। ୨୫୬ଟି ଏବେବି ଅଚଳ ଅଛି। ଏଥିରେ ସବୁଠୁ ଅଧିକ ସୁନାବେଡାରେ ୨୭ଟି ଥିବାବେଳେ କୋଟପାଡ଼ରେ ୨୨ଟି, ଖଣ୍ଡପଡ଼ାରେ ୧୭ଟି ଅଚଳ ନଳକୂପ ଅଛି। ପର୍ଯ୍ୟାୟକ୍ରମେ ଏହାକୁ ଭୂତଳ ଜଳ ସଂରକ୍ଷଣରେ ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର