ଜଙ୍ଗଲ ଓ ପ୍ରାକୃତିକ ଜଳସ୍ରୋତକୁ ଶୋଷୁଛି ବେଆଇନ ଖଣି, ପ୍ରଶାସନ ଚୁପ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବିଶେଷତଃ ଗ୍ରାମାଂଚଳରେ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖଣି ଯୋଗୁଁ ଜଙ୍ଗଲ ଓ ପ୍ରାକୃତିକ ଜଳସ୍ରୋତ ଶୁଖିବାରେ ଲାଗିଛି । ଏହାଦ୍ୱାରା ଅନେକ ଜଙ୍ଗଲଜନ୍ତୁ ମୃତ୍ୟୁମୁଖରେ ପଡ଼ିବା ସହ ଏସିଆର ବୃହତମ ପ୍ରାକୃତିକ ହ୍ରଦ ଚିଲିକା ଶୁଖିବାରେ ଲାଗିଛି । ଏ ନେଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ଠାରୁ ଜଳ ସମ୍ପଦ ବିଭାଗର କ୍ରମାଗତ ଚେତାବନୀ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ସାଧାରଣରେ ଅଧିକାରୀଙ୍କ ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

୨୦୧୯ରେ ଖୋର୍ଦ୍ଧାରେ ବେଆଇନ ଖଣି ଖନନ ଓ କ୍ରସର ଶିଳ୍ପ ଉପରେ ଏସ୍ଟିଏଫ୍, ପୁଲିସ, ରାଜସ୍ୱ ବିଭାଗ, ପରିବେଶ ପ୍ରଦୂଷଣ ବିଭାଗର ଘନଘନ ଚଢ଼ଉ ହୋଇଥିଲା । ଏସ୍ଟିଏଫ୍ ସାରୁ ଖୋଳୁ ଖୋଲୁ ମହାଦେବ ବାହାରିବା ଭଳି ବେଆଇନ ଖଣି ମାଫିଆଙ୍କ ପଛରେ ଗୋଡ଼ାଇ ବ୍ରାଉନସୁଗାର କାରବାର ଚେର ବେଆଇନ ଖଣି ଖନନ ଯାଏଁ ଲମ୍ବିଥିବା ଜାଣିବାକୁ ପାଇଥିଲା । ପରବର୍ତୀ ସମୟରେ ଅଂଚଳର କେତେକ ପ୍ରକୃତିପ୍ରେମୀଙ୍କ ଆବେଦନର ବିଚାର କରି ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ଅଂଚଳରେ ବେଆଇନ ଖଣି ଉପରେ ପ୍ରଶାସନ ପଦକ୍ଷେପ ନେଉ ନଥିବା ନେଇ ଗତ ୩ ବର୍ଷ ଧରି କ୍ରମାଗତ ଭାବେ ଭର୍ତ୍ସନା କରିଆସୁଛନ୍ତି । ସେହିଭଳି ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ବେଆଇନ ଜବରଦଖଲ ଦ୍ୱାରା ପ୍ରାକୃତିକ ଜଳସ୍ରୋତ ବାଧାପ୍ରାପ୍ତକୁ ନେଇ ଓଡ଼ିଶା ଉଚ୍ଚନ୍ୟାୟାଳୟ ମଧ୍ୟ ଗତ ୨ ବର୍ଷ ଧରି ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଆସୁଛନ୍ତି । ପ୍ରତି ନିର୍ଦ୍ଦେଶ ପରେ ଧର୍ମକୁ ଆଖି ଠାର ଭଳି ପ୍ରଶାସନ ପକ୍ଷରୁ ସାମୟିକ ସମୟ ପାଇଁ ଉଚ୍ଛେଦ ଓ ଧରପଗଡ଼ କରାଯାଉଥିଲେ ମଧ୍ୟ ଏହାର ମୁଖ୍ୟ କାର୍ପଟଦାରଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉନାହିଁ ।

ବର୍ତମାନ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୂପ ଭାବେ ଚେତାବନୀ ଦିଆଯାଇଛି । ୨୦୧୫ରେ ଏନ୍ଜିଟିଙ୍କ ନିର୍ଦ୍ଦେଶାନୁସାରେ, ଜିଲ୍ଲାର ପ୍ରାକୃତିକ ଜଳସ୍ରୋତର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଚିନ୍ତାବ୍ୟକ୍ତ କରାଯାଇଛି । ଚଳିତ ମାସ ୫ ତାରିଖରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ପଦକ୍ଷେପ ନେବାକୁ ଚେତାଇ ଦେଇଛନ୍ତି । ଚିଲିକା, ଲକ୍ଷ୍ମୀସାଗର, କାଂଜିଆ ସାଗର, ବିନ୍ଦୁ ସାଗର ସମେତ ଅନ୍ୟ ପୁରାତନ ଓ ପ୍ରାକୃତିକ ଜଳସ୍ରୋତର ସୁରକ୍ଷା ଓ ସେଗୁଡ଼ିକର ପୁନରୁଦ୍ଧାର ପାଇଁ ନିର୍ଦ୍ଧାରିତ ସମୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏହା ନୁହେଁ ଆସନ୍ତା ୧୫ ତାରିଖ ସୁଦ୍ଧା ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଷଦ ତଥ୍ୟ ରଖିବାକୁ କହିଛନ୍ତି ।

ଖୋର୍ଦ୍ଧା ଗ୍ରାମାଂଚଳରେ ଚିଲିକା ହ୍ରଦକୁ କୁସୁମି, ଦୟା, ଭାର୍ଗବୀ, ମଲାଗୁଣି, ମକରା, ଲୁଣା ଆଦି ୫୨ଟି ପ୍ରାକୃତିକ ଜଳସ୍ରୋତ ସଂଯୋଗ କରୁଥିଲା । ବର୍ତମାନ ଏହାମଧ୍ୟରୁ ୧୭ଟି ଜଳସ୍ରୋତ ଶୁଖିଯାଇଛି । ଏହାପଛରେ ଜଳସ୍ରୋତରେ ବେଆଇନ ଦଖଲ, ଜଙ୍ଗଲ ଜମିର କ୍ଷୟ, ବେଆଇନ ମୋରମ ଓ ମାଙ୍କଡ଼ା ପଥର ଖନନ ଯୋଗୁଁ ଜଳସ୍ରୋତ ଚିଲିକାରେ ପହଂଚିନପାରିବା ଆଦି କାରଣ ରହିଛି । ଏ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ବିିଭିନ୍ନ ସମୟରେ ସର୍ବେକ୍ଷଣ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ସେହିଭଳି ବନବିଭାଗ ଦ୍ୱାରା ହାତୀଙ୍କ ଗମନାଗମନ ପଥରେ ବେଆଇନ ଖଣି ଖନନ ଦ୍ୱାରା ବିରାଟ ଗର୍ତ ସୃଷ୍ଟି ହେଉଥିବାରୁ ହାତୀ, ଅନ୍ୟ ଜଙ୍ଗଲ ଜନ୍ତୁ ଏହାମଧ୍ୟରେ ପଡ଼ି ମୃତ୍ୟୁବରଣ କରୁଛନ୍ତି । ଏ ନେଇ ଜିଲ୍ଲାର ପ୍ରକୃତିପ୍ରେମୀ ଅନେକ ଥର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ଚୁପ୍ ରହିଛି ।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

ସମ୍ବନ୍ଧିତ ଖବର