କୋରାପୁଟ: ଜିଲ୍ଲାରେ ଚାଷ କରିବା ପାଇଁ ଜଳସେଚନ ବ୍ୟବସ୍ଥା ସ୍ଥିତି ଅତି ସଂଘୀନ। ଛୋଟ ବଡ ନଦୀ, ନାଳ ଓ ଅନ୍ୟ ଉତ୍ସ ଉପରେ କିମ୍ବା ବର୍ଷା ପାଣି ଉପରେ ବିଶେଷ ଭାବେ ଚାଷୀ ମାନେ ଅଧିକା ନିର୍ଭର। ଜିଲ୍ଲାର ଭୌଗଳିକ ସୀମା ୮ଲକ୍ଷ ୮୧ହଜାର ହେକ୍ଟର ରହିଥିବା ବେଳେ ଏଥିରୁ ୩ଲକ୍ଷ ଏକ ହଜାର ୫୦୦ହେକ୍ଟର ଜମିକୁ ଚାଷ ଜମି ଅଂଚଳ ଭାବେ ଜିଲ୍ଲା ମୁଖ୍ୟ କୃଷି ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୮୫ହଜାର ୫୪୦ହେକ୍ଟର ଜମି ଉଚ୍ଚସ୍ତରୀୟ, ୭୮ହଜାର ୫୩୦ହେକ୍ଟର ମଧ୍ୟମ, ୩୩ହଜାର ୪୮୦ହେକ୍ଟର ନିମ୍ନ ଏଭଳି ୨ଲକ୍ଷ ୯୭ହଜାର ୫୫୦ହେକ୍ଟର ଜମି ଚାଷ କରାଯାଉଛି ବୋଲି ଚିହ୍ନଟ କରାଯାଇଛି।

Advertisment

ଖରିଫରେ ୧ଲକ୍ଷ ୨୦ହଜାର ୦୬୯ହେକ୍ଟର ଓ ରବିରେ ୭୧ହଜାର ୧୩୦ହେକ୍ଟରରେ ଜମିକୁ ବିଭିନ୍ନ ସ୍ରୋତରେ ପାଣି ମାଡୁଛି। ଏଥିରେ ଅପରକୋଲାବ ଜଳ‌ସେଚନ ପ୍ରକଳ୍ପ, ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ସହ ୨୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୩୫୩୪ଟି ଉଠା‌ଜଳସେଚନ ପ୍ରକଳ୍ପ, ୩୮ଟି କ୍ଷୁଦ୍ର ଜଳସେଚନ ଭଣ୍ଡାର, ୨୮୦୪ଟି ନଳକୁଅ, ୨୪୪୧ଟି ଗଭୀରନଳକୁଅ, ୩୪୬୭ଟି ବିଭିନ୍ନ ସ୍ରୋତରୁ ପାଣି ନେଇ ବର୍ଷା ପାଣି ସହଯୋଗରେ ଚାଷୀ ମାନେ ଚାଷ କରୁଛନ୍ତି।  ଜିଲ୍ଲାରେ ଯେତିକି ପରିମାଣର ବିଭିନ୍ନ ଚାଷ ହେଉଛି ବିଭିନ୍ନ ସ୍ରୋତରୁ ପାଣି ଯୋଗାଣ ହେଲେ ବି ତାହା ମାତ୍ର ୩୮ପ୍ରତିଶତ। ଜିଲ୍ଲାରେ ଜୟପୁର ଉପଖଣ୍ଡରେ ଉପରକୋଲାବ ପାଣିରେ ଜୟପୁର, ବୋରିଗୁମ୍ମା, କୋଟପାଡ, କୁନ୍ଦ୍ରା ବ୍ଲକରେ ଉଭୟ ଖରିଫ ଓ ରବିରେ ଧାନ ସହ ପନିପରିବା  ଚାଷ ହୋଇପାରୁଛି। ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଣିରେ ବୋରିଗୁମ୍ମା ବ୍ଲକର ଅଧିକା ଜମି ଓ ଜୟପୁର ବ୍ଲକର କମ୍ ପରିମାଣର ଜମି ଚ‌ାଷ ହେଉଛି। ଏହା ଫଳରେ ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ଜୟପୁର ଉପଖଣ୍ଡର ୪ଟି ବ୍ଲକରେ ଖରିଫ ଓ ରବିରେ ଧାନ  ଓ ଅନ୍ୟାନ୍ୟ ଚାଷ ହେବା ସହ ୮୦ପ୍ରତିଶତ ଚାଷ ହେଉଛି। 

ଜିଲ୍ଲାର ଜଳସେଚନ ବ୍ୟବସ୍ଥା ୩୮ପ୍ରତିଶତ , ଏହା ଅତ୍ୟନ୍ତ ସଂଘୀନ। କୋରାପୁଟ ଉପଖଣ୍ଡରେ ଯଦିଓ ଅପରକୋଲାବ ଓ ମାଛକୁଣ୍ଡ ପ୍ରକଳ୍ପର ଜଳକୁ ଜମା କରି ରଖାଯାଉଛି। ତେବେ ଏଥିରୁ କେବଳ ଉଠାଜଳସେଚନ ଜରିଆରେ ହିଁ କୋରାପୁଟ ଉପଖଣ୍ଡରେ ଚାଷ ହେଛି। ତେବେ କୋରାପୁଟ ଉପଖଣ୍ଡ ୯ଟି ବ୍ଲକ ସହ  ଜୟପୁର ଉପଖଣ୍ଡର ବୈପାରୀଗୁଡା ବ୍ଲକ ବର୍ଷା ପାଣି ସହ ନଦୀ ଓ ନାଳର ପାଣି ଉପରେ ବେଶି ନିର୍ଭର। ନାରାୟଣପାଟଣା ବ୍ଲକରେ ଝଂଜାବତୀ ନଦୀ ଉପରେ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ସରିଲେ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଚାଷୀ ମାନେ ଉପକୃତ ହୋଇପାରିବେ। ସେଭଳି ଚାଷୀ ମାନେ ଗୋଷ୍ଠୀ କରି ନଳକୁଅ (ଜଳନିଧି) ଯୋଜନାରେ ସାମିଲ  ହେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। 

ଯଦିଓ ପୂର୍ବରୁ ଏଠାରେ ବିଜେଡି ସରକାର ରହିଥିଲେ ହେଁ କେନ୍ଦ୍ର ସରକାର ଚାଷ ପାଇଁ ଜଳସେଚନ ବ୍ୟବସ୍ଥିତ କରିବା ପାଇଁ  ନୂଆ ନୂଆ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକ ନିର୍ମାଣ ଆରମ୍ଭ କରାଇଥିଲେ। ଡବଲଇଂଜିନ୍ ସରକାର ଏବେ ଏହାକୁ ସଂପୁର୍ଣ୍ଣ କାର୍ଯ୍ୟକ୍ଷମ କରାଇଲେ ଜଳସେଚନ ହାର ବୃଦ୍ଧି ପାଇବ। ଜିଲ୍ଲାର ଜଳସେଚନ ହାର ବଢ଼ିବ , ଏହାର ପ୍ରଭାବରେ ଜିଲ୍ଲାର କୃଷି ବୃଦ୍ଧି ପାଇଲେ ଜିଲ୍ଲାର ଆୟର ହାର ବି ବୃଦ୍ଧି ପାଇବ ବୋଲି କୃଷି ବିଞାନୀ , ଗବେଷକ ଓ ବୁଦ୍ଧିଜୀବୀ, ଚାଷୀ ପ୍ରତିନିଧି ମାନେ କହିବା ସହ ଡବଲ ଇଂଜିନ୍ ସରକାର ଏଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।