ବନ୍ୟା ସ୍ଥିତି ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ: ମଧ୍ୟମଧରଣର ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ

ଭୁବନେଶ୍ବର : ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ରବିବାର ଦିନ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସମୀକ୍ଷା କରିଛନ୍ତି।

ସେଚସଦନ ସ୍ଥିତ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଛତିଶଗଡ଼ରୁ କେତେ ପାଣି ଆସୁଛି, ହୀରାକୁଦରେ କେତେ ଗେଟ୍‌ ଖୋଲାଯାଇପାରିବ, ତଳ ମୁଣ୍ଡରେ ସ୍ଥିତି କ’ଣ ଅଛି ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ଏହାପରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ରାଜ୍ୟରେ ସମ୍ଭାବ୍ୟ ମଧ୍ୟମ ଧରଣର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ଅଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି। ସରପଞ୍ଚମାନଙ୍କ ସହ ବି ଯୋଗାଯୋଗ କରାଯାଉଛି। ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଜଳସମ୍ପଦ ବିଭାଗର ବରିଷ୍ଠ ଓ ଅଭିଜ୍ଞ ଯନ୍ତ୍ରୀ ଏବଂ ପଦାଧିକାରୀମାନେ ଉପସ୍ଥିତ ରହି ସ୍ଥତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ପୂର୍ବରୁ ସମସ୍ତ ନଦୀ ବନ୍ଧ ଯାଞ୍ଚ କରାଯାଇ ଦୁର୍ବଳ ଥିବା ନଦୀ ବନ୍ଧ ମରାମତି ସୁଦୃଢ଼ କରାଯାଇଥିଲା ଏବଂ ପୂର୍ବରୁ ସୃଷ୍ଟି ହୋଇଥିବା ଘଳିଆ ମରାମତି କରାଯାଇଥିଲା। ଏହାସହ ବିଭିନ୍ନ ସ୍ଥାନରେ ବାଉଁଶ, ବାଲି, ବଲ୍ଲା ଆଦି ମହଜୁଦ୍ ରଖାଯାଇଛି। ଅଧିକ ବର୍ଷା ଜଳ ହୀରାକୁଦକୁ ପ୍ରବେଶ ନକଲେ ବର୍ତ୍ତମାନ ହୀରାକୁଦର ଅଧିକ ଗେଟ୍‌ ଖୋଲାଯିବନି। ଏହି ବୈଠକରେ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ (୨), ମହାନଦୀ-କାଠଯୋଡ଼ି ବେସିନ୍‌ ମ୍ୟାନେଜର ଭକ୍ତରଂଜନ ମହାନ୍ତିଙ୍କ ସମେତ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର