କନ୍ଧମାଳ ଜିଲ୍ଲାରେ ମରୁଡ଼ି ପରିସ୍ଥିତି: ଶୁଖିଲା ପଡ଼ିଛି ଜଳଭଣ୍ଡାର, ଚିନ୍ତାରେ ଚାଷୀକୁଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଉପୁଜିଛି। ଏଭଳି ସ୍ଥଳେ ଜିଲ୍ଲାରେ ଥିବା ଜଳଭଣ୍ଡାର ଗୁଡ଼ିକ ଶୁଷ୍କ ହୋଇଯିବାରୁ ଚାଷୀର କ୍ଷେତକୁ ଜଳସେଚନ ସମ୍ଭବପର ହୋଇପାରୁନାହିଁ। ଅପରପକ୍ଷେ, ପିଲାସାଲୁଙ୍କି ଡ୍ୟାମର ବାମ ପାର୍ଶ୍ବ କେନାଲର ପାଣି ଚାଷୀଙ୍କ ଜମିକୁ ମାଡ଼ି ପାରୁନଥିବାରୁ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଚାଷୀଙ୍କ ଜମିକୁ ପାଣି ମାଡୁ ନଥିବା ବେଳେ ଚାଷୀଙ୍କୁ କିନ୍ତୁ ଜଳକର ଦେବାକୁ ପଡ଼ୁଛି। ଏ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ଖଜୁରୀପଡ଼ା ବ୍ଲକର ପୁରୁଣାପାଣି ଡ୍ୟାମ୍‌ଟି ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ପାଇଁ ବରଦାନ ସଦୃଶ ଥିଲା। ମାତ୍ର, ଗତ କିଛିବର୍ଷ ଧରି ଡ୍ୟାମ୍‌ ପୋତି ହୋଇଯାଉଥିବାରୁ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇଛି। ଚଳିତବର୍ଷ ଭଲ ବର୍ଷା ହୋଇ ନଥିବାରୁ ଡ୍ୟାମ୍‌ରେ ପାଣି ନାହିଁ। ଫଳରେ ଚାଷୀର ବିଲକୁ ଜଳସେଚନ ହୋଇପାରୁନାହିଁ। ଉପରମୁଣ୍ଡ ଜଙ୍ଗଲ ଓ ପାହାଡ଼ରୁ ଗଡ଼ି ଆସୁଥିବା ଜଳକୁ ଅଟକାଇ ଏହି ଡ୍ୟାମ୍‌ର ପରିକଳ୍ପନା କରାଯାଇଥିଲା। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମିତ ଏହି ଡ୍ୟାମର ଜଳ ଉପରେ ସ୍ଥାନୀୟ ଅଞ୍ଚଳର ପାଖାପାଖି ୨୫୦ ହେକ୍ଟର୍ ଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ଥିଲା। ମାତ୍ର, ଆଜିର ଦିନରେ ଡ୍ୟାମ ପୋତି ହୋଇପଡ଼ିବାରୁ ଜଳଧାରଣ କ୍ଷମତା ଅସ୍ବାଭାବିକ ଭାବେ ହ୍ରାସ ପାଇଛି। ଫଳରେ ଚଳିତବର୍ଷ ମରୁଡ଼ି ପରିସ୍ଥିତିରେ ଡ୍ୟାମ୍ ଚାଷୀଙ୍କ ପାଇଁ ସହାୟକ ହୋଇପାରୁ ନାହିଁ। ବର୍ଷବର୍ଷ ଧରି ଜଳଭଣ୍ଡାରରେ ପଟୁ ଜମି ଯିବାରୁ ଏହା ଅଗଭୀର ହୋଇପଡ଼ିଛି। ମାତ୍ର ପ୍ରଶାସନ ପକ୍ଷରୁ ଏହାର ପୁନରୁଦ୍ଧାର ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ତୁରନ୍ତ ଏହି ଜଳଭଣ୍ଡାରର ପୁନରୁଦ୍ଧାର କରିବାକୁ ସ୍ଥାନୀୟ ଚାଷୀ ମହଲରେ ଦାବି ହୋଇଛି।

ଅପରପକ୍ଷେ, ଦୀର୍ଘ ୧୦ ବର୍ଷ ହେଲା ପିଲାସାଲୁଙ୍କି ଡ୍ୟାମ୍‌ର ବାମ କେନାଲର ପାଣି ନମିଳିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଧ୍ୟମ ଜଳସେଚନ ବିଭାଗ ପକ୍ଷରୁ ନିର୍ମିତ କନ୍ଧମାଳ ଜିଲ୍ଲାର ଏକମାତ୍ର ଜଳଭଣ୍ଡାର ପିଲାସାଲୁଙ୍କି ଡ୍ୟାମ୍‌ ଯେଉଁ ଲକ୍ଷ୍ୟ ନେଇ ନିର୍ମିତ ହୋଇଥିଲା, କାଳକ୍ରମେ ଏହି ଡ୍ୟାମ୍‌ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଛି। ଏହି ଜଳଭଣ୍ଡାରର ପାଣି ଚାଷୀଙ୍କ କ୍ଷେତକୁ ପହଞ୍ଚିପାରୁନି। ଦୀର୍ଘ ଦଶ ବର୍ଷ ଧରି ପିଲାସାଲୁଙ୍କି ଡ୍ୟାମର ବାମ କେନାଲ ପାର୍ଶ୍ବ‌ରେ ଥିବା ୧୧ଟି ଗ୍ରାମର ଜମିକୁ ପାଣି ମାଡ଼ିପାରୁନାହିଁ। ଏ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଚାଷୀଙ୍କ ସ୍ବାର୍ଥପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଚାଷୀମାନେ ପାଣି ପାଉ ନଥିବାବେଳେ ସେମାନେ ଜଳକର ଦେଉଛନ୍ତି। ଚାଷୀଙ୍କ ପ୍ରତି ଏଭଳି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଚାଷୀ ସଂଗଠନ ମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

ନିକଟରେ କନ୍ଧମାଳ ଗସ୍ତରେ ଆସିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଚାଷୀମାନେ ଏହି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗାମୀ ଦିନରେ ଚାଷୀଙ୍କ ଏହି ସମସ୍ୟାର ସମାଧାନ ହୋଇ ନପାରିଲେ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ତୁରନ୍ତ ପିଲାସାଲୁଙ୍କି ଡ୍ୟାମର ବାମ ପାର୍ଶ୍ବ କେନାଲ ମରାମତି କରାଇ ଚାଷୀଙ୍କ ଜମିକୁ ଜଳସେଚନର ବ୍ୟବସ୍ଥା କରିବାକୁ ଚାଷୀ ସାରଙ୍ଗଧର କହଁର, ଶୁକଦେବ ଜାନି, ରମେଶ ଚନ୍ଦ୍ର ପ୍ରଧାନ, ବିରଞ୍ଚି ଦିଗାଲ, କାମେଶ୍ବର କହଁର, ଅମିତ କହଁର ପ୍ରମୁଖ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର