ବାରିପଦାରୁ ରାଇରଙ୍ଗପୁର ସବୁଠି ପାଣି ପାଇଁ ହାହାକାର

ବାରିପଦା: ବାରିପଦାରୁ ଉଦଳା, ସବୁଠି ପାଣି ପାଇଁ ଲୋକେ ଆତୁର। ଖରାଦିନେ ଜଳସ୍ତର ହ୍ରାସ ଯୋଗୁଁ ନଳକୂଅରୁ ପାଣି ବାହାରୁନି। ସେପଟେ ଜିଲ୍ଲାରେ ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ ସବୁ ଅଞ୍ଚଳରେ ଶତପ୍ରତିଶତ କାର୍ଯ୍ୟକାରୀ ହୋଇ ପାରିନାହିଁ। ତେଣୁ ପାଣି ପାଇଁ ସହରାଞ୍ଚଳବାସୀଙ୍କୁ ରାତି ଉଜାଗର ରହିବାକୁ ପଡ଼ୁଛି। ମୟୂରଭଞ୍ଜ ଜିଲ୍ଲାର ୪ ପ୍ରମୁଖ ସହର ବାରିପଦା, ଉଦଳା, ରାଇରଙ୍ଗପୁର, କରଞ୍ଜିଆରେ ପାଣି ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି। ତେବେ ଏହି ୪ଟି ସହରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଣ ପାଇଁ ଆରମ୍ଭ ହୋଇଥିବା ୨୦୦ କୋଟି ଟଙ୍କାର ମେଗା ଜଳଯୋଗାଣ ପ୍ରକଳ୍ପ କାମ ଯେମିତି ଧିମେଇ ଚାଲିଛି ତାକୁ ଅନୁଧ୍ୟାନ କଲେ, ସହରାଞ୍ଚଳରେ ଜଳ ଯନ୍ତ୍ରଣା କେବେ ଦୂର ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାରିପଦା ସହରରେ ୮୪ଟି ନଳକୂପ ରହିଥିବାବେଳେ ୧୫ ହଜାର ୬୫୮ ଘରକୁ ପାଇପ୍‌ ଯୋଗେ ଜଳଯୋଗାଣ ହେଉଛି। ସହରବାସୀଙ୍କ ପାଇଁ ପ୍ରତିଦିନ ୧୭୦ ଲକ୍ଷ ଲିଟର ପାଣିର ଆବଶ୍ୟକତା ରହିଛି। ଖରାଦିନେ ଏହାଠାରୁ ଯଥେଷ୍ଟ ଅଧିକ ପାଣିର ଆବଶ୍ୟକତା ପଡ଼ୁଥିବାବେଳେ ସେହି ଅନୁଯାୟୀ ପାଣି ଯୋଗାଣ ହୋଇ ପାରୁନାହିଁ। ତେବେ ବାରିପଦା ସହରରେ ପାଣି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ୮୧.୪୧ କୋଟି ବ୍ୟୟ ଅଟକଳରେ ଏକ ମେଗା ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା କାମ ସରିଯିବ ବୋଲି ଲକ୍ଷ୍ୟ ରଖିଛି ବିଭାଗ। ତେବେ ମନ୍ଥର ଗତିରେ କାମ ଚାଲିଥିବାରୁ ନିର୍ଦ୍ଧାରିତ ସମୟ ସୁଦ୍ଧା କାମ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିଭଳି ରାଇରଙ୍ଗପୁର ସହରରେ ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା ଯଥେଷ୍ଟ ନୁହେଁ। ରାଇରଙ୍ଗପୁର ସହରରେ ମୋଟ ୨,୯୦୦ଟି ନଳକୂପ ରହିଥିବାବେଳେ ୩,୮୩୮ ଘରକୁ ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା ରହିଛି। ସହରବାସୀଙ୍କୁ ପ୍ରତିଦିନ ୪୦ ଲକ୍ଷ ଲିଟର ପାଣିର ଆବଶ୍ୟକତା ରହିଛି। କିନ୍ତୁ ମିଳୁଛି ୩୦ ଲକ୍ଷ ୩୦ ହଜାର ଲିଟର।  ରାଇରଙ୍ଗପୁର ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ଇଡ୍‌କୋ ପକ୍ଷରୁ ୪୩ କୋଟି ବ୍ୟୟ ଅଟକଳରେ ଏକ ବୃହତ ଜଳପ୍ରକଳ୍ପ କାମ ୫ ମାସ ତଳୁ ଆରମ୍ଭ ହୋଇଛି। ଆସନ୍ତାବର୍ଷ ଶେଷ ସୁଦ୍ଧା କାମ ଶେଷ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ବାରିପଦା ଓ ରାଇରଙ୍ଗପୁର ଅପେକ୍ଷା କରଞ୍ଜିଆ ସହରରେ ପାନୀୟ ଜଳ ସମସ୍ୟା ଆହୁରି ସଙ୍ଗିନ। କରଞ୍ଜିଆ‌ ସହରବାସୀଙ୍କୁ ପ୍ରତିଦିନ ୩୦ ଲକ୍ଷ ୨୯ ହଜାର ଲିଟର ପାଣିର ଆବଶ୍ୟକତା ଥିବା ବେଳେ ମିଳୁଛି ମାତ୍ର ୨୦ ଲକ୍ଷ ୪୬ ହଜାର ଲିଟର ପାଣି। ଏଠାରେ ୮୨୬ ଘରକୁ ପାଇପ୍‌ ଯୋଗେ ପାଣି ଯୋଗାଣ ହେଉଛି। ତେବେ ସହରରେ ମାତ୍ର ୨୫ଟି ନଳକୂଅ ରହିଥିବା ବେଳେ ଆଉ ବିକଳ୍ପ ବ୍ୟବସ୍ଥା କିଛି ନାହିଁ। ତେଣୁ ଖରାଦିନ ଆସିଲେ ସହରବାସୀ ପାଣି ପାଇଁ ଡହଳବିକଳ ହେଉଛନ୍ତି। ସେହିଭଳି ଉଦଳା ସହରରେ ମାତ୍ର ୧୨ଟି ନଳକୂପ ରହିଥିବାବେଳେ ସହରବାସୀଙ୍କୁ ପ୍ରତିଦିନ ୨୦ ଲକ୍ଷ ୨ ହଜାର ଲିଟର ପାଣି ଯୋଗାଇ ଦିଆଯାଉଛି। ଏଠାରେ ୨,୦୬୪ ଘରକୁ ପାଇପ୍‌ ଯୋଗେ ପାଣି ଯୋଗାଣ ବ୍ୟବସ୍ଥା ଅଛି। ତେବେ କରଞ୍ଜିଆ ଓ ଉଦଳା ସହରବାସୀଙ୍କ ସବୁଦିନିଆ ପାଣି ସମସ୍ୟା ଦୂର ପାଇଁ ୭୩ କୋଟି ମୂଲ୍ୟର ଜଳଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ କାମ ଦୁଇ ବର୍ଷରେ ଶେଷ ହେବ। ପ୍ରକଳ୍ପ କାମ ସରିଲେ ଚଳିତବର୍ଷ ଶେଷ ସୁଦ୍ଧା ବାରିପଦା ସହର ଓ ଆଉ ଦୁଇ ବର୍ଷ ପରେ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ସହରରେ ପାଣି ସମସ୍ୟା ରହିବ ନାହିଁ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ବିଘ୍ନେଶ୍ବର ପାଣି କହିଛନ୍ତି।

ସମ୍ବନ୍ଧିତ ଖବର