ଭୁବନେଶ୍ବର: ଖରା ଯୋଗୁଁ ଜଙ୍ଗଲ ଭିତର ଜଳାଶୟଗୁଡ଼ିକ ଶୁଖିଲା ପଡୁଛି। ଜଙ୍ଗଲର ଜୀବଜନ୍ତୁ ପାଣି ପାଇଁ ବ୍ୟାକୁଳ ହେବା ସହିତ ଏଣେ ତେଣେ ବୁଲୁଛନ୍ତି। ଏନେଇ ଜଙ୍ଗଲ ମଧ୍ୟରେ ଜଳ ସଂରକ୍ଷଣ ଓ ଜଳ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ଡିଏଫଓଙ୍କୁ ପିସିସିଏଫ୍ ଚିଠି ଲେଖିଛନ୍ତି। ଏପଟେ ପାଣି ଅଭାବରୁ ହାତୀ ମୃତ୍ୟୁକୁ ଘଟଣାରେ ପିସିସିଏଫ କହିଛନ୍ତି ଯେ, କେଉଁ କାରଣରୁ ମୃତ୍ୟୁବରଣ କରିଛି ତାହା ଶବ ବ୍ୟବଛେଦ ପରେ ଜଣାପଡ଼ିବ।
ଜଙ୍ଗଲ ଭିତରେ ଥିବା ଜଳାଶୟଗୁଡ଼ିକ ଗଭୀର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଶୁଖିଲା ଥିବା ପୋଖରୀରେ ଟ୍ୟାଙ୍କର ସାହାଯ୍ୟରେ ପାଣି ଆଣି ପୋଖରୀରେ ପକାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜଳାଶୟ ପାଖରେ ଛାଇ ବ୍ୟବସ୍ଥା ସହ ନିୟମିତ ସ୍ଥିତିର ଅନୁଧ୍ୟାନ କରିବାକୁ ନିର୍ଦେଶ ରହିଛି। ଜଙ୍ଗଲ ମଧ୍ୟରେ ଯଦି ଜଳ ନମିଳିଲେ ପାଣି ପାଇଁ ବନ୍ୟଜନ୍ତୁମାନେ ଜନବସତି ମୁଁହା ହୋଇ ପାରନ୍ତି। ତେଣୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପାରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ ପିସିସିଏଫ୍ ନିର୍ଦେଶ ଦେଇଛନ୍ତି।
ଏପଟେ ଆଠଗଡ଼ ହାତୀ ଛୁଆ ପାଣି ଅଭାବରୁ ମୃତ୍ୟୁ ଘଟଣାକୁ ନେଇ ପିସିସିଏଫ କହିଛନ୍ତି ଯେ, ପାଣି ଅଭାବରୁ ହାତୀ ଛୁଆର ମୃତ୍ୟୁ ହୋଇନାହିଁ। ସେ ଅଞ୍ଚଳରେ ୩ଟି ପୋଖରୀରେ ପାଣି ରହିଛି। ପୋଷ୍ଟମର୍ଟମ ପରେ ହାତୀ ଛୁଆମୃତ୍ୟୁର କାରଣ ଜଣାପଡ଼ିବ। ଅନ୍ୟପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ନୂଆପଡ଼ାରେ ଏକ କଲରାପତରିଆ ସୁସ୍ଥ ହୋଇଛି। ତୁରନ୍ତ ବାଘକୁ ସାଲାଇନ ଦିଆଯିବା ପରେ ଆଜି ଖାଦ୍ୟ ଖାଇଛି। ଏହା ଗତକାଲି ଠିକ ଭାବେ ଛିଡା ହୋଇ ପାରୁ ନଥିଲା। ଅଂଶୁଘାତ ନା ଅନ୍ୟ କାରଣ ଯୋଗୁଁ ବାଘ ଅସୁସ୍ଥ ହୋଇଥିଲା ତାହା ନିରୀକ୍ଷଣ କରାଯାଉଛି।
ଅନ୍ୟପଟେ ବୃଦ୍ଧାଙ୍କୁ ମାରି ଖାଇଥିବା ବାଘ ଏହି ବାଘ କି ନୁହେଁ ତାହା ଯାଞ୍ଚ କରାଯାଉଛି। ବାଘଟିର ଗତିବିଧିକୁ ନଜର ରଖାଯାଇଛି। ସିସିଟିଭି ମାଧ୍ୟମରେ ସେହି ବାଘ କି ନାଇଁ ଯାଞ୍ଚ କରାଯାଉଛି ବୋଲି ୱାଇଲଡ ଲାଇଫ ପିସିସିଏଫ ଏସ କେ ପୋପଲି କହିଛନ୍ତି।