ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ନଦୀନାଳଗୁଡ଼ିକର ଜଳସ୍ରୋତ ଶୁଖିଗଲାଣି। ଏହାର ପ୍ରଭାବ ଗ୍ରୀଷ୍ମ କଷ୍ଟକୁ ଦ୍ବିଗୁଣିତ କରୁଛି। ଲୋକମାନଙ୍କଠାରୁ ଆରମ୍ଭ କରି ବନ୍ୟଜନ୍ତୁ ଓ ଗୃହପାଳିତ ପ୍ରାଣୀ ଜଳ ଯନ୍ତ୍ରଣାରେ ଜର୍ଜରିତ। ହେଲେ ଏହା ଭିତରେ ଆଉ ଏକ ସାଂଘାତିକ ଚିତ୍ର ପରିବେଶବିତ୍ମାନଙ୍କୁ ଆନ୍ଦୋଳିତ କରୁଛି। ଲକ୍ଷ୍ୟ କରାଯାଉଛି ଯେ ରାଜ୍ୟର ପ୍ରମୁଖ ନଦୀଶଯ୍ୟାଗୁଡ଼ିକ ବାଲିମାଫିଆଙ୍କ କବଜାକୁ ଚାଲି ଗଲାଣି। ନଦୀସ୍ରୋତକୁ ସେମାନେ ନିୟନ୍ତ୍ରଣ କରିବା ସହିତ ଜଳ ଯନ୍ତ୍ରଣାକୁ ବହୁଗୁଣିତ କରୁଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନର ଛାମୁଆ ଅଧିକାରୀମାନେ ସବୁ ଜାଣୁଛନ୍ତି। ଅଥଚ ଦିନ ଦିପହରରେ ଘଟୁଥିବା ଏହି ଘଟଣାକୁ ଯେଭଳି ଢଙ୍ଗରେ ପ୍ରତିହତ କରିବା କଥା, ତାହା ଦେଖାଯାଉନାହିଁ। କିଛି କ୍ଷେତ୍ରରେ ମକଦ୍ଦମା ରୁଜୁ ହେଉଛି, ଜରିମାନା ଆଦାୟ ହେଇଛି। ହେଲେ ଏହାର ପ୍ରଭାବ ପଡ଼ୁନାହିଁ। ମାତ୍ର ୯ମାସର ଜରିମାନା ପରିମାଣ ଓ ମାମଲା ସଂଖ୍ୟାକୁ ଲକ୍ଷ୍ୟ କଲେ କେହି ବୁଝିପାରିବେ ଯେ ଏଭଳି ଷଡ୍ଯନ୍ତ୍ରର ଆକାର କେତେ ବିଶାଳ।
ବାଲିଖାଦାନ କେଳେଙ୍କାରୀ ଏଭଳି ସ୍ତରରେ ପହଞ୍ଚିଛି ଯେ ଜିଲ୍ଲା ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ଏକପ୍ରକାର ବିଫଳ ହୋଇଛି। ଦୀର୍ଘ ୧୫ବର୍ଷ ହେଲା ଲଘୁ ଖଣିଜ ସମ୍ପଦ ସୁପରିଚାଳନାକୁ ନେଇ ସରକାରୀ କଳରେ କେବଳ ପରୀକ୍ଷା ନିରୀକ୍ଷା ଚାଲିଛି। ଲଘୁ ଖଣିଜ କାରବାର ନିୟନ୍ତ୍ରଣ ପାଇଁ ଦିନାକେତେ ସରକାର ରାଜସ୍ବ ବିଭାଗ ଅନ୍ତର୍ଗତ ତହସିଲକୁ ଦାୟିତ୍ବ ଦେଇଥିଲେ। ସେଥିରେ ବିଶେଷ ସଫଳତା ମିଳିଲା ନାହିଁ ବୋଲି କହି ଖଣି ବିଭାଗ ହାତକୁ ଏ ଦାୟିତ୍ବ ଟେକି ଦିଆଗଲା। ସ୍ଥିତି ନିୟନ୍ତ୍ରଣ ହେବା ପରିବର୍ତ୍ତେ ଅଧିକ ବିଗଡ଼ିବାରୁ ନୂଆ ସରକାର ଏଥିରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି। ପଞ୍ଚାୟତରାଜ ବିଭାଗ ବ୍ଲକ୍ ଓ ପଞ୍ଚାୟତଗୁଡ଼ିକୁ ଏହି ପ୍ରକ୍ରିୟାରେ ସାମିଲ କରିଛନ୍ତି। ତଥାପି ଲଘୁ ଖଣିଜ ସମ୍ପଦ ଅର୍ଥାତ୍ ବାଲି, ଗୋଡ଼ି, ପଥର, ମୋରମ୍ ଓ କଳାପଥର ଚୋରା କାରବାର ଏଯାଏଁ ନିୟନ୍ତ୍ରଣକୁ ଆସିପାରୁନାହିଁ। ଏମିତି ସ୍ଥିତିରେ ଆଉ ଏକ ଗମ୍ଭୀର ଚିତ୍ର ସାମନାକୁ ଆସିଛି। ଗ୍ରୀଷ୍ମ ଦିନରେ ନଦୀରେ ସାମାନ୍ୟ ଜଳ ପ୍ରବାହ ସଞ୍ଜୀବନୀ ଭଳି କାମ ଦିଏ। ଅଥଚ ନିଧଡ଼କ ଭାବେ ନଦୀର ଜଳସ୍ରୋତକୁ ରୋକି ବେଆଇନ ବାଲିଘାଟ ଚଳାଇଥିବା କାରଣରୁ ଜଳ ଯନ୍ତ୍ରଣାର ଭୀଷଣ ପ୍ରଭାବ ପଡ଼ିଲାଣି। ଏସବୁ ଅଞ୍ଚଳରୁ ମାଫିଆମାନେ ଶହ ଶହ କୋଟି ଟଙ୍କାର ବାଲି ଲୁଟ୍ କରୁଛନ୍ତି। ଏପରିକି ଚୋରା ବାଲି ରାଜ୍ୟ ଓ ବାହାର ରାଜ୍ୟକୁ ମଧ୍ୟ ପଠାଗଲାଣି। ସବୁଠାରୁ ବଡ଼ କଥା ହେଲା, ବାଲି ସୈରାତ (ଘାଟ) ପରିଚାଳନା କ୍ଷେତ୍ରରେ ଖଣି, ପ୍ରଦୂଷଣ, ରାଜସ୍ବ ଓ ପରିବହନ ନିୟମର ଖୋଲା ଉଲ୍ଲଂଘନ କରାଯାଉଛି।
ଦିନ ଦି’ପହରେ ଆଇନକୁ ଫୁ
ସରକାର ରୁଜୁ କରିଛନ୍ତି ୧୨୧୭ ମାମଲା, ୪୮୩ଜଣ ଗିରଫ
୨୧.୮୫ କୋଟି ଜରିମାନା ଆଦାୟ ପରେ ବି ଡର ନାହିଁ
ତେବେ ସରକାର ଯେ ଚୁପ୍ ବସିଛନ୍ତି ତା’ ନୁହେଁ। କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ହେଲେ କୌଣସି ଅଦୃଶ୍ୟ ଶକ୍ତି ପ୍ରଭାବରେ ମାଫିଆମାନେ ଏତେ ପ୍ରଭାବଶାଳୀ ହୋଇଛନ୍ତି ଯେ ସରକାରଙ୍କୁ ଡରିବା ସ୍ଥିତିରେ ନାହାନ୍ତି। ସରକାରଙ୍କ ତଥ୍ୟ କହୁଛି, ରାଜ୍ୟରେ ଗତ ୨୦୨୪ ଜୁନ୍ ମାସଠାରୁ ୨୦୨୫ ମାର୍ଚ୍ଚ ମାସ ମଧ୍ୟରେ ବେଆଇନ ବାଲି ଚାଲାଣ ବାବଦରେ ୨୧ କୋଟି ୮୫ ଲକ୍ଷ ୨ ହଜାର ୪୩୭ ଟଙ୍କା ଜରିମାନା ଆଦାୟ ହୋଇଛି। ୧୨୧୭ଟି ମାମଲାରେ ୨୫୫୧ଟି ଗାଡ଼ି ଜବତ କରାଯାଇ ୪୮୩ ଜଣଙ୍କୁ ଗିରଫ କରାଯାଇଛି। ୨୦ଟି ଜିଲ୍ଲାରେ ଜରିମାନା ଆଦାୟ ହୋଇଛି। ସେଥିମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୯ କୋଟି ୨୫ ଲକ୍ଷ, କଳାହାଣ୍ଡିରେ ୨ କୋଟି ୬ ଲକ୍ଷ ୭୭ ହଜାର ୯୫୧, କେନ୍ଦୁଝରରେ ୨ କୋଟି ୫ ଲକ୍ଷ ୫୭ ହଜାର ୫୭୨, ଗଜପତିରେ ୧ କୋଟି ୭ ଲକ୍ଷ ୩ ହଜାର ୨୦୨ ଓ ବାଲେଶ୍ବରରେ ୧ କୋଟି ୬ ଲକ୍ଷ ୯୭ ହଜାର ୮୭୯ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିରୁ ବାଲି କେଳେଙ୍କାରୀର ଆକାର କେତେ, ତାହା ଅନୁମେୟ।
ଅନ୍ୟପଟେ ଏହି ରିପୋର୍ଟକୁ ନିରେଖି ଦେଖିଲେ ଜଣାପଡ଼ୁଛି ଯେ ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ନୟାଗଡ଼, ସମ୍ବଲପୁର ପ୍ରଭୃତି ୧୦ଟି ଜିଲ୍ଲାରେ ଜରିମାନା ଆଦାୟ କରାଯାଇନାହିଁ। ସେହିପରି ମାତ୍ର ୧୯ଟି ଜିଲ୍ଲାରେ ମାମଲା ରୁଜୁ କରାଯାଇଛି। ବାଲେଶ୍ୱର ଜିଲ୍ଲାରେ ୪୧୫ଟି, ମୟୂରଭଞ୍ଜରେ ୩୫୯ଟି ଏତଲା ହୋଇଛି। ୨୧ଟି ଜିଲ୍ଲାରେ ଗାଡ଼ି ଜବତ ହୋଇଛି। ବାଲେଶ୍ୱର ଜିଲ୍ଲାରେ ୫୮୩, ମୟୂରଭଞ୍ଜ ଜିଲ୍ଲାରେ ୪୩୭, ଗଜପତି ଜିଲ୍ଲାରେ ୨୯୮, କଳାହାଣ୍ଡି ଜିଲ୍ଲାରେ ୨୮୦ଟି ଗାଡ଼ି ଜବତ ହୋଇଛି। ବେଆଇନ ବାଲି ଚାଲାଣରେ ୧୨ ଜିଲ୍ଲାରେ ୪୮୩ ଜଣଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୨୧୪ ଜଣ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ୧୧୪ ଜଣ ଅଛନ୍ତି। ସରକାର ଏ କ୍ଷେତ୍ରରେ କେବେ ଶୂନ ସହନଶୀଳ ନୀତି ଅବଲମ୍ବନ କରିବେ, ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି।