ଭୂତଳ ପାଇପ ଲାଇନ୍‌ ମାଧ୍ୟମରେ ଜଳସେଚନ

୨୪୨ କୋଟି ଖର୍ଚ୍ଚ ଯୋଜନା: ବଲାଙ୍ଗୀର, ନୂଆପଡ଼ା ଉପକୃତ ହେବେ

ରାଜ୍ୟ ବାହାରେ ମାମଲା ପରିଚାଳନା ପାଇଁ ଏଜିଙ୍କ ପ୍ରାପ୍ୟ ବଢିଲା

ଭୁବନେଶ୍ୱର : ନିମ୍ନ ବା ଲୋୟର ଇନ୍ଦ୍ର ପ୍ରକଳ୍ପ ଦ୍ୱାରା ୧୩ ହଜାର ୯୮୨ ହେକ୍ଟର ଜମିକୁ ଭୂତଳ ପାଇପ ଲାଇନ୍‌ ମାଧ୍ୟମରେ ଜଳସେଚନ ଓ ସେଚ ବିକାଶ ନିମନ୍ତେ ହୋଇଥିବା ଟେଣ୍ଡରକୁ ଆଜି କ୍ୟାବିନେଟ୍‌ ମଞ୍ଜୁରି ଦେଇଛନ୍ତି। କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ମହାନଦୀ ଅବବାହିକାର ଇନ୍ଦ୍ର ନଦୀରେ ଲୋୟର ଜଳସେଚନ ପ୍ରକଳ୍ପ ଖଡିଆଳଠାରୁ ନୂଆପଡା ରାସ୍ତାରେ ୧୭ କିଲୋମିଟର ଦୂରରେ ରହିଛି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ନୂଆପଡା ଜିଲ୍ଲାର ୧୩ ହଜାର ୫୦୦ ହେକ୍ଟର ଜମି ଓ ବଲାଙ୍ଗୀର ଜିଲ୍ଲାର ୧୬ ହଜାର ୪୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିବ। ୧୯୯୯-୨୦୦୦ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୮ ଡିସେମ୍ବର ସୁଦ୍ଧା ସମସ୍ତ କାର୍ଯ୍ୟ ସରିବା ଲାଗି ସ୍ଥିର ହୋଇଛି। ବର୍ତମାନ ସୁଦ୍ଧା ମାଟିବନ୍ଧ ଓ ଜଳ ନିର୍ଗମନ ପଥ କାମ ଶେଷ କରାଯାଇଛି। ମୁଖ୍ୟ ଓ ଶାଖା କେନାଲ କାମ ୯୮ ପ୍ରତିଶତ ସରିଛି। ଉପଶାଖା ଓ ନିମ୍ନ କେନାଲର କାର୍ଯ୍ୟ ୬୫ ପ୍ରତିଶତ ଶେଷ ହୋଇଛି। ଏହି ବର୍ଷ ଖରିଫ୍‌ ଋତୁରେ ନୂଆପଡା ଓ ବଲାଙ୍ଗୀରର ୧୫ ହଜାର ୧୧୦ ହେକ୍ଟର ଜମିରେ ଜଳସେଚନ କରାଯାଇଥିଲା।

ବିଭାଗୀୟ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଶାଖା କେନାଲ ଓ ନିମ୍ନ ଶାଖା କେନାଲରେ ଜମି ଅଧିଗ୍ରହଣ ସମସ୍ୟାର ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଭୂତଳ ଜଳ ପାଇପ ଲାଇନ୍‌ ଦ୍ୱାରା ଜଳସେଚନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ ଢାଞ୍ଚାରେ ଏଭଳି କାର୍ଯ୍ୟ ପ୍ରଥମ ଥର ପାଇଁ ହାତକୁ ନିଆଯାଉଛି। ସେହିଭଳି କରନାଳୀ ବ୍ୟବସ୍ଥା କାର୍ଯ୍ୟ ପାଇଁ ବି ଟେଣ୍ଡର ଆହ୍ଵାନ କରାଯାଇଥିଲା। ମୋଟ ତିନି ଜଣ ଏଥିପାଇଁ ଆବେଦନ କରିଥିଲେ ଓ ସେ ମଧ୍ୟରୁ ଜଣକର ନାମ ଆବଶ୍ୟକ ଇଏମ୍‌ଡି ନଦେବାରୁ କାଟ୍‌ ଖାଇଥିଲା। ଏହି ପ୍ରକ୍ରିୟାରେ ମେସର୍ସ ମେଘା ଇଞ୍ଜିନିୟିରିଂ ଆଣ୍ଡ ଇନ୍‌ଫାଷ୍ଟ୍ରକଚର୍‌କୁ ଚୟନ କରାଯାଇଛି। ଏହି ସଂସ୍ଥା ୨୪୨ କୋଟି ୯୯ଲକ୍ଷ ୨୩ ହଜାର ୧୦୦ ଟଙ୍କାରେ ଏହି କାର୍ଯ୍ୟ କରିବ।

ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଦ୍ୱାରା ରାଡାର ସ୍ଥାପନ ହେବ। କ୍ୟାବିନେଟ୍‌ ଆଜି ନିଷ୍ପତ୍ତି ନେଇଛନ୍ତି ଯେ ଏଥିପାଇଁ ଲିଜ୍‌ ଦିଆଯାଇଥିବା ଜମି ଉପରୁ ବକେୟା ଦେୟ ବାବଦରେ ୧୬ଲକ୍ଷ ୩୩ ହଜାର ୧୨୮ ଟଙ୍କା ଏବଂ ଜମି ଅଧିମୂଲ୍ୟ ତଥା ଅନ୍ୟାନ୍ୟ ଦେୟ ଛାଡ଼ କରାଯିବ।

ଝାରସୁଗୁଡା ତହସିଲ ଅନ୍ତର୍ଗତ ଝାରସୁଗୁଡା ଟାଉନ୍‌ ୟୁନିଟ୍‌ ୮ ରେ ୧ ଏକର ୪୭୦ ଡେସିମିଲ ଜମି ବିନା ଦେୟରେ ଭାରତୀୟ ବିମାନବନ୍ଦର ପ୍ରାଧୀକରଣଙ୍କୁ ଦେବା ଲାଗି କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି। ବିମାନବନ୍ଦର ବିକାଶ ପାଇଁ ଏହି ଅତିରିକ୍ତ ଜମି ଦିଆଯାଇଛି। ଏଥିନିମନ୍ତେ ସରକାରୀ ରାଜକୋଷକୁ ପ୍ରିମିୟମ୍‌ ଆଦି ପ୍ରାପ୍ୟ ବାବଦରେ ୩୨ ଲକ୍ଷ ୩୪ ହଜାର ଓ ଅନ୍ୟାନ୍ୟ ବାବଦରେ ୫୧ ହଜାର ୪୫୦ ଟଙ୍କା କ୍ଷତି ସହିବାକୁ ହେବ।

ଦୁଗ୍ଧ ସଂଗ୍ରହ ଓ ପ୍ରକ୍ରିୟାକରଣ ପାଇଁ ଗ୍ରାମୀଣ ଭିତ୍ତିଭୂମି ଉନ୍ନତି ପାଣ୍ଠି ସହାୟତାରେ ୫ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ କାରଖାନା ସ୍ଥାପନ ହେବ। ଏହାଦ୍ୱାରା କ୍ଷୀର ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ହେବ ଓ ଓଡ଼ିଶା ଦୁଗ୍ଧ ସମବାୟ ସଂଘ ଦୈନିକ ୧୦ଲକ୍ଷ ଲିଟର କ୍ଷୀର ସଂଗ୍ରହ କରିପାରିବ। ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ନିକଟରେ ପ୍ରସ୍ତାବିତ ଏହି ପ୍ଲାଣ୍ଟ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ହେବା ସହ ଟର୍ଣ୍ଣ-କି ଭିତ୍ତିରେ ନିର୍ମାଣ କରାଯିବ। ଏ ନେଇ ନ୍ୟାସନାଲ ଡାଏରି ଡେଭଲପ୍‌ମେଣ୍ଟ ବୋର୍ଡ ସଂପୂର୍ଣ୍ଣ ବିବରଣୀ ରିପୋର୍ଟ(ଡିପିଆର୍‌) ପ୍ରଦାନ କରିବ। ମୁଖ୍ୟ ସଚିବ କହିଛନ୍ତି, ପ୍ରସ୍ତାବିତ ନୂତନ ପ୍ଲାଣ୍ଟ ଦୁଗ୍ଧ ପ୍ରକ୍ରିୟାକରଣ ଖର୍ଚ୍ଚ କମାଇବାରେ ସହାୟକ ହେବ।

ଓଡ଼ିଶା କାରାଗାର ସେବା ନିୟମାବଳୀ, ୨୦୧୨ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି। ନିୟମ ୮(ସି) ଅନୁସାରେ, ମଣ୍ଡଳ କାରାଗାର ଗୁଡିକର ବରିଷ୍ଠ ଅଧୀକ୍ଷକଙ୍କର କାରାଗାରା ଉପନିରୀକ୍ଷକ ପଦବିକୁ ପଦୋନ୍ନତି ନିମନ୍ତେ ଥିବା ବିଭାଗୀୟ ପଦୋନ୍ନତି କମିଟିର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟ ଶାସନ ସଚିବ। ୨୦୧୩ରେ ସରକାର ନିଷ୍ପତ୍ତି ନେଇଛନ୍ତି, ଯେ ପେ ବ୍ୟାଣ୍ଡ -୩ର ପଦୋନ୍ନତି ବା ପଦୋନ୍ନତି କମିଟି ମୁଖ୍ୟ ଭାବେ ବିଭାଗୀୟ ପ୍ରମୁଖ ସଚିବ ଓ ଶାସନ ସଚିବ ଅଧ୍ୟକ୍ଷତା କରିବେ। ଯେହେତୁ କାରାଗାର ଉପନିରୀକ୍ଷକ ପଦବି ପେ ବ୍ୟାଣ୍ଡ ୩ ଅନ୍ତର୍ଗତ, ଏଣୁ ଓଡ଼ିଶା କାରାଗାର ସେବା ନିୟମାବଳୀ, ୨୦୧୨ରେ ସଂଶୋଧନ କରାଯାଇଛି। ଅର୍ଥାତ୍‌ ଏଣିକି ବିଭାଗୀୟ ପ୍ରମୁଖ ସଚିବ ପଦୋନ୍ନତି କମିଟି ମୁଖ୍ୟଭାବେ କାର୍ଯ୍ୟ କରିବେ।

କଲିକତାଠାରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ତଥା ରାଜ୍ୟ ବାହାରେ ଅନ୍ୟ ସ୍ଥାନମାନଙ୍କରେ ଥିବା ବିଭିନ୍ନ ମାମଲାରେ ହାଜର ହେବା ପାଇଁ ଆଡଭୋକେଟ୍‌ ଜେନେରାଲ ୮ହଜାର ଟଙ୍କା ପ୍ରାପ୍ୟ ପାଉଛନ୍ତି। ଆଜି ରାଜ୍ୟ ସରକାର ଏହାକୁ ବୃଦ୍ଧି କରିଛନ୍ତି। ଏଣିକି ରାଜ୍ୟ ବାହାରେ କୌଣସି ନ୍ୟାୟାଳୟ, ଟ୍ରିବ୍ୟୁନାଲ ବା କାର୍ଯ୍ୟବିଧିରେ ଉପସ୍ଥିତ ହେବା ପାଇଁ ତାଙ୍କ ପାରିଶ୍ରମିକ ବାବଦକୁ ୧୫ ହଜାର ଟଙ୍କା ନେବେ।

ସେହିଭଳି ଓଡ଼ିଶା ନିୟୋଜନ ସେବା ଅଧୀନରେ ଥିବା ପଦବି ପୂରଣ ନିମନ୍ତେ ୭୫ ପ୍ରତିଶତ ପଦୋନ୍ନତି ଓ ୨୫ ପ୍ରତିଶତ ଅନ୍ୟ ସେବାରୁ ନିଯୁକ୍ତି କରିବା ଲାଗି ଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇଛି। ଏଣିକି ୫୦ ପ୍ରତିଶତ ପଦୋନ୍ନତି ଓ ଅବଶିଷ୍ଟ ୫୦ ପ୍ରତିଶତ ଲୋକସେବା ଆୟୋଗ ଅଧୀନ ଓଡ଼ିଶା ପ୍ରଶାସନିକ ସେବା ସଂଯୁକ୍ତ ଅର୍ଥାତ୍‌ ସିଧାସଳଖ ନିଯୁକ୍ତି ବ୍ୟବସ୍ଥା ମାଧ୍ୟମରେ ଆସିବେ। ଓଡ଼ିଶା ନିୟୋଜନ ସେବା ଶ୍ରେଣୀ ବଦଳରେ ଓଡ଼ିଶା ନିୟୋଜନ ସେବା, ବର୍ଗ ଖ ରଖାଯିବ। ସାମାଜିକ ଆର୍ଥିକ ଅନଗ୍ରସର ବର୍ଗର ମହିଳା, କ୍ରୀଡ଼ାବିତ୍‌, ପୂର୍ବ ସୈନିକ ଓ ଭିନ୍ନକ୍ଷମମାନଙ୍କ ନିମିତ୍ତ ନିୟମାନୁସାରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିବ।

ସମ୍ବନ୍ଧିତ ଖବର