ଶୁଖୁଛି ମହାନଦୀ : ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଛି ବିରାଟ ଜଳ ସଂକଟ, ସତର୍କ କରାଇଲେ ଜଳପୁରୁଷ ରଂଜନ ପଣ୍ଡା

ଗୋଟିଏ ପଟେ ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ଜଳକୁ ଅଟକାଉଥିବା ବେଳେ ଅନ୍ୟପଟେ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ମହାନଦୀରେ ଜଳପତନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଯାହାକୁ ନେଇ ଉଭୟ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବିବାଦ ଦେଖାଦେଇଛି। ଏଭଳି ସ୍ଥିତିରେ ଏବେ ମହାନଦୀର ଜଳକୁ ନେଇ ଦେଖାଦେବାକୁ ଯାଉଛି ବଡ଼ ସଂକଟ। ମହାନଦୀରେ ଜଳପ୍ରବାହ କମିବା ସହ ଦିନକୁ ଦିନ ଏହା ଶୁଖିବାରେ ଲାଗିଛି। ଯାହା ଆଗକୁ ମହାନଦୀରେ ସୃଷ୍ଟି କରିବାକୁ ଯାଉଛି ଜଳସଂକଟ। ଏ ନେଇ ସତର୍କ କରାଇ ଦେଇଛନ୍ତି ଜଳପୁରୁଷ ରଂଜନ ପଣ୍ଡା।

ମହାନଦୀରେ ସୃଷ୍ଟି ହେବାକୁ ଯାଉଛି ବଡ ଜଳ ସଂକଟ । ଏ ନେଇ ସତର୍କ କରାଇ ଦେଇଛନ୍ତି ଜଳପୁରୁଷ ରଂଜନ ପଣ୍ଡା । ଛତିଶଗଡ ଓ ଓଡିଶା ମହାନଦୀ ଅବବାହିକାରେ ହେଉଥିବା କୋଇଲା ତାପଜ ବିଦ୍ୟୁତ ପ୍ରକଳ୍ପ ଏହି ସଂକଟକୁ ଟାଣି ଆଣିଛି । ମହାନଦୀର ପାଣି ଉପରେ ଏହି ପ୍ରକଳ୍ପ ଗୁଡିକ ନିର୍ଭର କରୁଥିବାରୁ ମହାନଦୀର ପାଣି ପ୍ରବାହକୁ ସାଂଘାତିକ ଭାବେ କମାଇବ ବୋଲି ଚେତାବନୀ ଦେଇଛନ୍ତି ରଂଜନ ପଣ୍ଡା । ସେ କହିଛନ୍ତି, କେବଳ ଟ୍ରିବ୍ୟୁନାଲ ନୁହେଁ ମହାନଦୀ ଜଳ ସମସ୍ୟାର ସମାଧାନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣାର ଆବଶ୍ୟକତା ରହିଛି।

ମହାନଦୀକୁ ଯେଉଁ ନଦୀ ଦେଇ ଜଳ ଆସିଥାଏ, ତାହା ଦିନକୁ ଦିନ ଶୁଖିଯାଉଛି । ଏହାସହ ଜଙ୍ଗଲକ୍ଷୟ, ଜଳବାୟୁ ପରିବର୍ତନ ମଧ୍ୟ ଜଳ ପ୍ରବାହ କମିବାର ପ୍ରମୁଖ କାରଣ ହୋଇଛି । ଏସବୁର ସମାଧାନ ନକଲେ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି କହିଛନ୍ତି ରଂଜନ ପଣ୍ଡା ।

ସମ୍ବନ୍ଧିତ ଖବର