ଜୟପୁର: ରାଜରାଜୁଡ଼ା ସମୟରରେ ଜୟପୁର ସହରରେ ଦୁଇଟି ବୃହତ ଜଳାଶୟ ଜଗନ୍ନାଥ ସାଗର ଓ ନୀଳକଣ୍ଠ ସାଗର ଖୋଳା ଯାଇଥିଲା। ଏହି ଦୁଇଟି ଜଳାଶୟର ପାଣି ବର୍ଷ ତମାମ ରହିବା ସହ ସହରର ଜଳସ୍ତର ଏଥି ଯୋଗୁଁ ବଜାୟ ରହୁଥିଲା। ତା ସାଙ୍ଗକୁ ପାଗ ବି ଗରମ ରହୁନଥିଲା। ତେବେ ଉଭୟ ଜଗନ୍ନାଥ ସାଗର ଓ ନୀଳକଣ୍ଠ ସାଗରର ପୁନଃରୁଦ୍ଧାର କାମ ସଂପ୍ରତି ଜାରୀ ରହିଛି। ଏଥି ପାଇଁ ଉଭୟ ଜଳାଶୟ ସୁଖି ଯାଇଛି। ଉଭୟ ସାଗରରୁ ପାଣି ପାଉଥିବା ମନୁଷ୍ୟ ସମେତ ପଶୁପକ୍ଷୀ ଏବେ ହନ୍ତସନ୍ତ ହେଉଛନ୍ତି।

Advertisment

ଜୟପୁରରେ ପୂର୍ବରୁ ଏଭଳି ଜଳ ସମସ୍ୟା ଦେଖା ଯାଇ ନଥିଲା । ୨ସାଗରରେ ଜଳ ସଂରକ୍ଷିତ ହେଇ ରହୁଥିବା ଯୋଗୁଁ ସହରବାସୀଙ୍କୁ ପାଣିର ଅଭାବ ଦେଖା ଯାଉ ନଥିଲା। କାଳକ୍ରମେ ସହରର ତଳି ଅଞ୍ଚଳରେ ଜନବସତି ଗଢି ଉଠିବା ପରେ ପୌର ପ୍ରଶାସନ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ନଳକୂପ ଖନନ କରାଯାଇଥିଲା। ସାଂପ୍ରତିକ ପରିସ୍ଥିତିରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରତ୍ୟକ ଘରେ ପାଣି ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି। ଏଥି ନିମନ୍ତେ ଲୋକଙ୍କୁ କିଛି ଅର୍ଥ ପ୍ରଦାନ କରି ଘରକୁ ଜଳ ସଂଯୋଗ ନେବା ପାଇଁ ପଡୁଛି।

୨୦୧୧ ମସିହାର ଜନଗଣନ ପ୍ରକାରେ ଜୟପୁର ସହରରେ ପ୍ରାୟ ୧୯ ହଜାରରୁ ଊର୍ଦ୍ଧ୍ବ ଲୋକ ଘର କରି ରହିଛନ୍ତି। ସମସ୍ତଙ୍କ ଘରେ କୂଅ କିମ୍ବା ବୋରୱେଲ୍‌ ନାହିଁ। ସେମାନେ ଆଜି ଯାଏଁ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ବସି ଥିବା ଷ୍ଟାଣ୍ଡ ପୋଷ୍ଟରୁ ପାଣି ନେଇ ବ୍ୟବହାର କରୁଛନ୍ତି। ନଚେତ କ୍ବଚିତ ସ୍ଥାନରେ ଥିବା ନଳକୂପରୁ ଜଳ ନେଇ ପରିବାରର ଆବଶ୍ୟକତା ପୂରଣ କରୁଛନ୍ତି। ବର୍ତ୍ତମାନ ଯାଏ ଜୟପୁର ସହରର ପ୍ରତି ଘରେ ଜଳ ଯୋଗାଣ ବ୍ୟବସ୍ଥା ହୋଇ ପାରି ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ପାଇପ୍ ଲାଇନ ସଂଯୋଗ ଥିବା ଘରକୁ ଆଜି ଯାଏ ୨୪ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା ଜନସ୍ବାସ୍ଥ୍ୟ ବିଭାଗ ବ୍ୟବସ୍ଥା କରି ଦିନ ରାତି ଜନସ୍ବାସ୍ଥ୍ୟ ବିଭାଗ ଜଳ ଯୋଗାଇବାରେ ବିଫଳ ହୋଇଛି। ଏତିକିବେଳେ ଜୟପୁରର ବୃହତ ଦୁଇଟି ଜଳାଶୟ ନୀଳକଣ୍ଠ ସାଗର ଏବଂ ଜଗନ୍ନାଥ ସାଗରର ପୁନରୁଦ୍ଧାର କରିବାକୁ ଜଳାଶୟର ପାଣି ନିଷ୍କାସନ କରି ଶୁଖେଇ ଦିଆ ଯାଇଛି। ଜଳାଶୟ ଶୁଖି ଯିବା ପରେ ଲୋକଙ୍କ ଘରେ ରହି ଥିବା କୂଅର ଝର ଓ ଅଳ୍ପ ସମୟ ମଧ୍ୟରେ ନଳକୂପରୁ ପାଣି ବନ୍ଦ ହେଇ ଯାଉଛି। ଏହି ସମସ୍ୟା ବର୍ତ୍ତମାନ ଠାରୁ ଦେଖା ଯାଉ ଥିବାରୁ ସହରବାସୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଦୀର୍ଘ ଦିନ ହେବ ଇନଟେକ୍ ୱେଲର କାମ ବି ସରିବା ନାଁ ନେଉନି।

୨୦୨୪ରେ ଜୟପୁରରେ ଯେତିକି ନୂଆ ଘର ନିର୍ମାଣ କରା ଯାଉଛି ପ୍ରାୟ ସମସ୍ତେ ପାଣିର ଅସୁବିଧାକୁ ଦୂରେଇବା ପାଇଁ ବୋରୱେଲ ଖୋଳୁଛନ୍ତି। ଆଗରୁ ୧୦୦ରୁ ୨୦୦ ଫୁଟ ମେସିନ ସାହାଯ୍ୟରେ ଖୋଳାଯିବା ପରେ ପାଣି ବାହାରୁ ଥିଲା। ହେଲେ ଏବେ ୧୮୦ ରୁ ୩୦୦ ଫୁଟ ଖୋଳିବାକୁ ପଡ଼ୁଛି। ଅପରପକ୍ଷରେ ସାମାଜିକ ଗଣମାଧ୍ୟମରେ କିଛି ସ୍ବେଚ୍ଛାସେବୀ ନିଜ ଘର ଉପରେ ବାଲଟି, ଡବାରେ ପାଣି ରଖିବାକୁ ବି ଅନୁରୋଧ କରାଯାଇଛି। ଖରାଦିନ ଆରମ୍ଭ ହୋଇଥିବା ବେଳେ ୨ପ୍ରମୁଖ ଜଳାଶୟର ଜଳ କମିବା ପରେ  ସହରର ଜଳସ୍ତର କମିବାରେ ଲାଗିଛି ବୋଲି ବହୁ ପରିବେଶବିତ୍ କହିଛନ୍ତି।