ଜୟପୁର: ଚାଷୀଙ୍କ ଠାରୁ ଜଳଯୋଗାଇବା ପାଇଁ ଆଦାୟ ହେଉଛି ଜଳକର। ଏହା ବାଦେ ଉପରକୋଲାବ ଜଳସେଚନ ପ୍ରକଳ୍ପରୁ ଛଡ଼ଯାଉଥିବା ପାଣି ପଦ୍ମପୁର ଡିଷ୍ଟ୍ରିବ୍ୟୁଟାରିର ବିଚଳକୋଟା ମାଇନର କେନାଲରୁ ଗତ ୩ମାସରେ ମୁନ୍ଦାଏ ବି ପାଣି ପାଇ ନାହାନ୍ତି ପାଲିଗୁଡା ଓ ବାଲିଆର ଚାଷୀ। ଏହା ଫଳରେ ଏହି ଅଂଚଳରେ ୧୦୦ଏକର ଧାନ ଜମିରେ ଏବେ ମରୁଡ଼ିର ପଦଧ୍ବନୀ। କିଭଳି ଚାଷ ହେବ ସେ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ସୂଚନା ଅନୁଯାୟୀ, ଜୟପୁର ବ୍ଲକର ଭଲ ଧାନ ଚାଷ ହେଉଥିବା ପାଲିଗୁଡା ଓ ବାଲିଆ ଅଂଚଳରେ ଏବେ ଜମିରେ ପାଣି ନଥିବାରୁ ଚାଷୀ ମାନେ ଆଗାମୀଦିନରେ କିଭଳି ଧାନ ଚାଷ ହେବ ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଚାଷଜମିକୁ ବିକଳ୍ପ ବ୍ୟବସ୍ଥାରେ ପାଣି ମଡାଇ ଓ ବର୍ଷାପାଣି ତଳି ପକାଇବା ସହ ରୁଆ ବି କରିଥିଲେ। ସଂପ୍ରତି ବର୍ଷା ଠିକରେ ହେଉ ନଥିବାରୁ ଆଗାମୀ ଦିନରେ ଚାଷକାର୍ଯ୍ୟ ଆଗେଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅପରପକ୍ଷରେ ଜମିରେ ପାଣି ନ ଥିବାରୁ ଜମି ପାଟି ଆଁ କରିବା ସହ ଧାନ ଗଛ ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଉପରକୋଲାବ ଜଳସେଚନ ପ୍ରକଳ୍ପର ଲେଫ୍ଟ କେନାଲ ଭାବେ ପଦ୍ମପୁର ଡିଷ୍ଟ୍ରିବ୍ୟୁଟରୀ ୭କିଲୋମିଟର। ଏହାରି ମଧ୍ୟରେ ଥିବା ବିଚଳକୋଟା ମାଇନରରହିଛି। ଗତ ଜୁଲାଇ ମାସରେ ଉପରକୋଲାବ ଜଳସେଚନ ପ୍ରକଳ୍ପ ପକ୍ଷରୁ ଚାଷ ପାଇଁ ମୁଖ୍ୟକେନାଲ ସହ ପଦ୍ମପୁର ଡିଷ୍ଟ୍ରିବ୍ୟୁଟରୀରେ ଛଡ଼ାଯାଇଥିଲା।
ତେବେ ପଦ୍ମପୁର ଡିଷ୍ଟ୍ରିବ୍ୟୁଟାରିର ଏହି ୭ କିଲୋମିଟରରେ ମୁନ୍ଦାଏ ବି ପାଣି ଯାଇନଥିବା କହିଛନ୍ତି ଚାଷୀ ପ୍ରତିନିଧି ମନୋଜ ପାତ୍ର। ଜଳକର ଦିଆଯିବା ବାଦେ ଜମିରେ ପାଣି ନ ମାଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ସଂପ୍ରତି ମରୁଡ଼ି ଭଳି ପରିସ୍ଥିତି ଉପୁଜିଥିବାରୁ ଧାର, ଉଧାର ଏବଂ ବ୍ୟାଙ୍କ ଋଣ କରି ବହୁ କଷ୍ଠରେ ଧାନ ରୁଆ କରିଥିବା ବେଳେ ପାଣି ପାଇଁ ଚାଷ ନ ହେବା ଦୁର୍ଭାଗ୍ୟଜନକ । ଶ୍ରାବଣ ମାସ ସରିଥିଲେ ହେଁ ସେଭଳି ବର୍ଷା ହୋଇ ନଥିବାରୁ ଏବଂ କେନାଲ ପାଣି ପାଇଁ ଜଳକର ଦେବା ବାଦେ ବି ଜମିରେ ପାଣି ମାଡ଼ୁ ନଥିବାରୁ ଏବେ ଚିନ୍ତାରେ ପଡ଼ିଛନ୍ତି। ଏହି ସ୍ଥିତିରେ ଆମେ ଚାଷୀ ମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଚାଷୀ ମନୋଜପାତ୍ର, ଭୋଗୁ ଗୌଡ଼, ମେଦୁ ଖରା, ମୁଦି ଗୌଡ଼, ଭାସ୍କର ଗୌଡ଼, ଘାସି ହରିଜନ, ମୁନ୍ନା ଗୌଡ଼, ନକୁଳ ଖଡ଼ା , ଗୌରାଙ୍ଗ ଖଡ଼ା। ଏହି ବର୍ଷ ଏହି ମାଇନର କେନାଲର ମରାମତି କିମ୍ବା ଲତାବୁଧା ହଟାଯିବା, ମାଟି କଡ଼ାଯିବା କିଛି ଉପରକୋଲାବ କର୍ତ୍ତୃପକ୍ଷ କରିନଥିବା ଏମାନେ ଅଭିଯୋଗ କରିଛନ୍ତି। ଚାଷୀ ମାନେ ଏ ନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ପଦକ୍ଷେପ ନେଇ ନଥିବାରୁ ଆଜି ଏଭଳି ସ୍ଥିତି ଉପୁଜିବା ସହ ମରୁଡ଼ିର ପଦଧ୍ବନୀ ଦେଖିବାକୁ ମିଳିଛି।