ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରେ ୩ ଦିନ ହେଲା ପାଣି ନାହିଁ, ରୋଗୀ-କର୍ମଚାରୀ ହନ୍ତସନ୍ତ

ସୁନ୍ଦରଗଡ଼: ଚାରିଆଡେ ଡହଡହ ଖରା। ଅସମ୍ଭାଳ ତାତିରେ ସୁନ୍ଦରଗଡ଼ ଗାଁ ଠାରୁ ସହର ସିଝୁଛି। ତେବେ ତାତିକୁ ବଳି ପଡିଛି ଜଳକଷ୍ଟ। ଲୋକେ ପାଣି ପାଇଁ ଡହଳବିକଳ। ଏସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ଡାକ୍ତରଖାନାରେ ପାଣି ଟୋପେ ପାଇଁ ରୋଗୀ, ସହାୟକ, କର୍ମଚାରୀ କଲବଲ ହେଉଥିବା ଅଭିଯୋଗ ଆସିଛି। ୩ ଦିନ ହେଲା ହସ୍ପିଟାଲକୁ ଜନସ୍ବାସ୍ଥ୍ୟ ବିଭାଗର ପାଣି ଯୋଗାଣ ବନ୍ଦ ଥିବାରୁ ଏ ଅବସ୍ଥା ସୃଷ୍ଟି ହୋଇଥିବା ପ୍ରକାଶ। ରୋଗୀ, ସମ୍ପର୍କୀୟ ବାହାରୁ ବୋତଲ ପାଣି କିଣି ତୃଷା ମେଣ୍ଟାଉଛନ୍ତି।

ସୂଚନାକ୍ରମେ, ଜିଲ୍ଲା ଡାକ୍ତରଖାନା ପରିସରରେ ଥିବା ଟାଙ୍କିର କ୍ଷମତା ୨ ଲକ୍ଷ ଲିଟର। ଆହରହ ୪ ଘଣ୍ଟା ପାଣି ଉଠିଲେ ଟାଙ୍କି ଭର୍ତ୍ତି ହୋଇଥାଏ। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ ମାତ୍ର ଘଣ୍ଟାଏ ପାଣି ଉଠାଇବା ପରେ ବନ୍ଦ କରିଦେଉଥିବାରୁ ହସ୍ପିଟାଲ ଟାଙ୍କି ସବୁବେଳେ ଅଧା ହୋଇ ରହୁଛି। ଫଳରେ ବହୁ ସମୟରେ ହସ୍ପିଟାଲର ରୋଗୀ, ସହାୟକ, କର୍ମଚାରୀ ଆବଶ୍ଯକ ପାଣି ପାଇପାରୁନଥିଲେ। କିନ୍ତୁ ୩ ଦିନ ହେଲା ଆଦୌ ପାଣି ଯୋଗାଣ ନହେବାରୁ ଶୋଷରେ ସମସ୍ତେ ଆଉଟୁପାଉଟୁ ହୋଇ ପାଖ ନଳ ସହ ଦୋକାନରୁ ପାଣି ବୋତଲ କିଣି ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ଖରାଦିନେ ପାଣି ଯୋଗାଣ ଅବ୍ୟବସ୍ଥା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଡ. ସରୋଜ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ‘ଜନସ୍ବାସ୍ୟ ବିଭାଗ କର୍ମଚାରୀ ଦିନକୁ ଦୁଇଥର ପାଣି ଉଠାଇ ହସ୍ପିଟାଲ ଟ୍ୟାଙ୍କିରେ ଭର୍ତ୍ତି କରିବା କଥା। କିନ୍ତୁ ବିଭାଗର କର୍ମଚାରୀ ଗୁରୁବାର ପାଣି ନ ଉଠାଇବାରୁ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଛି। ତୁରନ୍ତ ପାଣି ଯୋଗାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜନସ୍ବାସ୍ଥ୍ୟ  ବିଭାଗର ଅବହେଳା ବା ତ୍ରୁଟିର ପରିଣାମ ଅନେକ ସମୟରେ ଡାକ୍ତର, ହସ୍ପିଟାଲ କର୍ମଚାରୀ ଭୋଗୁଥିବା’ ସେ ପ୍ରକାଶ କରିଥିଲେ। ହସ୍ପିଟାଲ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନରେ ଏପରି ଅବହେଳା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର