କାରଖାନାକୁ ମିଳୁଛି ପ୍ରଚୁର ପାଣି, ହେଲେ ଜଳାଭାବରୁ ଶୁଖିଲା ପଡିଛି ଚାଷ ଜମି!

ଯାଜପୁର : କଳିଙ୍ଗନଗରରେ ଥିବା କମ୍ପାନୀଗୁଡ଼ିକୁ ଖରସ୍ରୋତା ନଦୀରୁ ନିରନ୍ତର ଜଳ ଯୋଗାଣ ହେଉଥିବାରୁ ଏବେ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଫଳରେ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜଳାଭାବରୁ ଶୁଖିଲା ପଡିଛି ଚାଷ ଜମି। ଏଥିଯୋଗୁଁ ଜଳସେଚନ ପାଇଁ ଥିବା ଏଲଆଇ ପଏଣ୍ଟ ଗୁଡ଼ିକ କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇଯାଇଛି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଚାଷକାମ ଠପ୍‌ ହୋଇଯିବା ସହ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଏପରି ସମସ୍ୟା ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଖପୁରିଆପଦା ପଞ୍ଚାୟତରେ ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ୧୦ରୁ ଅଧିକ ଶିଳ୍ପାନୁଷ୍ଠାନ ଥିବା ବେଳେ କମ୍ପାନୀ ଗୁଡିକୁ ଖରସ୍ରୋତାରୁ ପାଣି ଯୋଗାଉଛି ଇଡକୋ। ଯୋକଡ଼ିଆ ଆନିକଟ ନିକଟରେ ବଡ଼ ବଡ଼ ବୋରୱେଲ କରି ବିଭିନ୍ନ କାରଖାନାକୁ ପାଣି ଯୋଗାଯାଉଛି । ହେଲେ ଯୋକଡ଼ିଆ ନିକଟସ୍ଥ ଦାନଗଦୀ ବ୍ଲକ ଖପୁରିଆ ପଂଚାୟତର ୫ହଜାର ଚାଷୀଙ୍କ ଭୋଗୁଛନ୍ତି ଜଳ ସମସ୍ୟା। କାରଖାନାକୁ ମଟର ଯୋଗେ ପାଣି ଯୋଗାଣ ହେଉଥିବାରୁ ନଦୀର ଜଳସ୍ତର ହ୍ରାସ ପାଉଛି। ଫଳରେ ଚାଷୀକୁଳ ଚାଷ ଜମିକୁ ପାଣି ନପାଇ ହତାଶ ହୋଇପଡ଼ିଛନ୍ତି । ପାଣି ଅଭାବରୁ ପନିପରିବା ଚାଷ ଜମି ଶୁଖିଲା ପଡିଛି । ଧାନ ଜମିବି ଫାଟି ଆଁ କରିଛି । ଜଳସେଚନ ପାଇଁ ଥିବା ଏଲାଇପଏଂଟ ଅଚଳ ହୋଇପଡିବା ସାଙ୍ଗକୁ ନଦୀର ଜଳସ୍ତର କମିବାରୁ ନଇକୂଳିଆ ଚାଷୀଙ୍କୁ ଏଭଳି ଦୁର୍ଦିନ ଦେଖିବାକୁ ପଡିଛି।

ସରକାର ମନରେଗା ଯୋଜନାରେ ବିଭିନ୍ନ ଗାଁରେ ଚାଷୀଙ୍କୁ ପାଣି ଯୋଗାଇବାର ବ୍ୟବସ୍ଥା କରିଥିବା କହୁଥିବା ବେଳେ ପ୍ରକୃତ ପକ୍ଷେ ଦାନଗଦିରେ ତାହା ଦେଖିବାକୁ ମିଳୁନାହିଁ । ଏ ସଂପର୍କରେ ପ୍ରଶାସନିକ ଅଧିକାରୀଙ୍କ କହୁଛନ୍ତି, ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ। ଯାଜପୁର ପ୍ରଶାସନ କେବେ ଖରସ୍ରୋତା ଉପକୂଳରେ ଜଳ ସମସ୍ୟାର ସମାଧାନ କରୁଛି, ତାହାକୁ ଅପେକ୍ଷା କରିଛି ଚାଷୀ।

ସମ୍ବନ୍ଧିତ ଖବର