କଟକ : ପୁଲିସ କର୍ମଚାରୀଙ୍କୁ ଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ଓଡ଼ିଶା ପୁଲିସ ବର୍ଷକରେ ଖର୍ଚ୍ଚ କରିଛି ୩ କୋଟି ୫୦ ଲକ୍ଷ ଟଙ୍କା। କିନ୍ତୁ ଏଥିପାଇଁ ମେସିନ୍ ଥିବା ଗାଡ଼ି କିଣା ଖର୍ଚ୍ଚ ହଠାତ ୫ ଗୁଣ ବଢି ଯିବା ଘଟଣା ବିବାଦର କାରଣ ହୋଇଛି। ଗୋଟିଏ ଗୋଟିଏ ଜଳ ବିଶୋଧନ ମେସିନକୁ ୬ ବର୍ଷ ହେଲା ସର୍ବାଧିକ ୧୦ ଲକ୍ଷ ଟଙ୍କାରେ କିଣାଯାଉଥିବା ବେଳେ ୨୦୨୧-୨୨ ବର୍ଷରେ ହଠାତ୍ ସେହି ମେସିନ୍‌ର କିଣା ମୂଲ୍ୟ ୫୦ ଲକ୍ଷ ଟଙ୍କାକୁ ବଢ଼ିଯାଇଛି। ଅଧିକ ମୂଲ୍ୟରେ କିଣାଯାଇଥିବା ଏହି ବିଶୋଧନ ମେସିନର ଟେଣ୍ଡର ପ୍ରକ୍ରିୟା ଏବେ ସନ୍ଦେହ ଘେରକୁ ଚାଲିଆସିଛି। ଏଥିରେ ଜଳ ସଂରକ୍ଷଣ ପାଇଁ ପାଣି ଟାଙ୍କି ଦିଆଯାଇନଥିବା ବେଳେ ମେସିନ୍ ଚଲାଇବାକୁ କମ୍ପାନି କୌଣସି ପ୍ରକାର ଡେମୋ ବି ଦେଖାଇ ନାହିଁ। ତେଣୁ ପୁଲିସ ବାବୁମାନଙ୍କୁ ଏହାର ବ୍ୟବହାର ବି ମାଲୁମ୍ ନାହିଁ। ଏଭଳି ୭ଟି ମେସିନ ଏବେ ଓଡ଼ିଶା ପୁଲିସର ବିଭିନ୍ନ ପ୍ରତିଷ୍ଠାନରେ ଧୂଳି ଖାଉଥିବା ବେଳେ ସଂପୂର୍ଣ୍ଣ ପ୍ରକ୍ରିୟା ଉପରେ ପ୍ରଶ୍ନଚିହ୍ନ ଲାଗି ଯାଇଛି।

Advertisment

ସୂଚନା ଅନୁଯାୟୀ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କିମ୍ବା ସମାବେଶ ସ୍ଥଳରେ ନିୟୋଜିତ ପୁଲିସ ଫୋର୍ସଙ୍କୁ ପିଇବା ପାଣି ଯୋଗାଇବା ଉଦ୍ଦେଶ୍ୟରେ ଓଡ଼ିଶା ପୁଲିସ ୨୦୧୬-୧୭ ଆର୍ଥିକ ବର୍ଷରେ ଟେଣ୍ଡର ମାଧ୍ୟମର ୪ଟି ମୋବାଇଲ୍ ଜଳ ବିଶୋଧନ ଗାଡ଼ି କିଣିଥିଲା। ପ୍ରତି ଗାଡ଼ି ପିଛା ୧୦ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିଲା। ୨୦୧୭-୧୮ରେ ପୁଣି ୧୦ଟି ସମାନ ମୂଲ୍ୟରେ କିଣାଯାଇଥିଲା। ୨୦୧୮-୧୯ରେ ତୃତୀୟ ପର୍ଯ୍ୟାୟରେ ୯ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି କିଣାଗଲା। ୨୦୧୯-୨୦ରେ ଏକ ଟେଣ୍ଡର ହୋଇଥିଲା। ଏଥିରେ ୩୧ଟି ଗାଡ଼ି କିଣିବାକୁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗାଡ଼ି ପିଛା ୮ ଲକ୍ଷ ୫୦ ହଜାର ହିସାବରେ ୨ କୋଟି ୬୩ ଲକ୍ଷ ୫୦ ହଜାର ଟଙ୍କାର ବଜେଟ୍ ବ୍ୟୟ ବରାଦ ହୋଇଥିଲା। କିନ୍ତୁ ସେହି ବର୍ଷ କୌଣସି କାରଣରୁ ଏହି ଗାଡ଼ି କିଣାଗଲା ନାହିଁ।

ଖତ ଖାଉଛି ସାଢେ ୩ କୋଟିର ବିଶୋଧନ ମେସିନ୍ ଯୁକ୍ତ ଗାଡ଼ି
୫ ଗୁଣ ଅଧିକ ଦରରେ ମେସିନ୍‌ କିଣାକୁ ନେଇ ବିବାଦ

୨୦୨୧-୨୨ରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଲା। ଏଥିରେ ଗୁଜୁରାଟ ଅହମ୍ମଦାବାଦର ସୋଲାର ସିୱେଜ୍ ବେସିକ୍ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିଃ ଏବଂ କ୍ରିଷ୍ଟାଲ ଇମ୍ପେକ୍ସ ନାଁରେ ଦୁଇଟି ସଂସ୍ଥା ଭାଗ ନେଇଥିଲେ। ସର୍ବନିମ୍ନ ବିଡର୍ ଭାବେ ସିୱେଜ୍ ଟେଣ୍ଡର ହାତେଇଥିଲା। ୮ଟି ଗାଡ଼ି ପାଇଁ ଗାଡ଼ି ପିଛା ୫୦ ଲକ୍ଷ ଟଙ୍କା ହିସାବରେ ୪ କୋଟି ଟଙ୍କା ସ୍ଥିର ହେଲା। ଏହି ଗାଡ଼ି କିଣିବାକୁ ଓଡ଼ିଶା ପୁଲିସ ୨୦୨୧ ସେପ୍ଟେମ୍ବର ୧୫ ତାରିଖରେ ଅର୍ଡର(ନଂ ଜେଏମ୍-୫୧୧୬୮୭୭୨୫୯୭୮୦୫୬) ଦେଇଥିଲା। ଏଥିରୁ ୭ଟି ଓଡ଼ିଶା ପୁଲିସକୁ କମ୍ପାନି ହସ୍ତାନ୍ତର କରିଥିଲା। ଏହା ବାବଦ ୩ କୋଟି ୫୦ ଲକ୍ଷ ଟଙ୍କା ଓଡ଼ିଶା ପୁଲିସ କମ୍ପାନି ନିକଟର ପୈଠ ବି କରିସାରିଛି। ଏହି ମୋବାଇଲ୍ ଜଳ ବିଶୋଧନ ଗାଡ଼ିଗୁଡ଼ିକ କଟକ ଷଷ୍ଠ ବାଟାଲିୟନ ସମେତ ପୁରୀ, କୋରାପୁଟ, ଦେବଗଡ଼, ଭୁବନେଶ୍ବର ପ୍ରମୁଖ ସ୍ଥାନକୁ ଚଳିତ ବର୍ଷ ପଠାଇ ଦିଆଯାଇଛି।

ଏବେ କିନ୍ତୁ ଓଡ଼ିଶା ପୁଲିସ ୨୦୨୧-୨୨ ବର୍ଷରେ କିଣିଥିବା ମୋବାଇଲ୍ ଜଳ ବିଶୋଧନ ଗାଡ଼ିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୬ରୁ ୨୦୧୯ ଯାଏ ଚାରିଟି ପର୍ଯ୍ୟାୟରେ ମୋବାଇଲ୍ ଜଳ ବିଶୋଧନ ଗାଡ଼ି ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ ହୋଇଥିଲା। ୧୦ ଲକ୍ଷ ଟଙ୍କାରେ କିଣାଯାଇଥିବା ଜଳ ବିଶୋଧନ ଗାଡ଼ିରେ ଏକ ତିନି ଚକିଆ ଗାଡ଼ି ସହିତ ୫୦୦ ଲିଟର ଜଳ ସଂରକ୍ଷଣ ଟାଙ୍କି, ଜଳ ବିଶୋଧନ ମେସିନ୍‌ ବି ରହିଥିଲା। ଗାଡ଼ିର ଇଞ୍ଜିନ ମାଧ୍ୟମରେ ଜଳ ବିଶୋଧନ ମେସିନ୍ କାର୍ଯ୍ୟକ୍ଷମ ହେଉଥିଲା। ଯେ କୌଣସି ଉପାନ୍ତ ଅଞ୍ଚଳରେ ଏହି ଗାଡ଼ି ରହିଲେ ବି ଗାଡ଼ି ଷ୍ଟାର୍ଟ‌୍ କରି ସେଥିରୁ ମେସିନ୍ ଚାଲିପାରିବା ନେଇ ବ୍ୟବସ୍ଥା ଥିଲା।

କିନ୍ତୁ ୨୦୨୧-୨୨ରେ ହଠାତ୍ ଗାଡ଼ି ପିଛା ମୂଲ୍ୟ ୫୦ ଲକ୍ଷ ଟଙ୍କା ବ୍ୟୟରେ କିଣାଯିବା ପଛରେ ସନ୍ଦେହ ସୃଷ୍ଟି ହୋଇଛି। ଏବେ ୫୦ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ଏକ ଚାରି ଚକିଆ ଗାଡ଼ିରେ ଜଳ ବିଶୋଧନ ମେସିନ୍ ଚାଲିବା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ କିମ୍ବା ପୃଥକ ଡିଜେଲ୍ ବ୍ୟବହାର କରିବାକୁ ପଡ଼ିବ। ପୋଖରୀ କିମ୍ବା ଯେକୌଣସି ଜଳ ଉତ୍ସରୁ ପାଣି ସଂଗ୍ରହ କରିବାକୁ ହେଲେ ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ବ୍ୟବସ୍ଥା ଥିବା ଆବଶ୍ୟକ। ଯଦି ବିଦ୍ୟୁତ ବ୍ୟବସ୍ଥା ନଥିବ ତେବେ ଗାଡ଼ିରେ ଥିବା ବିଶୋଧନ ମେସିନ୍ ଚାଲିବା ପାଇଁ ପୃଥକ ଡିଜେଲ୍ ଭରିବାକୁ ପଡ଼ିବ। ଘଣ୍ଟାକୁ ପ୍ରାୟ ୨୨ ଲିଟର ଡିଜେଲ୍ ଖର୍ଚ୍ଚ ହେବ। ପୂର୍ବରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ମେସିନ୍ ଗାଡ଼ି ଇଞ୍ଜିନରୁ ବିଦ୍ୟୁତ ସଂଗ୍ରହ କରି ଅଳ୍ପ ଖର୍ଚ୍ଚରେ ଚାଲିପାରୁଥିଲା। ଏବେ କିଣାଯାଇଥିବା ମେସିନ୍ ପାଇଁ ଅଯଥା ଖର୍ଚ୍ଚ ବଢ଼ିଯାଇଛି। ପୂର୍ବ ମଡେଲରେ ଗାଡ଼ି ଭିତରେ ପାଣି ସଂରକ୍ଷଣ ଟାଙ୍କି ଥିଲା। ୫୦ ଲକ୍ଷ ବ୍ୟୟରେ କିଣାଯାଇଥିବା ନୂଆ ମେସିନରେ ପୃଥକ ପାଣି ଟାଙ୍କିର ବ୍ୟବସ୍ଥା ଥିବା ବେଳେ ଏଯାଏ କୌଣସି ପ୍ରତିଷ୍ଠାନକୁ ଟାଙ୍କି ଯୋଗାଇ ଦିଆଯାଇନଥିବା କୁହାଯାଉଛି। ବର୍ଷ ଶେଷ ହେବାକୁ ବସିଲାଣି। ଅଥଚ ଟାଙ୍କି ମିଳିନାହିଁ କି ଡେମୋ ବି କମ୍ପାନି ପକ୍ଷରୁ ଦେଖାଯାଇନାହିଁ। ପୁଲିସ ଅଧିକାରୀମାନେ ଏହାର ବ୍ୟବହାର ଜାଣିନଥିବା ବେଳେ ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ବିଭିନ୍ନ ପୁଲିସ ପ୍ରତିଷ୍ଠାନରେ ସାଢ଼େ ତିନି କୋଟି ଟଙ୍କାରେ ଖରିଦ୍ ହୋଇଥିବା ମେସିନର ଭାଗ୍ୟ ଅନ୍ଧାରକୁ ଠେଲି ହୋଇଯାଇଛି। ପାଣି ପାଇଁ ଆବଶ୍ୟକତାଠାରୁ ଅଧିକ ବ୍ୟୟରେ ଏଭଳି ମେସିନ୍ କିଣିବା ପଛରେ ରହସ୍ୟ କଣ, ସେ ନେଇ ସ୍ପଷ୍ଟ ହୋଇପାରୁ ନଥିବା କୁହାଯାଉଛି।