ଜୁନ୍‍ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ

ଭୁବନେଶ୍ୱର: ଆସନ୍ତା ମାସ ୧୫ତାରିଖ ସୁଦ୍ଧା ରାଜ୍ୟର ପୌରାଞ୍ଚଳଗୁଡିକରେ ଆଉ ୨୫ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ୱାର୍ଡରେ ଥିବା ଖୋଲାସ୍ଥାନ ଓ ଛାତ ଉପରେ ଯେଭଳି ଶତ ପ୍ରତିଶତ ପ୍ରକଳ୍ପ ପ୍ରତିଷ୍ଠା ହେବ ସେଥିପାଇଁ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୌର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜଳ ଅମଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ସହିତ ଏହି ନୂତନ ଲକ୍ଷ୍ୟ ପୂରଣ ପାଇଁ କୁହାଯାଇଛି । ସମୀକ୍ଷାରୁ ଜଣାଯାଇଛି ଯେ ୧୯୯୯ଟି ୱାର୍ଡରେ ୨୫ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ ସ୍ଥାପନ ପାଇଁ ଲକ୍ଷ୍ୟ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୮୦୦ ୱାର୍ଡରେ ୨୨,୦୮୯ ଟି ସ୍ଥାନ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ କାର୍ଯ୍ୟ ତୁରନ୍ତ ସାରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ସହିତ ଗତବର୍ଷ ଯେଉଁସବୁ ଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା ତାହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ମୁକ୍ତା, ଜାଗା ମିଶନ୍‌, ଆହାର, ଏଲଇଡି ଷ୍ଟ୍ରିଟ୍ ଆଲୋକ ବ୍ୟବସ୍ଥା ଓ ପରିମଳ ଆଦିର ସମୀକ୍ଷା କରାଯାଇଥିଲା । ପୌରାଞ୍ଚଳଗୁଡିକରେ ଚଳାଯାଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ସହିତ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟରେ ସମାପ୍ତ କରିବାକୁ ନିଶ୍ଚିତ କରାଯାଇଥିଲା । ସମସ୍ତ ପୌରାଞ୍ଚଳକୁ ମଧ୍ୟ ଏକ ଘରୋଇ ମୋଡରେ ବସ୍ତି ଏବଂ ବିଜୁ ଆଦର୍ଶ କଲୋନୀରେ ପ୍ରତ୍ୟେକ ଘରୋଇ ଗୋଷ୍ଠି ଶୌଚାଳୟ ର୍ନିମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ବୈଠକରେ ପୌର ନିର୍ଦ୍ଦେଶକଙ୍କ ବ୍ୟତୀତ ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ସଞ୍ଜୟ ପରମାଣିକ, ଅତିରିକ୍ତ ସଚିବ କଲ୍ୟାଣ ରଥ ଓ ପ୍ରଭାତ ମହାପାତ୍ର ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଯୁଗ୍ମ ସଚିବ ତଥା ସୁଡାର ନିର୍ଦ୍ଦେଶକ ସାରଦା ପଣ୍ଡା ସ୍ୱାଗତ ଭାଷଣ ଦେଇ ସମୀକ୍ଷା ବୈଠକ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଉକ୍ତ ବୈଠକ ମହାନଗର ନିଗମଗୁଡିକର କମିଶନର, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଓ ପୌର ନିର୍ବାହୀ ଅଧିକାରୀମାନେ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର