ଦୁଇ ପଟେ ନଈ, କଟକବାସୀ ଜଳ ପାଇଁ ଜଳକା

ମହାନଦୀ ପାଣି ଯାଉଛି ଭୁବନେଶ୍ୱର, ପାରାଦୀପ, ମନ୍ଥର ଗତିରେ ଚାଲିଛି ୪୦୦ କୋଟିର ପ୍ରକଳ୍ପ

କଟକ, (ସୀମନ୍ତିକା ନନ୍ଦ): କଟକ ସହରର ତିନି ପଟକୁ ଘେରି ରହିଛି ମହାନଦୀ ଓ କାଠଯୋଡି। କିନ୍ତୁ ମହାନଦୀ ଓ କାଠଯୋଡି ପାଣି ଉପରେ କଟକ ସହରବାସୀଙ୍କ ଅଧିକାର ନାହିଁ। ମହାନଦୀ ପାଣି ଗୋଟିଏ ପଟେ ଭୁବନେଶ୍ବର ଯାଉଛି ତ ଅନ୍ୟପଟେ ଯାଉଛି ପାରାଦୀପ। କଟକ ସହରବାସୀ ଏଯାଏ ଭୂତଳ ଜଳକୁ ବ୍ୟବହାର କରି ଆସୁଛନ୍ତି। ଏଭଳି ବିଚିତ୍ର ସ୍ଥିତି ହୁଏତ ଦେଶ ଅଥବା ବିଶ୍ବରେ ପ୍ରଥମ ହୋଇପାରେ ବୋଲି କୁହାଯାଉଛି। କଟକ ସହରର ୧୩ଲକ୍ଷ ଲୋକ ଭୂତଳ ଜଳ ଉପରେ ନିର୍ଭର କରୁଥିବାରୁ ଭୂତଳ ଜଳସ୍ତର ହ୍ରାସ ପାଉଥିବା ବେଳେ ଏହାକୁ ନେଇ ଭୌଗୋଳିକ ସମସ୍ୟା ସୃଷ୍ଟି ହେବାର ବି ଆଶଙ୍କା ରହିଛି। ଦୀର୍ଘଦିନ ପରେ ମହାନଦୀରୁ ସହରବାସୀଙ୍କୁ ପାଣି ଯୋଗାଣ ପାଇଁ ଅମୃତ ଯୋଜନାରେ ୪୦୦ କୋଟିର ପ୍ରକଳ୍ପ ଆରମ୍ଭ ହୋଇଛି ସତ ତାହା ବି ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି।

TripAdvisor

କଟକ ସହରବାସୀଙ୍କୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୯୫ଟି ପ୍ରଡକ୍ସନ ୱେଲରୁ ପାଣି ଯୋଗାଇ ଦିଆଯାଉଛି। କଟକ ସହରରେ ଦିନକୁ ୧୦୬.୬ ଏମ୍‌ଏଲ୍‌ଡି ପାଣିର ଆବଶ୍ୟକତା ଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦୭.୭ଏମ୍‌ଏଲ୍‌ଡି ( ମିଲିୟନ୍ ଲିଟର) ପିଇବା ପାଣି ଯୋଗାଇ ଦିଆଯାଉଛି। ତେବେ ଜନସ୍ବାସ୍ଥ୍ୟ ବିଭାଗର ପାଣିକୁ ବାଦ୍‌ ଦେଲେ ଅନେକ ସହରବାସୀ ନିଜସ୍ବ ବ୍ୟବସ୍ଥାରେ ଭୂତଳ ଜଳ ଉତ୍ତୋଳନ କରି ତାହାକୁ ବ୍ୟବହାର କରି ଆସୁଛନ୍ତି। ଏଭଳି ସ୍ଥିତିରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଯେଉଁଠି ପୂର୍ବରୁ ମାତ୍ର କେଇ ଫୁଟ ଖୋଳିଲେ ପାଣି ବାହାରୁ ଥିଲା, ସେଠି ଶହେ ଫୁଟ ଖୋଳିବାକୁ ପଡୁଛି। ଦୁଇପଟେ ନଦୀ ଥାଇ ବି ଭୂତଳ ଜଳସ୍ତରର ସଂଚୟ (ଗ୍ରାଉଣ୍ଡ ୱାଟର ଚିଚାର୍ଜ) ପାଇଁ ଏଯାଏ କୌଣସି ଯୋଜନା ନାହିଁ। ମହାନଦୀର ପାଣିକୁ ପାନୀୟ ଜଳ ଭାବେ ସହରବାସୀଙ୍କୁ ଯୋଗାଇଦେବା ପାଇଁ ୪୦୦ କୋଟିର ଯୋଜନା ମାତ୍ର ଦୁଇ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଛି। ସହରର ୫୯ଟି ୱାର୍ଡର ଜନସାଧାରଣ ଏହି ପ୍ରକଳ୍ପରୁ ପାଣି ପାଇବେ। ଏଥିପାଇଁ ସିଡିଏ ସେକ୍ଟର ୧୨ରେ ୯ ଏମ୍‌ଏଲଡି, ଜଗତ୍‌ପୁରରେ ୬ ଏମ୍‌ଏଲ୍‌ଡି ଓ ପ୍ରତାପନଗରୀର ୪ଟି ୱାର୍ଡ ପାଇଁ ୮ଏମ୍‌ଏଲ୍‌ଡିର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର କାମ ଚାଲିଛି। ୨୦୧୮ରେ ଅର୍ଥାତ୍‌ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯିବା ସହ ଜୁନ୍‌ ସୁଦ୍ଧା ଏହି ପ୍ରକଳ୍ପରୁ ସହରବାସୀ ପାଣି ପାଇବେ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଆହୁରି ୬ ମାସ ଲାଗିବ ବୋଲି ଜନସ୍ବାସ୍ଥ୍ୟ ବିଭାଗ କଟକ ଖଣ୍ଡ-୧ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇ ସୂଚନା ଦେଇଛନ୍ତି।

୧୯୯୦ରୁ ମୁଣ୍ଡଳୀ ଜଳବିଶୋଧନାଗାରରୁ ମହାନଦୀ ପାଣିକୁ ବିଶୋଧିତ କରାଯାଇ ଭୁବନେଶ୍ବର ପାଇଁ ପଠା ଯାଉଥିବା ବେଳେ ୨୦୧୨/୧୩ରୁ ପାରାଦୀପ ଆଇଓସିଏଲକୁ ମହାନଦୀର ଗଡଗଡିଆ ଘାଟ ନିକଟରୁ ପାଣି ଉତ୍ତୋଳନ କରି ପଠା ଯାଉଛି। କଟକରେ ଭୂତଳ ଜଳସ୍ତର କମିଯାଉଥିବା ବେଳେ ଅମୃତ ଯୋଜନା ପ୍ରକଳ୍ପ କେ‌ବେ ସହରବାସୀଙ୍କ ଶୋଷ ମେଣ୍ଟାଇବ ତାରି ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର