ସୁନ୍ଦରଗଡ଼: ସୁନ୍ଦରଗଡ଼ ଭଷ୍ମା ଥାନା କୁଡ଼ାବଗା ଇବ୍‌ନଦୀ ଘାଟରେ ନିର୍ମାଣାଧୀନ ବନ୍ଧ (ବ୍ୟାରେଜ୍‌) କ୍ୟାବିନ୍‌ରେ ‌‌ଶୋଇଥିଲେ କମ୍ପାନିର ସୁରକ୍ଷାକର୍ମୀ ଅତିଶ ପଣ୍ଡା। ରାତିରେ ହଠାତ୍‌ ପାଣି ମାଡ଼ି ଆସିଥିଲା। କିଛି ବୁଝିବା ପୂର୍ବରୁ ଚାରିପଟେ ପାଣି ଘେରିଗଲା। ଅତିଶ କୌଣସିମତେ କ୍ୟାବିନ୍‌ରୁ ବାହାରି ଆସି ନଦୀମଝି ବାଲି ଟାପୁରେ ୪ ଘଣ୍ଟା ଅଟକି ରହିଲେ। ଆଖି ସାମନାରେ ପାଣିସୁଅରେ କ୍ୟାବିନ୍‌ ଭାସିଗଲା। ଆଜି ସକାଳେ ଅଗ୍ନିଶମ କର୍ମଚାରୀ ଭରାନଈରେ ପଶି ଅତିଶଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। 

Advertisment

ଇବ୍‌ନଦୀ କୁଡ଼ାବଗା ଘାଟରେ ବ୍ୟାରେଜ୍‌ ନିର୍ମାଣ ଚାଲିଥିବାବେଳେ ନିର୍ମାଣକାରୀ ସଂସ୍ଥାରେ ଅତିଶ ସୁରକ୍ଷାକର୍ମୀ ଭାବେ ନିଯୁକ୍ତ ହୋଇଛନ୍ତି। ନଦୀଶଯ୍ୟାର ଶୁଖିଲା ବାଲିପଠାରେ ଥିବା କମ୍ପାନିର କ୍ୟାବିନ୍‌ରେ ଅନ୍ୟ ସହକର୍ମୀଙ୍କ ସହ ଅତିଶ ଗତକାଲି ଶୋଇଥିଲେ। ଉପରମୁଣ୍ତରେ ବର୍ଷା ଯୋଗୁ ରାତି ୩ଟାରୁ ନଦୀ ଫୁଲିବା ଆରମ୍ଭ କରିଥିଲା। ଭୋର୍‌ ୪ଟା ବେଳକୁ ଅନ୍ୟ ସହକର୍ମୀ ଉଠି ବିଲେଇମୁଣ୍ଡା ଚାଲି ଯାଇଥିଲେ। ଏକା ଅତିଶ କ୍ୟାବିନ୍‌ରେ ଶୋଇଥିଲେ। ହେଲେ ନଦୀରେ ବନ୍ୟାପାଣି ମାଡ଼ି ଆସିବା କଥା ଜାଣି ପାରି ନଥିଲେ। ଠିକ୍‌ ୫ଟାବେଳକୁ ସହକର୍ମୀଙ୍କ ମଧ୍ୟରୁ ଜ‌ଣେ କେହି ତାଙ୍କୁ ଫୋନ୍‌ କରି ପାଣି ମାଡ଼ି ଆସିଥିବା ସୂଚନା ଦେଇ ଶୀଘ୍ର ବାହାରିଯିବାକୁ କହିଥିଲେ। ଅତିଶ ଧଡ଼ପଡ଼ ହୋଇ ଉଠି କ୍ୟାବିନ୍‌ ବାହାରକୁ ଚାଲି ଆସିଲାବେଳକୁ ଚାରିଆଡ଼େ ପାଣି ଘେରି ଯାଇଥିଲା। ସେ ବାହାରି ଆସିବା କ୍ଷଣି ନଈପାଣି କ୍ୟାବିନ୍‌କୁ ଭସାଇ ନେଇଗଲା। ଅତିଶ କୌଣସିମତେ ନଦୀମଝିରେ ଥିବା ଛୋଟିଆ ବାଲିଟାପୁରେ ଆଶ୍ରୟ ନେଇଥିବାବେଳେ ଆଜି ସକାଳ ୭ଟାରେ ସୁନ୍ଦରଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ବୋଟ୍‌ ସାହାଯ୍ୟରେ ଉଦ୍ଧ‌ାର କରିଥିଲେ।